ଦିଗପହଣ୍ଡିରେ ହେବ କପା ପ୍ରକ୍ରିୟାକରଣ ପ୍ଲାଣ୍ଟ୍

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ଗଞ୍ଜାମ ଜିଲ୍ଲାର କପା ଚାଷୀଙ୍କ ପାଇଁ କେନ୍ଦ୍ରବିନ୍ଦୁ ପାଲଟିବାର ଆଶା କରାଯାଉଛି । ଯଦି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ପ୍ରସ୍ତାବକୁ ଶୀଘ୍ର ଅନୁମୋଦନ କରନ୍ତି ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ କପା ପ୍ରକ୍ରିୟାକରଣ (ଜିନିଂ) ପ୍ଲାଣ୍ଟ୍ କାର୍ଯ୍ୟାରମ୍ଭ କରିବ । ଏହାଦ୍ୱାରା ଜିଲ୍ଲାର କପା ଚାଷୀ ବେଶ୍ ଉପକୃତ ହୋଇପାରିବେ । ଉନ୍ନତମାନର ପ୍ରକ୍ରିୟାକୃତ ତୁଳା ଉପôାଦନ, ପରିବହନ, ଉପଯୁକ୍ତ ମୂଲ୍ୟରେ ତଥା ସ୍ଥାନୀୟ ସ୍ତରରେ ବିକ୍ରି ସୁବିଧା ଚାଷୀଙ୍କୁ ମିଳିବା ଆଶା କରାଯାଉଛି ।
ଜିଲ୍ଲାରେ ଦିଗପହଣ୍ଡି, ସାନଖେମୁଣ୍ଡି, ପାତ୍ରପୁର, ଶେରଗଡ଼, ଧରାକୋଟ, ସୋରଡ଼ା ସମେତ ଭଞ୍ଜନଗର, ଜଗନ୍ନାଥପ୍ରସାଦ ବ୍ଲକ୍ରେ କପା ଚାଷ ହେଉଛି । ତେବେ ଚାଷୀଙ୍କୁ ସମସ୍ୟା ହେଉଛି ଗଚ୍ଛିତ କରି ରଖିବା । ଗୋଦାମ ଅଭାବରୁ ସେମାନେ ପ୍ରାୟତଃ ଜମିରେ ହିଁ ଗଚ୍ଛିତ କରି ରଖିଥାନ୍ତି । ଜମିରେ ହେଉ ବା ସେଠାରୁ ତୋଳି ଅନ୍ୟତ୍ର ରଖିବା ବେଳେ ସେଥିରେ ଧୂଳି, ମାଟି, ପତ୍ର, ପ୍ଲାଷ୍ଟିକ୍ ଆଦି ମିଶି ତୁଳାର ମୂଲ୍ୟ ହ୍ରାସ ପାଏ । ଗଞ୍ଜାମର ଚାଷୀ ମୁଖ୍ୟତଃ ଆନ୍ଧ୍ର ବେପାରୀଙ୍କ ଉପରେ ନିର୍ଭରଶୀଳ । ମାତ୍ର ଗୁଣ୍ଟୁର, ଗଜପତିରୁ ତୁଳା ବିକ୍ରି ପରେ ଆନ୍ଧ୍ର ବେପାରୀ ଗଞ୍ଜାମକୁ ଏପ୍ରିଲ୍ ମାସ ବେଳକୁ ଆସିଥାନ୍ତି । ଜାନୁଆରୀରୁ କପା ତୋଳିବା ଆରମ୍ଭ ହେଉଥିବା ବେଳେ ଏତେ ସମୟ ଗଚ୍ଛିତ ରଖିବା ମଧ୍ୟରେ ତୁଳାର ଗୁଣାତ୍ମକ ମାନ ହ୍ରାସ (ଡିଗ୍ରେଡେସନ୍) ଘଟିଥାଏ । ଫଳରେ ଚାଷୀ ଅପେକ୍ଷାକୃତ କମ୍ ମୂଲ୍ୟରେ ବେପାରୀକୁ ବିକ୍ରି କରିବାକୁ ବାଧ୍ୟ ହୁଏ ।
