ନକଲି ଗୋଲ୍ଡେନ୍ ବାବା ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦେହସାରା ଝୁଲୁଛି ମାଳମାଳ ଅଳଙ୍କାର । ସବୁ ସୁନା ଭଳି ଚକ୍ଚକ୍ ମାରୁଛି । ଏଭଳି ଜଣେ ଯୁବକ ନିଜକୁ ଗୋଲଡେନ୍ ବାବା ବୋଲି ପରିଚୟ ଦେଇ ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଲୁଟୁଥିଲେ । ଶେଷରେ ରେଳବାଇ ପୁଲିସ ହାବୁଡ଼ରେ ପଡ଼ି ବନ୍ଧାହେଲେ । ତାଙ୍କ ନାମ ନବକିଶୋର ନାୟକ(୩୫) । ଘର ପୁରୀ ଜିଲ୍ଲା ପିପିଲି ନାଥସାହି । ତାଙ୍କ ଠାରୁ ପୁଲିସ ୪ଟି ମୋବାଇଲ୍ ଫୋନ୍, ଏକ ସ୍କୁଟି ଗାଡ଼ି ଓ ନକଲି ସୁନା ଅଳଙ୍କାର ଜବତ କରିଛି । ତେବେ ଧରା ପଡ଼ିବା ପରେ ନବ ଷ୍ଟେସନରେ ଉତ୍ପାତ ଚଳାଇଥିଲେ । ତାଙ୍କୁ କାବୁ କରିବା ପାଇଁ ରେଳବାଇ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ରାଜଧାନୀରୁ ଅସଲି ଗୋଲ୍ଡେନ ବାବା ଗିରଫ ହେବା ପରେ ନକଲି ଗୋଲ୍ଡେନ ବାବା ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନବ କମିଶନରେଟ ପୁଲିସର କୁଇକ୍ ଆକ୍ସନ ଟିମ(କ୍ୟୁଏଟି)ର ଜଣେ ଖବରୀ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବିହାର ସୀତାମାରି ଅଞ୍ଚଳର ରାମବିନୟ ମହାତୋ ନାମକ ଜଣେ ବ୍ୟକ୍ତି ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ସେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଜଣେ ବାବାଙ୍କ ନିକଟକୁ ଆସିଥିଲେ । ଆଜି ଭୋର ସମୟରେ ରାମବିନୟ ଭୁବନେଶ୍ୱର ୬ ନମ୍ବର ପ୍ଲାଟ୍ଫର୍ମରେ ଗାଡ଼ିକୁ ଅପେକ୍ଷା କରିଥିଲେ । ଏହି ସମୟରେ ନବକିଶୋର ତାଙ୍କ ପାଖରେ ପହଞ୍ଚି ନିଜକୁ ଗୋଲ୍ଡେନ୍ ବାବା ବୋଲି ପରିଚୟ ଦେଇଥିଲେ । ସେ ପୁରୀରୁ ଆସିଛନ୍ତି । ବହୁ ଲୋକଙ୍କୁ ସେ ଝଡ଼ାଫୁଙ୍କା କରି ରୋଗ ଭଲ କରିଛନ୍ତି । ଏହି ଭଳି କଥା ହେଲାବେଳେ ହଠାତ୍ ରାମବିନୟଙ୍କ ହାତରୁ ବ୍ୟାଗ୍ ଝାମ୍ପି ନେଇ ଦୌଡ଼ିଥିଲେ । ରାମବିନୟଙ୍କ ପାଟି ଶୁଣି ଷ୍ଟେସନରେ ସାଦା ପୋଷାକରେ ଥିବା ପୁଲିସ ତାଙ୍କୁ ମାଡ଼ି ବସିଥିଲେ । ଧରାପଡ଼ିଯିବା ପରେ ନବକିଶୋର ଆରମ୍ଭ କରିଥିଲେ ଉତ୍ପାତ । ମୁଁ ଚୋର ନୁହେଁ । କମିଶନରେଟ ପୁଲିସର ଜଣେ ଖବରୀ ଓ ଏଥି ସହ ସେ ନିଜକୁ ଜଣେ ବାବା ବୋଲି ପରିଚୟ ଦେଇ ମୁଣ୍ଡକୁ କାନ୍ଥରେ ପିଟି ଚାଲିଥିଲେ । ଶେଷରେ ରେଳବାଇ ପୁଲିସ ତାଙ୍କୁ କାବୁ କରି ଥାନାକୁ ନେଇଥିଲେ । ନବକିଶୋରଙ୍କ ଠାରୁ ଲୁଟ୍ ବ୍ୟାଗ୍ ପୁଲିସ ଜବତ କରିଥିଲା । ସେଥିରେ ରାମବିନୟଙ୍କ ମୋବାଇଲ ସମେତ ୫ ହଜାର ଟଙ୍କା ଓ ଅନ୍ୟ ୩ଟି ମୋବାଇଲ ଫୋନ୍ ଥିଲା । ନବକିଶୋର ଷ୍ଟେସନ ଷ୍ଟାଣ୍ଡରେ ରଖିଥିବା ତାଙ୍କ ସ୍କୁଟିକୁ ମଧ୍ୟ ପୁଲିସ ଜବତ କରିଥିଲା । ନବକିଶୋର ଦେହରେ ପିନ୍ଧିଥିବା ଇମିଟେସନ ଅଳଙ୍କାର ଭାବେ ୧୦ଟି ଚେନ୍, ୯ଟି ମୁଦି, ୩ଟି କାନଫୁଲ ମଧ୍ୟ ରେଳବାଇ ପୁଲିସ ଜବତ କରିଥିଲା । ନବକିଶୋର ପୂର୍ବରୁ ମଧ୍ୟ ଏଭଳି ଯାତ୍ରୀଙ୍କ ମୋବାଇଲ୍ ଲୁଟ୍ପାଟ କରିଥିବା ପୁଲିସ ଜେରାରୁ ଜାଣିବାକୁ ପାଇଛି । ଆଜି ନବକିଶୋରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ନବକିଶୋର କେତେ ଲୁଟ୍ପାଟରେ ସଂପୃକ୍ତ ସେ ନେଇ ତାଙ୍କୁ ଅଧିକ ଜେରା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ରେଳବାଇ ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons