ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଉଦ୍ଘାଟିତ ହେଲା ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ବେଦାନ୍ତ ଗ୍ରୁପ୍ ସହଯୋଗରେ ନିର୍ମିତ ଏହି ହସ୍ପିଟାଲକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା କଳାହାଣ୍ଡିବାସୀ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିବା ସହ ଲୋକଙ୍କୁ କରୋନାର ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ।
ବେଦାନ୍ତ ଗ୍ରୁପ୍ ସହଯୋଗରେ ନିର୍ମିତ ଏହି କୋଭିଡ ହସ୍ପିଟାଲ୍ରେ ୧୬ଟି ଆଇସିୟୁ ଓ ୧୬ଟି ଏଚ୍ଡିୟୁ ଶଯ୍ୟା ସହିତ ଏକ ସ୍ୱତନ୍ତ୍ର ଶିଶୁ ୱାର୍ଡ ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଉପକରଣ ବ୍ୟବସ୍ଥିତ ରହିଛି । ଏହି ହସ୍ପିଟାଲ ପାଇଁ ବେଦାନ୍ତ ଗ୍ରୁପ୍ ତଥା ଏହାର ଅଧ୍ୟକ୍ଷ ଅନୀଳ ଅଗ୍ରୱାଲଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇ ହସ୍ପିଟାଲରେ ଚିକିତ୍ସାଠାରୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାଦ୍ଧୀର କଳାହାଣ୍ଡି ବିଂଶ ଶତାଦ୍ଧୀର କଳାହାଣ୍ଡିଠାରୁ ବହୁତ ଆଗକୁ ଯାଇପାରିଛି । ଗତ ଦୁଇ ଦଶକ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି । କଳାହାଣ୍ଡି ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । କଳାହାଣ୍ଡିର ଏ ରୂପାନ୍ତର, କଳାହାଣ୍ଡି ଜିଲ୍ଲାର ଚାଷୀଭାଇ, ଯୁବସମାଜ ଓ ମା ମାନଙ୍କ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କୋଭିଡ ମୁକାବିଲାରେ ରାଜ୍ୟର ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ କିଛିଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅrିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ ଦୁଇ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ । କୋଭିଡର ଦ୍ୱିତୀୟ ଲହରରେ ଅକ୍ସିଜେନ୍ ଅଭାବ ବେଳେ ଓଡିଶା ୧୮ଟି ରାଜ୍ୟକୁ ଅrିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି । ଏଭଳି ସଙ୍କଟ ସମୟରେ ମାନବତାର ସେବା ପାଇଁ ସୁଯୋଗ ପାଇବା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବରେ ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଛନ୍ତି । କୋଭିଡର ଦ୍ୱିତୀୟ ଲହରର ମୁକାବିଲାରେ କଳାହାଣ୍ଡିବାସୀ ଯେପରି ସାହସ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଜିଲ୍ଲାବାସୀଙ୍କୁ ତଥା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପୁଣି ଥରେ ପରାମର୍ଶ ଦେଇ ଜନସାଧାରଣଙ୍କୁ ସମସ୍ତଙ୍କୁ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚୟ ନେବା ପାଇଁ ନିବେଦନ କରିଥିଲେ । ମହାମାରୀ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟ, ଠିକ୍ ଭାବରେ ଆଗରୁ ପ୍ରସ୍ତୁତ ରହିଲେ ନିଶ୍ଚୟ ବିଜୟ ଲାଭ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗଦେଇ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଳ ଅଗ୍ରୱାଲ କଳାହାଣ୍ଡିର ବିକାଶ ଓ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ସେ କହିଛନ୍ତି, କଳାହାଣ୍ଡି ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି । ସେ ମୁଖ୍ୟମନ୍ତ୍ରୀଙ୍କୁ ଯେତବଳେ ଭେଟିଛନ୍ତି, ସବୁବେଳେ କଳାହାଣ୍ଡିର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବଳେ ଲୋକଙ୍କ ଉନ୍ନତି ଓ ରାଜ୍ୟର ବିକାଶ କଥା ଚିନ୍ତା କରନ୍ତି । ବାତ୍ୟା ସମୟରେ ମୁଖ୍ୟମନ୍ତ୍ରୀ ଯେଭଳି ଭାବରେ ନେତୃତ୍ୱ ନେଇ ମୁକାବିଲା କଲେ ଓ ଲୋକଙ୍କ ଜୀବନର ସୁରକ୍ଷା କଲେ, ତାହା ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଆମେ ଅନେକ ରାଜ୍ୟରେ କାମ କରୁଛୁ, କିନ୍ତୁ ଓଡ଼ିଶାରେ କାମ କରିବାର ଅଭିଜ୍ଞତା ମୋତେ ସବୁଠାରୁ ଭଲ ଅନୁଭବ ଦେଇଛି ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କଳାହାଣ୍ଡିରେ କୋଭିଡ ହସ୍ପିଟାଲ ସହିତ ମେଡିକାଲ କଲେଜ, ଜଳସେଚନର ବିକାଶ ଆଦି ବ୍ୟାପକ ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, କଳାହାଣ୍ଡିରେ କୋଭିଡ ମୁକାବିଲା ପାଇଁ ଦୁଇଟି ଅrିଜେନ ପ୍ଲାଣ୍ଟ କରାଯାଇଛି । ହସ୍ପିଟାଲରେ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି । ତେଣୁ କଳାହାଣ୍ଡିବାସୀ ଉନ୍ନତ କୋଭିଡ ଚିକିତ୍ସା ପାଇପାରିବେ ବୋଲି କହିଛନ୍ତି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଧର୍ମଗଡ଼ ମୌଷଧୀ ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ରାଣି ସାହୁ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଳାହାଣ୍ଡି ଜିଲ୍ଲାପାଳ ଡା.ଗାଭାଲି ପରାଗ ହର୍ଷଦ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବେଦାନ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଶର୍ମା ଧନ୍ୟବାଦ ଦେଇଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.