ଦିଗପହଣ୍ଡି,(ବି.ବି.ନୁ୍ୟଜ୍): କୋଭିଡ-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି । ଏହାକୁ ଅଧିକ କଡାକଡି କରିବା ପାଇଁ ଗୁରୁବାର ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ଚଣ୍ଡଙ୍କ ଅନୁରୋଧ କ୍ରମେ ସମଗ୍ର ପଞ୍ଚାୟତକୁ ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି।
ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ସଙ୍ଗରୋଧ କେନ୍ଦ୍ର ରେ ଥିବା କିଛି ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହାପରେ ଏଭଳି ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
ଦିଗପହଣ୍ଡି ବିଡିଓ ହଳଧର ଶବର, କୋଭିଡ ୧୯ ନୋଡାଲ ଅଧିକାରୀ ରାଜ କିଶୋର ନାୟକ, ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, କେ. ନୂଆଗାଁ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ପ୍ରମୁଖ ସଂମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ସମଗ୍ର ପଞ୍ଚାୟତକୁ ଏକ ସପ୍ତାହ ବ୍ୟାପୀ ସଟଡାଉନ୍ ଘୋଷଣା କରିଥିବା ଜଣାପଡିଛି। ପଞ୍ଚାୟତ ଅଧୀନ ସମସ୍ତ ଗାଁରେ ଘରୁ ନବାହାରିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ କଣ୍ଟ୍ରୋଲ ଜୋନ୍ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ବିଚାର ବିମର୍ଶ ଜାରି ରହିଛି।
Comments are closed, but trackbacks and pingbacks are open.