ସୁକିନ୍ଦା,(ବି.ବି.ନ୍ୟୁଜ୍): ସୁକିନ୍ଦା ବ୍ଲକ ଡାଟା ଅପରେଟର ଅଶୋକ ସାହୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ସୁକିନ୍ଦା ପୁଲିସ । ତ୍ରିକୋଣୀୟ ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦାମୋଦରପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ପୁଅ ଅଶୋକ ସାହୁ(୩୦) ଚଳିତ ମାସ ୧୭ତାରିଖ ସକାଳ ପ୍ରାୟ ୮.୪୫ମିନିଟ୍ରେ ଏକ ସ୍କୁଟି ସାହାଯ୍ୟରେ ବ୍ଲକକୁ ବାହାରିଥିଲେ । ସୁକିନ୍ଦା ଟସର ଫାର୍ମ ନିକଟରେ ଓଡି୦୪ଏମ ୯୪୯୪ ନମ୍ବରବିଶିଷ୍ଟ ଏକ ୧୪ ଚକିଆ ଗାଡ଼ି ଧକ୍କାରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା । ଟ୍ରକ୍କୁ ଏହାର ଚାଳକ ସୁକିନ୍ଦା ଥାନା ଅନ୍ତର୍ଗତ ଗନ୍ଧାପାଳ ଗ୍ରାମର ଦୁର୍ଯ୍ୟୋଧନ ସେଠୀଙ୍କ ପୁଅ ରଂଜନ ସେଠୀ ଯୋଜନାବଦ୍ଧଭାବେ ଅଶୋକଙ୍କ ଉପରେ ଚଢ଼ାଇ ହତ୍ୟା କରିଛି ବୋଲି ଅଶୋକଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ । ମାମଲା ରୁଜୁ ହେବା ପରେ ସୁକିନ୍ଦା ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ଘଟଣାର ତଦନ୍ତ କରିଥିଲେ ।
ପୁଲିସ ପ୍ରାଥମିକ ତଦନ୍ତରୁ ଏହା ଦୁର୍ଘଟଣା ନୁହେଁ ବରଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା । ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଅଛନ୍ତି । ଫଳରେ ଫେରାର ଥିବା ଚାଳକକୁ ଧରିବାକୁ ଚେଷ୍ଟା କରିଥିଲା । ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଗତକାଲି ଅଭିଯୁକ୍ତ ରଂଜନ ସେଠୀର ପିଉସୀ ଘର ଅନୁଗୁଳର ହୁଲୁରସିଙ୍ଗା ଗ୍ରାମରେ ଚଢ଼ଉ କରି ସେଠାରୁ ତାକୁ ଗିରଫ କରିଥିଲା ।
ମୁଖ୍ୟ ଅଭିଯୁକ୍ତ ଠାରୁ ମିଳିଥିବା ତଥ୍ୟ ଅନୁସାରେ ହତ୍ୟାରେ ସହଯୋଗ କରିଥିବା ଏହି ଥାନା ଅନ୍ତର୍ଗତ ଗନ୍ଧାପାଳ ଗ୍ରାମର ସୁଧାଂଶୁ ମହାକୁଡ଼ଙ୍କ ପୁଅ ଚିନ୍ମୟ ମହାକୁଡ଼(୨୮) ଓ ବିଶ୍ୱମ୍ବର ନାୟକଙ୍କ ପୁଅ ସତ୍ୟଜିତ ନାୟକ(୧୯)କୁ ଗତକାଲି ତାଙ୍କ ଘରୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ରଂଜନ ଜନୈକା ମହିଳା ଜିଆର୍ଏସ୍ଙ୍କୁ ପ୍ରେମ କରୁଥିଲା । ରଂଜନ ଓ ତାଙ୍କ ପ୍ରେମିକା ୨୦୧୮ ଡିସେମ୍ବର ୧୫ରେ ଘରୁ ଫେରାର ହୋଇଯାଇ ତା’ର ପିଉସୀ ଘର ଅନୁଗୁଳରେ ରହିଥିଲେ । ସେଠାରେ ରହିବା ଭିତରେ ସ୍ଥାନୀୟ ନୋଟାରୀରେ ବିବାହ କରିଥିଲେ । ୧୫ଦିନ ରହଣି ପରେ ସେମାନେ ଘରକୁ ଫେରି ଆସିଥିଲେ । ୨ମାସ ପରେ ପୁନର୍ବାର ଉଭୟ ଫେରାର ହୋଇ ଆନ୍ଧ୍ରପ୍ରଦେଶ ପଳାଇ ଯାଇଥିଲେ । ସେଠାରେ ରଂଜନର ଭାଇ ମିଥୁନ ସେଠୀ ନିକଟରେ ଏକ ମାସ ରହିବା ପରେ ଘରକୁ ଫେରି ଆସିଥିଲେ । ଘରକୁ ଫେରିବା ପରେ ମହିଳାଜଣକ ଜିଆରଏସ୍ ଭାବେ ଚାକିରି ପାଇଥିଲେ । ଫଳରେ ପଞ୍ଚାୟତର ବିଭିନ୍ନ କାମରେ ସୁକିନ୍ଦା ବ୍ଲକ ଯିବା ଆସିବା କରିବାକୁ ପଡ଼ିଥିଲା । ଏହି ସମୟରେ ଅଶୋକ ସହିତ ତାଙ୍କର ଦେଖା ସାକ୍ଷାତ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା । ଯାହାକୁ ନେଇ ମୁଖ୍ୟ ଅଭିଯୁକ୍ତ ଓ ମୃତ ଅଶୋକ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା । ମୁଖ୍ୟ ଅଭିଯୁକ୍ତ ରଂଜନ ଅଶୋକକୁ ଜୀବନରେ ମାରିଦେବାର ଧମକ ମଧ୍ୟ ଦେଇଥିଲା । ଧମକକୁ ଭ୍ରୂକ୍ଷେପ ନକରି ଅଶୋକ ସଂପୃକ୍ତ ମହିଳା ସହିତ ମିଳାମିଶା କରିଥିଲା । ଫଳରେ ରଂଜନ ତାକୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ।
ଘଟଣାର ପୂର୍ବଦିନ ରଂଜନ ନିଜ ଗ୍ରାମର ଚିନ୍ମୟ ଓ ସତ୍ୟଜିତ୍କୁ ମୋଟରସାଇକେଲ ଦେଇ ଅଶୋକ ଉପରେ ନଜର ରଖିବାକୁ କହିଥିଲା । ଘଟଣା ଦିନ ସକାଳେ ଉଭୟ ଦାମୋଦରପୁର ଛକ ନିକଟରେ ଛିଡ଼ା ହୋଇରହିଥିଲେ । ଅଶୋକ ସ୍କୁଟି(ଓଡି୩୩ ୬୫୪୦) ଧରି ଗାଁରୁ ବାହାରିବା କ୍ଷଣି ସେମାନେ ଅଭିଯୁକ୍ତକୁ ଖବର ଦେଇଥିଲେ । ରଂଜନ ୧୪ଚକିଆ ଗାଡ଼ି ଧରି ଏହି ଥାନା ଅନ୍ତର୍ଗତ ମଙ୍ଗଳପୁର ଛକ ଠାରୁ ଅଳ୍ପ ଦୂର ଦେହୁରୀସାହି ନିକଟ ୫୩ନମ୍ବର ଜାତୀୟ ରାଜପଥ ଉପରେ ଜଗି ରହିଥିଲା । ଅଶୋକ ସ୍କୁଟି ଧରି ସଂପୃକ୍ତ ଗାଡ଼ିକୁ ଅତିକ୍ରମ କରିବା ପରେ ଅଭିଯୁକ୍ତ ରଂଜନ ସଂପୃକ୍ତ ଟ୍ରକଟିକୁ ଦ୍ରୁତବେଗରେ ନେଇ ଅଶୋକଙ୍କ ଉପରେ ଚଢ଼ାଇଥିଲା । ଅଶୋକଙ୍କ ମୃତ୍ୟୁ ହୋଇଯାଇଥିବା ନିଶ୍ଚିତ ହେବା ପରେ ଟ୍ରକଟିକୁ ୨ କିଲୋମିଟର ଦୂରରେ ଛାଡ଼ି ବନ୍ଧଗାଁକୁ ପଳାଇଥିଲା । ସେଠାରୁ ତା’ର ସହଯୋଗୀ ଚିନ୍ମୟ ଓ ସତ୍ୟଜିତକୁ ଖବର ଦେଇଥିଲା । ସେମାନେ ବନ୍ଧଗାଁ ନିକଟରେ ପହଞ୍ôଚ ରଂଜନକୁ ସାଙ୍ଗରେ ଧରି ତା’ ଗ୍ରାମ ଗନ୍ଧାପାଳକୁ ଆସିଥିଲେ । ସେଠାରୁ ସତ୍ୟଜିତ୍କୁ ଛାଡ଼ି ସେହି ମୋଟର ସାଇକେଲରେ ଅନୁଗୁଳ ଫେରାର ହୋଇ ଯାଇଥିଲେ । ପୁଲିସ ଖବର ପାଇ ଗତକାଲି ଅଭିଯୁକ୍ତକୁ ଅନୁଗୁଳରୁ ଗିରଫ କରିଥିଲା । ପୁଲିସ ମୁଖ୍ୟ ଅଭିଯୁକ୍ତ ରଂଜନ ସସହ ତା’ର ଦୁଇ ସହଯୋଗୀ ସତ୍ୟଜିତ୍ ଓ ଚିନ୍ମୟଙ୍କୁ ୩୦୨ଦଫାରେ ଆଜି କୋର୍ଟ ଚାଲାଣ କରିଛି ।
Comments are closed, but trackbacks and pingbacks are open.