ତିନି ଭାଇଙ୍କୁ ହତ୍ୟା ଘଟଣା:୪୦ବର୍ଷର ଶତୃତା ମଧ୍ୟରେ ଗଡ଼ିଲାଣି ୪ ମୁଣ୍ଡ

Get real time updates directly on you device, subscribe now.

ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଧୀନ ପୁରୀ-ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟକିଆ ଛକଠାରେ ଗତକାଲି ତିନି ଭାଇଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏକ ୩ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ଅଧିକାରୀ ଏସ୍‌ ସରୋନିଆଙ୍କ ନେତୃତ୍ୱରେ ହତ୍ୟାକାଣ୍ଡ ସ୍ଥଳ ଯାଞ୍ଚ କରିଛନ୍ତି । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିଛି ।
ମୃତ ତିନି ଭାଇ ପୂର୍ଣ୍ଣଚନ୍ଦ୍ର ବେହେରା (୪୦), କୃଷ୍ଣଚନ୍ଦ୍ର ବେହେରା (୩୫) ଓ ପଞ୍ଚୁ ବେହେରା (୪୨)ଙ୍କ ଖଣ୍ଡବିଖଣ୍ଡିତ ଶବ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ହୋଇଛି । ଏ ନେଇ ସତ୍ୟବାଦୀ ଥାନାରେ ମୃତକଙ୍କ ପୁତୁରା ମାନସ ବେହେରାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ହତ୍ୟା ମାମଲା (୧୧୪/୧୯) ରୁଜୁ କରିଛି । ଅଭିଯୁକ୍ତଙ୍କ ପରିବାର ମଧ୍ୟରୁ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା କହିଛନ୍ତି ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ ତପନ ରାଉତ ।
ଗତକାଲି ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ହତ୍ୟାକାଣ୍ଡ ପରେ ଦୋକାନବଜାର ବନ୍ଦ ହୋଇ ଯାଇଥିଲା । ଆଜି ମଧ୍ୟ ବଜାର ବନ୍ଦ ରହିଛି । ପଟ୍ଟନାୟକିଆ ଛକ ଓ ସଦାନନ୍ଦପୁର ଗ୍ରାମରେ ସଶସ୍ତ୍ର ପୁଲିସ ମୁତୟନ ରହିଛନ୍ତି । ଏସ୍‌ପି ଉମାଶଙ୍କର ଦାସ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ଖୁବ୍‌ଶୀଘ୍ର ଅପରାଧୀମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ।
ହତ୍ୟାକାଣ୍ଡର ୨୪ ଘଣ୍ଟା ପରେ ବି ଅପରାଧୀଙ୍କ ପତ୍ତା ପାଇପାରୁନି ପୁଲିସ । ୮ ହତ୍ୟାକାରୀ ଓ ୫ ଜଣ ସହଯୋଗୀ ଏବେ ପୁଲିସ ବଳୟ ଠାରୁ ଢେର୍‌ ଦୂରକୁ ଚାଲି ଯାଇଥିବା ଅଭିଯୋଗ ହୋଇଛି ।
ବେହେରା ପରିବାର ମଧ୍ୟରେ ବିବାଦ ଯୋଗୁ ୩ ଭାଇଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ଏ ବିବାଦ ଆଜିକାଲିର ନୁହେଁ । ଦୀର୍ଘ ୪୦ ବର୍ଷର ପୁରୁଣା । ମୃତକ ଓ ସେମାନଙ୍କ ଭାଇମାନେ ଗୋଟିଏ ଅଂଶର ହୋଇଥିବାବେଳେ ହତ୍ୟା ଅଭିଯୁକ୍ତମାନେ ଆଉ ଏକ ଅଂଶର ବୋଲି ଅଭିଯୋଗ ହୋଇଛି । ଏନେଇ ଅନେକ ଥର ଥାନା, କୋର୍ଟ କଚେରୀରେ ମାମଲା ରୁଜୁ ଓ ଆପୋଷ ସମାଧାନ ହୋଇଥିବା ପରିବାର ଲୋକେ କହିଛନ୍ତି । ୨୦ ବର୍ଷ ତଳେ ମୃତକଙ୍କ ବାପା ଈଶ୍ୱର ବେହେରାଙ୍କୁ ଅଭିଯୁକ୍ତମାନେ ହାଣିଥିଲେ । ପରେ ସାନ ଭାଇ ଅଜୟଙ୍କୁ ମାରି ଦିଆଗଲା ବୋଲି ଅଭିଯୋଗ ହେବା ସହ ଶେଷରେ ଆଉ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରାଗଲା ବୋଲି କହିଛନ୍ତି ମୃତକଙ୍କ ପରିବାର । ଏତେ ବର୍ଷ ଧରି ଏହି ପରିବାର ଉପରେ ବାରମ୍ବାର ଅତ୍ୟାଚାର କରାଯାଉଥିଲା । କିନ୍ତୁ ପୁଲିସ ସୁରକ୍ଷା ଦେଉ ନ ଥିଲା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି । ଏକ ବର୍ଷ ପୂରିନାହିଁ । ଗଡ଼ିଲାଣି ୪ଟି ମୁଣ୍ଡ । ବାରମ୍ବାର ଆକ୍ରମଣ ହେଉଥିବାର କାରଣ ଅନୁଧ୍ୟାନ ତ ଦୂରର କଥା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର‌୍ୟାନୁଷ୍ଠାନ ନେଉନାହିଁ ।
ଉଲ୍ଲେଖଯୋଗ୍ୟ ଯେ, ୧୦ମାସ ତଳେ ମୃତକମାନଙ୍କ ଆଉ ଜଣେ ସାନ ଭାଇ ବୀରରାମଚନ୍ଦ୍ରପୁର ସରପଞ୍ଚ ଅଜୟ କୁମାର ବେହେରାଙ୍କ ଖଣ୍ଡବିଖଣ୍ଡିତ ଶବ ସନ୍ଦେହଜନକ ଭାବେ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା । ଏହା ମଧ୍ୟ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ସ୍ୱର୍ଗତ ଅଜୟଙ୍କ ପତ୍ନୀ ଦୀପା ବେହେରା ଏବେ ଅଭିଯୋଗ ଉଠାଇଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରାଗଲେ ଅଜୟ ବେହେରାଙ୍କ ମୃତ୍ୟୁ ଘଟଣାର ଘଟଣାର ପର୍ଦ୍ଦାଫାସ ହେବ ବୋଲି ଦୀପା ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons