କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): କିଛି ଦିନର ବ୍ୟବଧାନରେ କେନ୍ଦ୍ରାପଡ଼ାରେ ପୁଣି ଫୁଟିଛି ଗୁଳି । କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୁଲନଗର ହାଇସ୍କୁଲ ଛକରେ ଶନିବାର ରାତିରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ର ଶିକାର ହୋଇଛନ୍ତି ତିନିମୁହାଣି ବଜାର କମିଟି ସଭାପତି ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ଧର୍ମ ଜାଗରଣ ସମନ୍ୱୟର ଜିଲ୍ଲା ସଭାପତି ବିବେକାନନ୍ଦ ମହରଣା (ବାବୁଲି) ।
ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଯାଇଥିବାବେଳେ ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ବି ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଏତେବଡ଼ ଘଟଣା ହୋଇଥିଲେ ବି ପୁଲିସ ବହୁ ବିଳମ୍ୱରେ ଘଟଣାସ୍ଥଳରେ ପହଞ୍ôଚଥିଲା । ବାବୁଲିଙ୍କୁ ଗୁଳିମାଡ଼ ଖବର ପାଇବା ପରେ କେନ୍ଦ୍ରାପଡ଼ା ସହର ଅଶାନ୍ତ ହୋଇପଡ଼ିଛି । ତିନିମମୁହାଣିଠାରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ବଜରଙ୍ଗ ଦଳ ଧର୍ମରକ୍ଷା ସେନାର କର୍ମକର୍ତ୍ତା, ସଦସ୍ୟ, ତିନିମୁହାଣି ବଜାର କମିଟି ସଦସ୍ୟମାନେ ।
ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ସଦର ଥାନା ଅଧୀନ କେନ୍ଦ୍ରାପଡ଼ା ବ୍ଲକ ରାମନଗରପାଟଣାରେ ରହନ୍ତି ବିବେକାନନ୍ଦ ମହାରଣା (ବାବୁଲି) । ସେ ବଜରଙ୍ଗ ଦଳର ଜଣେ ସକ୍ରିୟ କର୍ମକର୍ତ୍ତା, ବିଜେପି ସମର୍ଥକ ତଥା ତିନିମୁହାଣି ବଜାର କମିଟିର ସଭାପତି । ପୁଣି ତିନିମୁହାଣି ରାମମନ୍ଦିରର ପ୍ରତିଷ୍ଠାତା । ନିକଟରେ ସେ ଏକ ଟ୍ରାକ୍ଟର ସୋ’ ରୁମ୍ର ଫ୍ରାଞ୍ଚାଇଜ୍ ଆଣିଥିଲେ । ଆଜି ରାତି ପ୍ରାୟ ୯ଟା ବେଳେ ସେ ନିଜର ବାଇକ୍ ଯୋଗେ ତିନିମୁହାଣି ବଜାର ଆଡ଼କୁ ଆସୁଥିଲେ । ଏହି ସମୟରେ ପୂର୍ବ ଯୋଜନା ମୁତବକ ତାଙ୍କ ଉପରେ ନଜର ରଖିଆସିଥିବା ଦୁର୍ବୃତ୍ତମାନେ ଅପରପାଶ୍ୱର୍ରୁ ଅନ୍ୟ ଏକ ବାଇକ୍ରେ ଆସୁଥିଲେ । ଉଭୟ ବାଇକ୍ ପାଖାପାଖି ହେବାକୁ କିଛି ଦୂରତା ଥିବା ବେଳେ ପଛରେ ବସିଥିବା ଜଣେ ଯୁବକ ବାବୁଲିଙ୍କ ଉପରକୁ ୨ ରାଉଣ୍ଡ ଗୁଳି କରିଥିଲେ । ବାବୁଲି କିଛି ଭାବିବା ଆଗରୁ ଟଳିପଡ଼ିଥିଲେ ଗୁଳି ମାଡ଼ରେ । ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିବା ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ପାଇ ଏସ୍ପି ନୀତି ଶେଖର, ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ସଦର ଆଇଆଇସି ମହେଶ୍ୱର ସେଠୀ, ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛନ୍ତି । ରିପୋର୍ଟ ଲେଖାଯିବା ସୁଦ୍ଧା ଗୁଳିମାଡ଼ର କାରଣ ଜଣାପଡ଼ିନଥିଲେ ବି ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତମାନେ ଏ କାଣ୍ଡ ଭିଆଇଥିବା ଅନୁମାନ କରୁଛି ପୁଲିସ । ଅପରପକ୍ଷେ ଆଗକୁ ପାଟକୁରା ନିର୍ବାଚନ ଥିବାବେଳେ ଘଟଣା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥାଇପାରେ ବୋଲି ଆଲୋଚନା ହେଉଛି । ଏହି ଘଟଣାକୁ କେନ୍ଦ୍ର କରି ସହର ଏକପ୍ରକାର ଅଶାନ୍ତ ହୋଇପଡ଼ିଥିବା ବେଳେ ରାଜନୈତିକ ତାତି ବଢିଯାଇଛି ।
Comments are closed, but trackbacks and pingbacks are open.