ଦିନକରେ ୫ ମୃତ, ୨୩୯ ନୂଆ ପଜିଟିଭ୍

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମରେ କରୋନା ସଂକ୍ରମିତଙ୍କ ମୃତୁ୍ୟ ସଂଖ୍ୟା ଊଦ୍ଧ୍ୱର୍ମୁଖୀ ହୋଇ ଚାଲିଛି । ୮ ଦିନରେ ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନକରେ ୫ ଜଣ ପଜିଟିଭ୍ ରୋଗୀଙ୍କ ମୃତୁ୍ୟ ଘଟିଛି । ତେବେ ଗତ ୧୩ ତାରିଖରେ ୪ ଜଣଙ୍କ କରୋନାରେ ଓ ପଞ୍ଚମ ରୋଗୀଙ୍କ ଅନ୍ୟ ରୋଗରେ ମୃତୁ୍ୟ ଘଟିଥିବା ବେଳେ ଏଥର କିନ୍ତୁ ସମସ୍ତଙ୍କ ମୃତୁ୍ୟ କରୋନା କାରଣରୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ଅଛନ୍ତି ଯେ କି ମଧୁମେହ ରୋଗାକ୍ରାନ୍ତ ଥିଲେ । ସେହିପରି ୪୦ ବର୍ଷ ଓ ୫୪ ବର୍ଷର ଜଣେ ଲେଖାଏଁ ରୋଗୀଙ୍କ ସମେତ ଜଣେ ୪୨ ବର୍ଷୀୟ ବ୍ୟକ୍ତି (ସେ ମଧୁମେହ ରୋଗରେ ବି ଆକ୍ରାନ୍ତ ଥିଲେ) ଏବଂ ଜଣେ ୫୨ ବର୍ଷୀୟ ବ୍ୟକ୍ତି (ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗ ଥିଲା)ଙ୍କ ମୃତୁ୍ୟ ଘଟିଛି । ଫଳରେ ଗଞ୍ଜାମରେ ମୋଟ କରୋନା ସଂକ୍ରମିତଙ୍କ ମୃତୁ୍ୟ ସଂଖ୍ୟା ୬୪ ହୋଇଛି । ଏଥିରୁ ୬୦ ଜଣଙ୍କ କରୋନାରେ ଏବଂ ୪ ଜଣଙ୍କ ଅନ୍ୟ ରୋଗରେ ମୃତୁ୍ୟ ଘଟିଛି । ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ଗଞ୍ଜାମରେ କରୋନାରେ ମୃତୁ୍ୟ ସଂଖ୍ୟା ୫୯ ଏବଂ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ସଂକ୍ରମିତଙ୍କ ସଂଖ୍ୟା ୪ ବୋଲି ଦର୍ଶାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାରେ ଏଯାବତ୍ ୭ କରୋନା ଯୋଦ୍ଧାଙ୍କ ଜୀବନ ଗଲାଣି । କେବଳ ଜୁଲାଇ ମାସରେ ୪୯ ଜଣଙ୍କ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ଅଛନ୍ତି ୫ ମହିଳା (୨ ବୃଦ୍ଧା) ଓ ୫୯ ପୁରୁଷ (୨୧ ବୃଦ୍ଧ) । ଜିଲ୍ଲାରେ ମୃତୁ୍ୟ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ମଙ୍ଗଳବାରରୁ ପ୍ଲାଜ୍ମା ଥେରାପି ଚିକିତ୍ସା ଆରମ୍ଭ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍ରେ ଏହି ଚିକିତ୍ସା ଆରମ୍ଭ ହେବ ।
ଗଞ୍ଜାମ ଜିଲ୍ଲାରେ ନୂଆ ୨୩୯ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୫୭୬୬ ଛୁଇଁଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା ୩୯ ଓ ଆକ୍ଟିଭ୍ କଣ୍ଟାକ୍ଟ ୧୯୬ (ମୋଟ ସ୍ଥାନୀୟ ସଂକ୍ରମିତ ୨୩୫) ଅଛନ୍ତି । ୪ ଜଣ ପ୍ରବାସୀ (ସମସ୍ତେ ଚିକିଟି ବ୍ଲକ୍ର, କର୍ଣ୍ଣାଟକ, ମୁମ୍ବାଇ ଓ ରାୟଗଡାରୁ ଫେରିଛନ୍ତି) ମଧ୍ୟ ସଂକ୍ରମିତ ହୋଇଛନ୍ତି । ଆସିକା ବ୍ଲକ୍ରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୪୪ ପଜିଟିଭ୍ (୧୧ ଯୋଦ୍ଧା, ୩୩ ଆକ୍ଟିଭ୍ କଣ୍ଟାକ୍ଟ୍) । ତା ପଛକୁ ରହିଛି ଛତ୍ରପୁର ଯେଉଁଠାରୁ ୨୮ ଆକ୍ଟିଭ୍ କଣ୍ଟାକ୍ଟ ଓ ଜଣେ ଯୋଦ୍ଧା ଠାବ ହୋଇଛନ୍ତି । ପୋଲସରାରୁ ୧୯ ଆକ୍ଟିଭ୍ କଣ୍ଟାକ୍ଟ ଓ ୪ ଯୋଦ୍ଧା, ଭଞ୍ଜନଗରରୁ ୧୬ ସ୍ଥାନୀୟ ଆକ୍ରାନ୍ତ ଓ ୭ ଯୋଦ୍ଧା, ବେଲଗୁଣ୍ଠାରୁ ୧୨ କଣ୍ଟାକ୍ଟ ଓ ୨ ଯୋଦ୍ଧା ପଜିଟିଭ୍ ହୋଇଛନ୍ତି । ଚିକିଟିରୁ ପଜିଟିଭ୍ ତାଲିକାରେ ୪ ପ୍ରବାସୀଙ୍କ ସମେତ ରହିଛନ୍ତି ଆଉ ୯ ଆକ୍ଟିଭ୍ କଣ୍ଟାକ୍ଟ ଓ ଜଣେ ଯୋଦ୍ଧା । ବ୍ରହ୍ମପୁର ମହାନଗରର ସ୍ଥିତି ଅପେକ୍ଷାକୃତ ଭଲ ରହିଛି । ରେଶମ ସହରରୁ ୯ କଣ୍ଟାକ୍ଟ ଓ ୨ ଯୋଦ୍ଧା କରୋନାର କବଳରେ ପଡିଛନ୍ତି । ଶେରଗଡରୁ ୫ ଆକ୍ଟିଭ୍ ଓ ୪ ଯୋଦ୍ଧା, ଧରାକୋଟରୁ ୯ ଆକ୍ଟିଭ୍ କେସ୍, ସୋରଡାରୁ ୮ ଆକ୍ଟିଭ୍ କେସ୍ ଓ ଜଣେ ଯୋଦ୍ଧା, ପାତ୍ରପୁରରୁ ୮ କଣ୍ଟାକ୍ଟ, ବୁଗୁଡାରୁ ୭ କଣ୍ଟାକ୍ଟ ଓ ଜଣେ ଯୋଦ୍ଧା, ଜଗନ୍ନାଥପ୍ରସାଦରୁ ୭ ଆକ୍ଟିଭ୍ କେସ୍, ଦିଗପହଣ୍ଡିରୁ ୫ କଣ୍ଟାକ୍ଟ, ଗଞ୍ଜାମ, ପୁରୁଷୋତ୍ତମପୁର ଓ ରଙ୍ଗେଇଲୁଣ୍ଡାରୁ ୪ ଜଣ ଲେଖାଏଁ କଣ୍ଟାକ୍ଟ, କବିସୂର୍ଯ୍ୟନଗରରୁ ୨ ଯୋଦ୍ଧା ଓ ୨ ଆକ୍ଟିଭ୍ କଣ୍ଟାକ୍ଟ, ଖଲିକୋଟରୁ ୩ କଣ୍ଟାକ୍ଟ, ହିଞ୍ଜିଳିକାଟୁରୁ ୨ କଣ୍ଟାକ୍ଟ ଓ ଜଣେ ଯୋଦ୍ଧା, ବେଗୁନିଆପଡାରୁ ୨ ଯୋଦ୍ଧା, ସାନଖେମୁଣ୍ଡିରୁ ଜଣେ ଆକ୍ଟିଭ୍ କଣ୍ଟାକ୍ଟ ବାହାରିଛି ।
ଗଞ୍ଜାମରେ ଆଉ ୧୧୮ ଜଣ ପଜିଟିଭ୍ ଆରୋଗ୍ୟ ଲାଭ କରିବା ପରେ ଏହି ସଂଖ୍ୟା ୩୮୭୧ରେ ପହଞ୍ଚିଛି । ଜିଲ୍ଲାରେ ସୁସ୍ଥ ହାର ଏବେ ୬୪ ପ୍ରତିଶତକୁ ବୃଦ୍ଧି ପାଇଥିବା ଟ୍ୱିଟ୍ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗତ ସପ୍ତାହରେ ଏହି ହାର ୬୦.୧ ପ୍ରତିଶତ ଥିଲା ବେଳେ ରବିବାର ଥିଲା ୬୨ ପ୍ରତିଶତ । କେବଳ ଚଳିତ ମାସରେ ୪୨୯୩ ଜଣ ନୂଆ ପଜିଟିଭ୍ ଠାବ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୨୮୭୮ ଜଣ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons