ଧରା ପଡ଼ିଲେ ନକଲି ନାବାର୍ଡ ଅଧିକାରୀ

Get real time updates directly on you device, subscribe now.

ବାଳକାଟି,(ବି.ବି.ନୁ୍ୟଜ୍): ବାଲିଅନ୍ତା ଥାନା ଅନ୍ତର୍ଗତ ଶିଶିଲୋ ପ୍ରାଣୀଧନ ଚିକିତ୍ସାଳୟକୁ ଆସି ନାବାର୍ଡ ଅଧିକାରୀ ବୋଲି ପରିଚୟ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି । ସେ ଜଣେ ଠକ ବୋଲି ଜଣାପଡ଼ିବା ପରେ ତାଙ୍କ ସବୁ ଚାଲ୍ ଧରାପଡ଼ିଯାଇଛି । ଆଉ ବାଳକାଟି ଫାଣ୍ଡି ପୁଲିସ ହାବୁଡ଼ରେ ପଡ଼ି ଅଟକ ଅଛନ୍ତି । ଉକ୍ତି ବ୍ୟକ୍ତି ଜଣକ ହେଲେ ବାଲେଶ୍ୱର ଜିଲ୍ଲାର ବାସିନ୍ଦା । ତାଙ୍କ ନାମ ସସ୍ମିତ୍ ସେଠୀ । ପୂରା ଘଟଣାଟି ଏହିପରି ।
ସସ୍ମିତ୍ ଆଜି ଦିନ ଗୋଟାଏ ବେଳେ ଶିଶିଲୋ ପ୍ରାଣୀଧନ କାର୍ଯ୍ୟାଳୟକୁ ଏକ ଦାମୀ ଗାଡ଼ି ଚଢ଼ି ଆସି ପହଞ୍ଚିଥିଲେ । ବେଶ ପୋଷାକ ବି ବେଶ୍ ସମ୍ଭ୍ରାନ୍ତ ଭଳି ଥିଲା । ସୁଟ୍, ବୁଟ୍, ଟାଇ ସଙ୍ଗକୁ ଚମକୁଥିବା ଜୋତା ଓ ହାତରେ ଏକ ସୁଟ୍କେଶ୍ । ସେହି ଚିକିତ୍ସାଳୟ ପାଖରେ ନିଜସ୍ୱ ଘରେ ରହୁଛନ୍ତି ପ୍ରାଣୀ ଚିକିତ୍ସକ ଡମ୍ବରୁଧର ବିଶ୍ୱାଳ । ସସ୍ମିତ୍ ଡମ୍ବରୁଙ୍କୁ ନାଁ ଧରି ଡାକିଥିଲେ । ଆଉ ଡମ୍ବରୁ ଯେମିତି ଘରୁ ବାହାରିଛନ୍ତି, ତାଙ୍କୁ ସେ ଜଣେ ନାବାର୍ଡର ଅଧିକାରୀ ବୋଲି ପରିଚୟ ଦେଇଥିଲେ । ଆଉ ପ୍ରାଣୀ ଚିକିତ୍ସା ସମ୍ପର୍କିତ ସମସ୍ତ କାଗଜପତ୍ର ଯାଞ୍ଚ କରିବାକୁ ମାଗିଥିଲେ ।
କିନ୍ତୁ ଡମ୍ବରୁଧରଙ୍କର ଉକ୍ତ ବ୍ୟକ୍ତିଙ୍କୁ ଦେଖି ସନେ୍ଦହ ହୋଇଥିଲା । କାରଣ ସେହି ବ୍ୟକ୍ତି ଜଣକ ୫ ବର୍ଷ ତଳେ ନିଜକୁ ତାଙ୍କ ବିଭାଗୀୟ ଉଚ୍ଚ ଅଧିକାରୀ ବୋଲି ପରିଚୟ ଦେଇ ୨୫୦୦ ଟଙ୍କା ଧମକାଇ ଠକିନେଇଥିଲା । ତେଣୁ ଡମ୍ବରୁଧରଙ୍କୁ ଉକ୍ତ ଠକକୁ ଚିହ୍ନିବାକୁ ଆଉ ବାକି ରହିଲାନାହିଁ । ତେଣୁ ସେ ତାଙ୍କୁ ପରିଚୟପତ୍ର ମାଗିଲେ । ଆଉ କହିଲେ ଯେ, ଆପଣ ଯଦି ନାବାର୍ଡର ଉଚ୍ଚ ଅଧିକାରୀ, ତେବେ ମୁଁ ଗଲା ମାସରୁ ଅବସର ନେଲିଣି ବୋଲି କିପରି ଜାଣି ପାରିଲେନି । ଆଉ ମୋତେ ଚିକିତ୍ସା ସମ୍ପର୍କିତ କାଗଜପତ୍ର ମାଗୁଛନ୍ତି?