ଜିଲ୍ଲାରେ ଚଳିତ ବର୍ଷ ଲକ୍ଡାଉନ୍ ହେତୁ କପା ବିକ୍ରି ପ୍ରାୟ ଦୁଇ ମାସ ବିଳମ୍ବରେ ଏବେ ଆରମ୍ଭ ହୋଇଛି । ବାହାରୁ ବେପାରୀ ଅଧିକ ସଂଖ୍ୟାରେ ଆସି ଥିବାରୁ ଅପେକ୍ଷାକୃତ କମ୍ ଦରରେ କପା ବିକିବାକୁ ବାଧ୍ୟ ହୋଇଛନ୍ତି ଚାଷୀ । ତେବେ କୃଷି ବିଭାଗ ସଚିବ ଓ ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟାରେ ପ୍ରଥମ ଥର ସିସିଆଇ (କଟନ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ) ଗଞ୍ଜାମରୁ କପା କିଣିଛି । ୪୯୦୦ କୁଇଣ୍ଟାଲ କପା କିଣିଛି ସିସିଆଇ । ସିସିଆଇର ରାଜ୍ୟ ଶାଖା ଗୁଣପୁରରେ ରହିଛି ଯେଉଁଠି ବର୍ତ୍ତମାନ ଜିନିଂ କରାଯାଉଛି । ଗଞ୍ଜାମ, ଗଜପତି ସମେତ ରାୟଗଡ଼ା, ବଲାଙ୍ଗୀର, କଳାହାଣ୍ଡିର କପା ସେଠାକୁ ଯାଉଛି ଓ ପ୍ରକ୍ରିୟାକରଣ ହେଉଛି ।
ବର୍ତ୍ତମାନ ଦିଗପହଣ୍ଡି ଆର୍ଏମ୍ସିରେ କପା ଗଚ୍ଛିତ କରିବାକୁ ଯଥେଷ୍ଟ ସ୍ଥାନ ରହିଛି । ପ୍ରାୟ ୧ ହଜାର ମେଟ୍ରିକ୍ ଟନ୍ ରଖାଯାଇ ପାରିବ । ଏଥିସହ କପା ପ୍ରକ୍ରିୟାକରଣ ପାଇଁ ବିଦୁ୍ୟତ୍ ସଂଯୋଗ, ପାଣି, ସେଡ୍, ଏଠାକୁ ଆସୁଥିବା ଚାଷୀଙ୍କ ପାଇଁ ବିଶ୍ରାମ ଓ ଶୌଚାଳୟ, ଗାଡ଼ି ପାର୍କିଂ, ଚାରିପଟେ ପାଚେରୀ, କଙ୍କ୍ରିଟ୍ ପ୍ଲାଟ୍ଫର୍ମ ଆଦି ସୁବିଧା ରହିଛି । ଏଠି ତୁଳା ଗଚ୍ଛିତ ରଖିଲେ ଅପମିଶ୍ରିତ ହେବା ସମ୍ଭାବନା ପ୍ରାୟ ନାହିଁ । ଏଠାରୁ ୩୦ କିମି ଦୂରତାରେ ରହିଛି ରାଜପଥ, ଫଳରେ ତୁଳା ଦୂର ସ୍ଥାନକୁ ପରିବହନ କରିବା ଚାଷୀ, ବ୍ୟବସାୟୀଙ୍କ ପକ୍ଷରେ ସୁବିଧାଜନକ ହେଉଛି । ଏଠାରେ ବର୍ତ୍ତମାନ ପରୀକ୍ଷାଗାରରେ ତୁଳାର ମାନ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂ ମେସିନ୍ରେ ତୁଳା ପକାଇଦେଲେ ଅପମିଶ୍ରିତ ପଦାର୍ଥ ଅଲଗା ହୋଇଯାଏ ଓ ତୁଳାର ଗୁଣାତ୍ମକ ମାନ ନିର୍ଦ୍ଧାରିତ ହୋଇଯାଏ । ତେବେ ଏହାକୁ ସମ୍ପ୍ରସାରିତ କରି କଟନ୍ ପ୍ରୋସେସିଂ ପ୍ଲାଣ୍ଟ୍ କରିବା ଯୋଜନା ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ୧ କୋଟି ଟଙ୍କାର ବ୍ୟୟ ଅଟକଳ ପଠାଯାଇଛି ।
ରାଜ୍ୟ ସରକାର ଶୀଘ୍ର ମଞ୍ଜୁରୀ ଦେଲେ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଆବଶ୍ୟକ ଯନ୍ତ୍ରପାତି କିଣି କାର୍ଯ୍ୟକ୍ଷମ କରାଯାଇ ପାରିବ । ଏପରି ହେଲେ ପରବର୍ତ୍ତୀ କପା ସିଜନ୍ ବେଳକୁ ଚାଷୀଙ୍କ ଉପକାରରେ ଏହି ପ୍ଲାଣ୍ଟ୍ ଉପାଦେୟ ହେବ ବୋଲି କହିଛନ୍ତି ଦିଗପହଣ୍ଡି ଆର୍ଏମ୍ସି ସମ୍ପାଦକ ଅରୁଣ ମିଶ୍ର । ଉକ୍ତ ପ୍ଲାଣ୍ଟ୍ କାର୍ଯ୍ୟକାରୀ ହେଲେ ଗଚ୍ଛିତ କ୍ଷମତାକୁ ଆଉ ୧ ହଜାର ମେଟ୍ରିକ୍ ଟନ୍ ବୃଦ୍ଧି ପାଇଁ ଯୋଜନା ରହିଥିବା ସେ କହିଛନ୍ତି । ପୁଣି ଥରେ କପାର ଚାହିଦା ବୃଦ୍ଧି ପାଉଛି । ୫୦- ୬୦ ଟ୍ରକ୍ କପା ବା ତୁଳା ଏବେ ଉପôାଦନ ହେଉଥିବା ବେଳେ ଏହାକୁ ୧୦୦ ଟ୍ରକ୍ (୧ ହଜାର ମେଟ୍ରିକ୍ ଟନ୍) ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ଆସିକା ସୂତାକଳ କାର୍ଯ୍ୟକ୍ଷମ ହୋଇପାରିଲେ ତୁଳା ଚାଷୀଙ୍କ ପାଇଁ ଲାଭଦାୟକ ହେବା ସାଙ୍ଗକୁ ଦିଗପହଣ୍ଡି ପ୍ଲାଣ୍ଟ୍ ଏ କ୍ଷେତ୍ରରେ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଦିଗପହଣ୍ଡି ପ୍ଲାଣ୍ଟ୍ରେ କଟନ୍ ଜିନିଂ, ବେଲିଂ କରାଗଲେ ଚାଷୀ, ବେପାରୀ ତାହାକୁ ସୁବିଧା ଓ କମ୍ ଖର୍ଚ୍ଚରେ ଅନ୍ୟତ୍ର ପରିବହନ କରିପାରିବ କିମ୍ବା ଗଚ୍ଛିତ ରଖିହେବ । ଏପରିକି ସ୍ଥାନୀୟ ସ୍ତରରେ ବିକ୍ରି କରିବା ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି କହିଛନ୍ତି ଆର୍ଏମ୍ସି ସମ୍ପାଦକ ।
ତେବେ ପ୍ଲାଣ୍ଟ୍ ସ୍ଥାପନ ନିମନ୍ତେ ଆବଶ୍ୟକ ପ୍ରକ୍ରିୟା ଜାରି ରହିଛି । ଚିଠି ଲେଖା, ବଜେଟ୍ ପଠାଇବା ଆଦି କାମ ସରିଛି । ନିକଟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରୟ ଭାଉସାହେବ ଦିଗପହଣ୍ଡି ଆର୍ଏମ୍ସି ପରିଦର୍ଶନ କରିଥିଲେ । ଜିଲ୍ଲାକୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ଯଥାସମ୍ଭବ ନିୟୋଜନର ମାଧ୍ୟମ ଖୋଜିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । ତେବେ ଜିଲ୍ଲାରେ କୃଷି ଆଧାରିତ ଶିଳ୍ପକୁ ଆଗେଇ ନେବାରେ ଦିଗପହଣ୍ଡି ଆର୍ଏମ୍ସି ଏବେ ଏକ ଆଶା ସୃଷ୍ଟି କରିଛି ବୋଲି କହିବାକୁ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons