ଦୁଇ କୁଖ୍ୟାତ ବାଇକ୍ ଲୁଟେରା ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସିସିଟିଭି ଫୁଟେଜ୍ରୁ ଧରାପଡ଼ିଛନ୍ତି ଦୁଇ କୁଖ୍ୟାତ ବାଇକ୍ ଲୁଟେରା । ଖଣ୍ଡଗିରି ଥାନା ପୁଲିସ ଉଭୟଙ୍କୁ ଗିରଫ କରିବା ସହିତ ୮ଟି ଦାମୀ ବାଇକ୍ ଜବତ କରିଛି । ଗିରଫ ଦୁଇ ଲୁଟେରା ହେଲେ ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ଆଇଟିଆଇ କଲେଜ ନିକଟରେ ରହୁଥିବା ଗଡ଼ିଶାଗଦାର ପ୍ରଦୀପ ପାଇକରାୟ (୨୦) ଓ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ପାଖ ସର୍ବୋଦୟନଗରରେ ରହୁଥିବା ଡେଲାଙ୍ଗ ଦେପୁର ଶାସନ ମାଉ ମଠର ନନ୍ଦୁ ଓରଫ ସୁମନ୍ତ ମଲ୍ଲିକ (୨୦) ।
ପୁଲିସ ସୂଚନା ଅନୁଯାୟୀ, ଗତ ୩ ତାରିଖ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ କଳିଙ୍ଗନଗର କେ-୩ ପ୍ଲଟ୍ ନଂ-୧୦୭୨ରେ ରହୁଥିବା ରବୀନ୍ଦ୍ର କୁମାର ମହାନ୍ତିଙ୍କ ଘରର ଗ୍ରୀଲ ଗେଟ୍ ତାଲା ଭାଙ୍ଗି ୩ ଦୁର୍ବୃତ୍ତ ତାଙ୍କ ପୁତୁରାଙ୍କ ବାଇକ୍ (ଓଡି୩୩ଏ-୦୩୨୨) ଚୋରିକରି ନେଇଥିଲେ । ଏନେଇ ରବୀନ୍ଦ୍ର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ଚୋରି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ରବୀନ୍ଦ୍ରଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ପୁଲିସ ଯାଞ୍ଚ କରି ୩ ଲୁଟେରାଙ୍କୁ ଚିହ୍ନଟ କରିଥିଲା ।
ଖଣ୍ଡଗିରି ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସିସିଟିଭି ଯାଞ୍ଚ କରିବା ସମୟରେ ସେମାନଙ୍କ ମଧ୍ୟରୁ ୨ ଲୁଟେରାଙ୍କୁ ପୂର୍ବରୁ ସେ ଚିହ୍ନିଥିଲେ । କଟକ ବାଦାମବାଡ଼ି ଥାନାରେ ଥିବା ବେଳେ ସେ ପ୍ରଦୀପ ଓ ନନ୍ଦୁକୁ ବାଇକ୍ ଲୁଟ୍ ମାମଲାରେ ଗିରଫ କରିଥିଲେ । ସେମାନଙ୍କ ଠାରୁ ୨୫ଟି ଚୋରା ବାଇକ୍ ଜବତ କରିଥିଲେ । ତେଣୁ ରବୀନ୍ଦ୍ରଙ୍କ ଘରେ ଲାଗିଥିବା ସିସିଟିଭି ଦେଖିବା ପରେ ସେ ନନ୍ଦୁ ଓ ପ୍ରଦୀପକୁ ଚିହ୍ନଟ କରିଥିଲେ । ସେ ପ୍ରଥମେ ପୁରୀରେ ଚଢ଼ଉ କରିଥିଲେ ମଧ୍ୟ ଦୁଇ ଲୁଟେରା ଫେରାର୍ ଥିବାରୁ ସେମାନଙ୍କୁ ଗିରଫ କରି ପାରିନଥିଲେ । ଗତକାଲି ପ୍ରଦୀପ ଓ ନନ୍ଦୁ ଚୋରା ବାଇକ୍ ବିକିବା ପାଇଁ ଖଣ୍ଡଗିରି ଅଞ୍ଚଳକୁ ଆସିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୁଲିସ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା । ଦୁଇ ଜଣଙ୍କୁ ଧରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮ଟି ଦାମୀ ଚୋରା ବାଇକ୍ ଜବତ କରିଥିଲା । ଉକ୍ତ ବାଇକ୍ଗୁଡ଼ିକୁ ସେମାନେ କଳିଙ୍ଗନଗର, ଡୁମୁଡୁମା ପଞ୍ଚସଖାନଗର ପ୍ଲଟ୍ ନଂ-ଏମ୍୪/୪, ତମାଣ୍ଡୋ ବିଜିପୁର ପ୍ଲଟ୍ ନଂ-୩୫୩/୨୦୧୫, କଳିଙ୍ଗନଗର ଜିଏ କଲୋନୀ ପ୍ଲଟ୍ ନଂ-୪୦୩, ଖୋର୍ଦ୍ଧା ଓ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଚୋରି କରିଥିବା ମାନିଥିଲେ । ପ୍ରଦୀପ ଓ ନନ୍ଦୁଙ୍କ ନାମରେ ଖଣ୍ଡଗିରି ଥାନା ସମେତ ତମାଣ୍ଡୋ, ଖୋର୍ଦ୍ଧା ମଡେଲ ଥାନା, କଟକ ବାଦାମବାଡ଼ି ଥାନା, ମଧୁପାଟଣା, ପୁରୀଘାଟ, କଟକ ସଦର ଆଦି ଥାନାରେ ୯ରୁ ଅଧିକ ମାମଲା ଥିବା ଥାନା ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି । ଏହି ଲୁଟେରା ଗ୍ୟାଙ୍ଗ୍ର ଅନ୍ୟ ଜଣେ ସଦସ୍ୟ ଫେରାର୍ ଅଛି । ତାକୁ ଗିରଫ କରିବା ପାଇଁ ପୁଲିସ ବିିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।
ଏହି ଲୁଟେରା ଗ୍ୟାଙ୍ଗ୍ ରାଜଧାନୀ ସମେତ ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଶତାଧିକ ବାଇକ୍ ଚୋରି କରିଥିବା ଜଣାପଡ଼ିଛି । ଦିନ ହେଉ କି ରାତି ଘରେ କେହି ନଥିବା ବେଳେ ଏମାନେ ଗ୍ରୀଲ ତାଡ଼ି ଘର ଭିତରେ ପଶି ମାତ୍ର ୨ ମିନିଟ୍ ଭିତରେ ବାଇକ୍ ଲକ୍ ଖୋଲି ଚୋରାଇ ନିଅନ୍ତି । ବାଇକ୍ଗୁଡ଼ିକୁ ସେମାନେ ନମ୍ବରପ୍ଲେଟ୍ ବଦଳାଇ ୧୦ରୁ ୧୫ ହଜାର ଟଙ୍କାରେ ବିକି ଦିଅନ୍ତି । ଏହି ଗ୍ୟାଙ୍ଗ୍ର ଆହୁରି ଅଧିକ ସଦସ୍ୟ ରହିଛନ୍ତି । ପ୍ରଦୀପ ଓ ନନ୍ଦୁ ବାଇକ୍ ଚୋରି କରିବା ପରେ ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟମାନେ ଚୋରା ବାଇକ୍କୁ ମୂଲଚାଲ କରି ବିକ୍ରି କରନ୍ତି । ପରେ ପରସ୍ପର ମଧ୍ୟରେ ଟଙ୍କା ଭାଗବାଣ୍ଟି ନିଅନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons