ବାଙ୍ଗିରିପୋଷି,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟି ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କର ଜଳାଭିଷେକ କରି ପୂଣ୍ୟ ଅର୍ଜନ ଲାଗି କରୁଥିବା ଯାତ୍ରା ସେମାନଙ୍କ ପାଇଁ ଶେଷଯାତ୍ରାରେ ପରିଣତ ହୋଇଛି । ବାଙ୍ଗ୍ିରିପୋଷି ଅଞ୍ଚଳର ୧୦ଜଣ ଯୁବକ ଏକ ଗାଡ଼ି ଯୋଗେ ଘାଟି ରାସ୍ତାରେ ଯିବ ବାଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ପ୍ରାଣ ହରାଇଛନ୍ତି ଏବଂ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଆଜିର ଏହି ଅଘଟଣ ବାଙ୍ଗିରିପୋଷି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଶ୍ରାବଣ ମାସ ଥିବାରୁ ବାଙ୍ଗିରିପୋଷି ବଜାର ଅଞ୍ଚଳର ୧୦ ଜଣ ଯୁବ ବ୍ୟବସାୟୀ ତଥା ବ୍ୟବସାୟ ପ୍ରତିଷ୍ଟାନ ସହିତ ସଂପୃକ୍ତ ଯୁବକ ମାନେ ପାଣି ଢାଳିବା ପାଇଁ ବଲାଙ୍ଗିର ଜିଲ୍ଲାରେ ଥିବା ବାବା ଗୁପ୍ତେଶ୍ୱର ପୀଠକୁ ଏକ ୪ ଚକିଆ ଫୋର୍ସ ମଟର ଗାଡି (ଓଡି୧୧ଇ୧୨୮୪)ରେ ଗତ ଶୁକ୍ରବାର ରାତିରେ ବାହାରିଥିଲେ । ଠିକ ମଧ୍ୟରାତ୍ର ସମୟ ପାଖାପାଖି ଗାଡିଟି ଦ୍ୱାରଶୁଣି ଘାଟି ଚଢୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ(ଜେଏଚ୦୨ଏଏମ୭୮୦୬) ସେମାନଙ୍କୁ ସମ୍ମୁଖ ପଟୁ ଖୁବ ଜୋରରେ ଧକ୍କା ଦେଇ ପ୍ରାୟ ପାଖାପାଖି ୨୦୦ ମିଟର ଦୂରକୁ ଘୋଷାଡି ନେଇଥିଲା । ଫଳରେ ଗାଡିରେ ବସିଥିବା ଚାଳକ ସମେତ ୧୧ ଜଣ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଭାବେ ଆହାତ ହୋଇଥିଲେ । ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଙ୍ଗିରିପୋଷି ଦମକଳ ବାହିନୀ ଏବଂ ପୁଲିସ ଆହାତ ମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ତେବେ ସେଠାରେ ଡାକ୍ତର ଗାଡି ଚାଳକ ତଥା ମାଲିକ ରଣଜିତ କୁମାର ରାମ ଏବଂ କାଉଡିଆ ଶିବ ଶଙ୍କର ସାହୁଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ, ଅନ୍ତର୍ଯ୍ୟାମୀ ବେହେରା, ଅମରେଶ ଗିରି, ସତ୍ୟନାରାୟଣ ମହାନ୍ତି, ବିଜେନ୍ଦ୍ର ସାହୁ, ରାଧାଗୋବିନ୍ଦ ମହାନ୍ତ, ଦେବାଶିଷ ରଣା ପ୍ରମୁଖ ୬ ଜଣ ଗୁରୁତର ଆହାତ ମାନଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଭୀର ଆଘାତରୁ ଅଳ୍ପକେ ବର୍ତୀ ଯାଇ ସାମାନ୍ୟ ଆହାତ ହୋଇଥିବା କିଷ୍ଣା ଦତ ଏବଂ ଅଭିଜିତ ସୋ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଥିବାର ଜଣାପଡିଛି । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଗୋପିନାଥ ସାହୁଙ୍କୁ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଛି । ଏହି ଦୁର୍ଘଟଣା ଫଳରେ ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଖଲାସି ଆହାତ ହୋଇଥିବାରୁ ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ଭର୍ତୀ କରାଯାଇଛି । ବାଙ୍ଗିରିପୋଷି ପୁଲିସ ଶବ ବ୍ୟବଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଆଜି ଦୁର୍ଘଟଣାର ଖବର ପ୍ରଚାରିତ ପରେ ସମଗ୍ର ବାଙ୍ଗିରିପୋଷିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ବ୍ୟବସାୟୀ ମାନେ ସ୍ୱତଃପ୍ରତଃ ଭାବେ ଗୋଟିଏ ଓଳି ନିଜ ନିଜ ଦୋକାନ ତଥା ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିଥିବାର ଦେଖିବାକୁ ମିଳିଥିଲା ।
Comments are closed, but trackbacks and pingbacks are open.