ଏପରି ପ୍ରଶ୍ନ ଶୁଣି ସସ୍ମିତ୍ ହଡ଼ବଡେ଼ଇ ଯାଇଥିଲେ । ଆଉ ସେଠାରୁ ଖସିଯିବାକୁ ଉଦ୍ୟମ ବି କରିଥିଲେ । କିନ୍ତୁ ଡମ୍ବରୁଧର କି ଛାଡ଼ିବା ଲୋକ । ସେ ନିକଟସ୍ଥ ବାସିନ୍ଦାଙ୍କୁ ଡାକିପକାଇଲେ । ସେଠାକାର ଲୋକେ ସସ୍ମିତଙ୍କୁ ଘେରିଯାଇ ବାଳକାଟି ଫାଣ୍ଡିକୁ ଖବର ଦେଇଥିଲେ । ଡମ୍ବରୁଧରଙ୍କ ଏତଲା କ୍ରମେ ପୁଲିସ ସସ୍ମିତଙ୍କୁ ଅଟକ ରଖିଥିଲା । ତାଙ୍କୁ ଥାନାକୁ ନେଇ ଏବିଷୟରେ ବି ପଚରାଉଚରା କରିଥିଲା ।
ସସ୍ମିତ ବ୍ୟବହାର କରୁଥିବା ଓଡି-୦୨ ଏସ୍ ୮୦୦୧ ଗାଡ଼ିଟିକୁ ବି ପୁଲିସ ଜବତ କରିଥିଲା । ପ୍ରାଥମିକ ତଦନ୍ତରୁ ସେ ଜଣେ ଏନଜିଓ କର୍ମକର୍ତ୍ତା ବୋଲି ପୁଲିସ ଜାଣିବାକୁ ପାଇଛି । ତାଙ୍କୁ ମୁକୁଳାଇବା ପାଇଁ ଆଉ କିଛି ଲୋକ ଏକ ଦାମୀ ଗାଡ଼ିରେ ଫାଣ୍ଡିକୁ ଆସିଥିବା ମଧ୍ୟ ସୂଚନା ମିଳିଛି । ସେମାନେ ନିଜକୁ ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକ ବୋଲି ପରିଚୟ ଦେଇ ମାମଲାକୁ ରଫାଦଫା କରିବାକୁ ଚେଷ୍ଟା ଚଳାଉଥିବା ମଧ୍ୟ ସୂଚନା ମିଳିଛି । ଏହି ଘଟଣା ପ୍ରଚାର ହେବା ପରେ ବାଳକାଟି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ରୋଚକ କଥା ହେଉଛି ଉକ୍ତ ବ୍ୟକ୍ତି ଏଥର ବି ଡମ୍ବରୁଧରଙ୍କୁ ଧମକ ଚମକ ଦେଇ ପୁଣି ଅର୍ଥ ହଡ଼ପ କରିବା ଚକ୍କରରେ ଥିଲେ । ମାତ୍ର ଡମ୍ବରୁଧର ତାଙ୍କୁ ଚିହ୍ନିପକାଇବାରୁ ତାଙ୍କ ସବୁ ଚାଲାକି ଧରାପଡ଼ିଗଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons