ବାଲେଶ୍ୱର, (ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲାରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ବାଇକ୍ ଆରୋହୀଙ୍କ ମୃତୁ୍ୟ ଘଟିଛି । ଅନ୍ୟ ଦୁଇ ଜଣ ଗୁରୁତର ହୋଇ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଚାନ୍ଦିପୁର ଥାନା ଅଧୀନ ପାଗନଈ ଠାରେ ଘଟିଥିବା ବେଳେ ଅନ୍ୟ ସୋର-କୁପାରୀ ରାସ୍ତା ପିତାକାଳିଆ ଛକରେ ହୋଇଛି । ଚାନ୍ଦିପୁରଥାନା ଅନ୍ତର୍ଗତ ପାଗନଈ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ଦ୍ୱୟ ହେଲେ ଖନ୍ତାପଡ଼ା ଥାନା ଅଧୀନ ବେଦୀପୁର ଗ୍ରାମର ଗଜେନ୍ଦ୍ର ସ’ଙ୍କ ପୁଅ ସୁବ୍ରତ(୩୦), ଧରଣୀପୁର ଗ୍ରାମର ଅମରେନ୍ଦ୍ର ମଲ୍ଲିକଙ୍କ ପୁଅ ମନୋଜ(୨୯) ।
ଦୁଇ ସାଙ୍ଗ ସୁବ୍ରତ, ମନୋଜ ପୂର୍ବାହ୍ନରେ କୌଣସି କାମରେ ବାହାରି ଆସିଥିଲେ । ସେମାନେ ରାତିରେ ସେମାନଙ୍କ ପଲସର ବାଇକ୍(ଓଡି-୦୧ଏଏଫ-୧୭୩୪)ରେ ବାଲେଶ୍ୱରରୁ ରସାଳପୁର ରାସ୍ତା ଦେଇ ଘରକୁ ଫେରୁଥିଲେ । କୁହୁଡ଼ି ଯୋଗୁଁ ଏକ ଅଜଣା ଗାଡ଼ି ସେମାନଙ୍କୁ ପାଗନଈ ନିକଟରେ ଧକ୍କା ଦେଇ ଫେରାର ହୋଇଯାଇଥିଲା । ସେମାନେ ବାଇକ୍ ସହ ପୋଲରୁ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲେ । ସେମାନଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ୧୦୮ରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ଖବରପାଇ ଚାନ୍ଦିପୁର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କର ବାଇକକୁ ଉଦ୍ଧାର କରିଥିଲା । ଏନେଇ ଥାନାରେ କେସ ନଂ ୧୨/୨୧ ଅନୁଯାୟୀ ଏକ ମାମଲା ରୁଜୁ କରିଛି । କେଉଁଥି ପାଇଁ ଦୁର୍ଘଟଣା ହୋଇଛି ସେନେଇ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଏହି ସ୍ଥାନଟି ଏବେ ଡେଥ୍ ଜୋନ୍ ପାଲଟିଛି । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ପ୍ରତିମାସ ଏଠାରେ ଦୁର୍ଘଟଣା ଘଟୁଛି । ଏହି ଅଞ୍ଚଳକୁ ଡେଥ ଜୋନ୍ ଭାବେ ଘୋଷଣା କରିବା ସହ ଚାଳକଙ୍କୁ ସତର୍କ କରାଇବା ପାଇଁ ସାଇନ୍ ବୋର୍ଡ ମାରିବାକୁ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ସେହିଭଳି ସୋର-କୁପାରୀ ରାସ୍ତା ପିତାକାଳିଆ ନିକଟରେ ସୋମବାର ଭୋର ବାହାଘର ଭୋଜିରୁ ଫେରୁଥିବା କାର୍ ସହିତ ଏକ ବାଇକ୍ ଧକ୍କା ହୋଇଥିଲା । ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତୁ୍ୟ ଘଟିଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ସୋର ମେଡିକାଲରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ଗ୍ରାମର କୈଳାସ ଦାସଙ୍କ ପୁଅ ରତ୍ନାକର, ସେହି ଗ୍ରାମର ଭ୍ରମରବର ବେହେରାଙ୍କ ପୁଅ ଅକ୍ଷୟ ଓ କୁଞ୍ଜମୋହନ ସିଂଙ୍କ ପୁଅ ରାମ ବାଇକ୍ରେ ପାଣିକୋଇଲିରୁ ବାହାଘରରେ ଯୋଗଦେଇ ନିଜ ଘର ଔପଦାକୁ ଫେରୁଥିଲେ । ଔପଦାରୁ ବାହାଘର କାର୍ଯ୍ୟରେ ଯୋଗଦେଇ ଏକ କାର୍ରେ କିଛି ଯାତ୍ରୀ ସୋର ଫେରୁଥିବା ବେଳେ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରଟି ନୟନଜୋରିକୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଯୋଗେ ଗୁରୁତର ବାଇକ୍ ଆରୋହୀମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ରତ୍ନାକରଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସୋର ପୁଲିସ୍ କାର, ବାଇକ୍ ଉଦ୍ଧାର ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି ।


Comments are closed, but trackbacks and pingbacks are open.