ଭୁବନେଶ୍ୱର,(ବି.ବି.ବ୍ୟୁରୋ): ନିଶା କାରବାର ରୋକିବାକୁ କମିଶନରେଟ୍ ପୁଲିସ ଚଳାଇଥିବା ସ୍ପେଶାଲ୍ ଡ୍ରାଇଭ୍ରେ ଆଜି ୪ଟି ଥାନା ପୁଲିସ ୪ଟି ମାମଲାରେ ଏକ ଦମ୍ପତିଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪୩ ଗ୍ରାମ ବ୍ରାଉନ୍ସୁଗର ସହ ଟଙ୍କା, ୪ ବାଇକ୍, ଗୋଟିଏ ଅଟୋ ଓ ମୋବାଇଲ୍ ଫୋନ୍ ଜବତ ହୋଇଛି । ଜଟଣୀ ଥାନା ପୁଲିସ ନୂଆଗାଁରେ ଚଢ଼ଉ କରି ବ୍ରାଉନ୍ସୁଗର ଜବତ କରିବା ସହ ଦମ୍ପତିଙ୍କୁ ଗିରଫ କରିଛି । ସେମାନେ ହେଲେ ନୂଆଗାଁର ଫେଲୁ ପଟ୍ଟନାୟକ ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ । ଉଭୟଙ୍କ ଠାରୁ ପୁଲିସ ୮ ଗ୍ରାମ ବ୍ରାଉନ୍ସୁଗର, ମୋବାଇଲ ଫୋନ୍, ୧୨ଶହ ଟଙ୍କା ଓ ଏକ ବାଇକ୍ ଜବତ କରିଛି । ଜବତ ବ୍ରାଉନ୍ସୁଗରର ମୂଲ୍ୟ ୮୦ ହଜାର ଟଙ୍କା ହେବ । ସଂପୃକ୍ତ ଦମ୍ପତି ଦୀର୍ଘଦିନ ଧରି ବ୍ରାଉନ୍ସୁଗର ବେପାର କରି ଆସୁଥିଲେ ବୋଲି ପୁଲିସ କହିଛି । ଆଜି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହି ନୟାଗଡ଼ ସାହିରେ ଚଢ଼ଉ କରି ଦୁଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କଠୁ ୧୨ ଗ୍ରାମ ବ୍ରାଉନ୍ସୁଗର, ଗୋଟିଏ ବାଇକ୍ ଜବତ କରିଛି । ଦୁଇ ବେପାରୀ ହେଲେ ନୟାଗଡ଼ର ଦିଲ୍ଲୀପ କୁମାର ପ୍ରଧାନ(୩୪) ଓ ଗଣେଶ ଜେନା(୨୯) । ଉଭୟେ ସାଲିଆସାହି ନୟାଗଡ଼ ସାହିରେ ରହି ଦୀର୍ଘଦିନ ହେବ ବ୍ରାଉନ୍ସୁଗର ବେପାର କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୁଲିସ ଗତକାଲି ଚଢ଼ଉ କରି ଦିଲ୍ଲୀପ ଓ ଗଣେଶଙ୍କୁ ଗିରଫ କରିଥିଲା । ଜବତ ବ୍ରାଉନ୍ସୁଗରର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ । ଆଜି ଦିଲ୍ଲୀପ ଓ ଗଣେଶଙ୍କୁ କୋର୍ଟ ଚାଲାଣ କରାଯାଇଛି ।ସହିଦନଗର ଥାନା ପୁଲିସ ଇମ୍ଫା ପାର୍କ ନିକଟରେ ବ୍ରାଉନ୍ସୁଗର ବେପାର କରୁଥିବା ୪ ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି । ସେମାନେ ହେଲେ ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳର ଲିପୁ ଓରଫ ଲିଟୁ ଖଟେଇ(୨୨), ପିଣ୍ଟୁ ଓରଫ ଶରତ ବେହେରା(୧୯), ଜ୍ୟାକି ଓରଫ ଆକାଶ ଔପମ(୨୧) ଓ ରାଜା ଓରଫ ସବ୍ୟସାଚୀ ବିଶ୍ୱାଳ(୨୦) । ଗିରଫ ୪ ବେପାରୀଙ୍କ ଠାରୁ ୧୭ ଗ୍ରାମ ବ୍ରାଉନ୍ସୁଗର, ୨ଟି ମୋବାଇଲ, ୬ହଜାର୮୭୦ ଟଙ୍କା ଓ ୨ଟି ସ୍କୁଟର ଜବତ ହୋଇଛି । ଜବତ ବ୍ରାଉନ୍ସୁଗରର ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ । ଅପରାହ୍ଣରେ ୪ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ହଳଦୀପଡ଼ିଆରୁ ପୁଣି ବ୍ରାଉନ୍ସୁଗର ଜବତ ହୋଇଛି । ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ କରି ତାଙ୍କ ଠାରୁ ୬.୩୫ ଗ୍ରାମ ବ୍ରାଉନ୍ସୁଗର, ମୋବାଇଲ ଫୋନ୍ ଓ ଏକ ଅଟୋ ଜବତ କରିଛି । ଗିରଫ ଅଟୋ ଚାଳକଙ୍କ ନାମ ମଙ୍ଗଳ ଓରଫ ବିଲୋ ମଙ୍ଗଳ ଦାସ(୪୫) । ଘର ଖୋର୍ଦ୍ଧା ଭୁଷଣ୍ଡପୁର । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୁଲିସ ଗତକାଲି ସନ୍ଧ୍ୟାରେ ହଳଦୀପଡ଼ିଆରେ ଚଢ଼ଉ କରି ମଙ୍ଗଳଙ୍କୁ ଗିରଫ କରିଥିଲା । ଆଜି ମଙ୍ଗଳଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
Comments are closed, but trackbacks and pingbacks are open.