ବ୍ରହ୍ମପୁର, (ବି.ବି.ବୁ୍ୟରୋ): ବିଭିନ୍ନ ସଂସ୍ଥାରେ ମିଳୁଥିଲା ଚାକିରି । ଆପଏଣ୍ଟମେଣ୍ଟ ସହ ମିଳୁଥିଲା ମାସିକ ଦରମା । ରିଜିଓନାଲ୍ ଇନ୍ଷ୍ଟିଟୁ୍ୟଟ୍ ଅଫ୍ ଏଜୁକେସନ୍ରେ କାହାକୁ ଟିଜିଟି ତ ଆଉ କାହାକୁ ଡବ୍ଲୁଇଟି, ଲାବ୍ ଆସିଷ୍ଟାଣ୍ଟ ଏବଂ ଏମ୍ଟିଏସ୍ ପଦବିରେ ନିଯୁକ୍ତି ଦିଆଯାଉଥିଲା । କିନ୍ତୁ ଏସବୁ ଥିଲା ନକଲି । ଆସ୍ଥାଭାଜନ ପାଇଁ ମାସିକ ଦରମା ଦିଆଯାଉଥିଲା । ନକଲି ଚାକିରି ଦେଇ କୋଟି କୋଟି ଟଙ୍କା ଠକେଇ କରିଥିବା ର୍ୟାକେଟ୍କୁ ଧରିଛି ବ୍ରହ୍ମପୁର ପୁଲିସ । ସଂପୃକ୍ତ ଠକ ଗ୍ୟାଙ୍ଗ୍ର ମାଷ୍ଟର୍ ମାଇଣ୍ଡ୍ ସମେତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈଦ୍ୟନାଥପୁର ଥାନା ପୁଲିସ । ରବିବାର ଅପରାହ୍ନରେ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ଏହି ର୍ୟାକେଟ୍ର ପର୍ଦ୍ଧାଫାସ କରିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ।
ଏସ୍ପିଙ୍କ ସୂଚନା ଅନୁସାରେ ଠକେଇ ମାମଲାରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କଟିକଟା ଗ୍ରାମର ବାସିନ୍ଦା ତଥା ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧୀନ ରଙ୍ଗମାଟିଆରେ ରହୁଥିବା ରବୀନ୍ଦ୍ର କୁମାର ବେହେରା(୩୯) ଓ ତାଙ୍କ ସହଯୋଗୀ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମାଗୁରପଡା ଗୁହାଳପୁର ଗ୍ରାମର ଅରୁଣ କୁମାର ବେହେରା(୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ରବୀନ୍ଦ୍ର ରିଜିଓନାଲ୍ ଇନ୍ଷ୍ଟିଟୁ୍ୟଟ୍ ଅଫ୍ ଏଜୁକେସନ୍ରେ ଏମ୍ଟିଏସ୍ (ମଲ୍ଟି ଟାସ୍କିଂ ଷ୍ଟାଫ୍) ଭାବେ ଚାକିରି କରୁଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି । ଅଭିଯୁକ୍ତଙ୍କ ଠାରୁ ୧୦ଟି ବିଭିନ୍ନ ବ୍ୟାଙ୍କ୍ର ପାସ୍ବୁକ୍, ଏଟିଏମ୍ କାର୍ଡ, ୨୮ଟି ଆଇଡେଣ୍ଟି କାର୍ଡ, ଟ୍ୟାବଲେଟ୍ (ଏଣ୍ଡେ୍ରାଇଡ୍), ମୋବାଇଲ୍ ଫୋନ୍, ଚେକ୍ ବୁକ୍ ସହ ୨କୋଟି ଟଙ୍କାର କାରବାର ହୋଇଥିବା ଏକ ଏଗ୍ରିମେଣ୍ଟ କାଗଜ ଜବତ ହୋଇଥିବା ଏସ୍ପି ମିଶ୍ର କହିଛନ୍ତି । ବେକାର ଯୁବକ ଓ ଯୁବତୀମାନଙ୍କ ଠାରୁ ଠକି ନେଇଥିବା ଟଙ୍କାରୁ ୨ କୋଟି ଟଙ୍କା ଦେଇ ଘର କିଣିବାକୁ ଏଗ୍ରିମେଣ୍ଟ କରିଥିବା ପୁଲିସ ସନେ୍ଦହ କରୁଛି । ଗଞ୍ଜାମ ଜିଲ୍ଲାରୁ ଅଭିଯୁକ୍ତମାନେ ବହୁ ଯୁବକ ଯୁବତୀଙ୍କ ୫୦ଲକ୍ଷ ଟଙ୍କା ଠକି ନେଇଥିବା ତଦନ୍ତରେ ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୯ଜଣଙ୍କ ଠାରୁ ୩୮, ୨୦, ୦୦୦ ଟଙ୍କା ଠକେଇ ହୋଇଥିବା ହିସାବ ମିଳିଛି ।
ରାଜ୍ୟରେ ପାଞ୍ଚୋଟି ଜିଲ୍ଲାରେ ଏହି ର୍ୟାକେଟ୍ ଚେର ବିଛାଇଥିବା ବେଳେ ବ୍ରହ୍ମପୁର ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗଞ୍ଜାମ, ଅନୁଗୁଳ, ପୁରୀ, ତାଳଚେର ଓ ଯାଜପୁର ଜିଲ୍ଲାରେ ର୍ୟାକେଟ୍ କାମ କରୁଥିଲା ଏବଂ ଯାଜପୁର ଜିଲ୍ଲାର ରବୀନ୍ଦ୍ର ବେହେରା ଏହାର ମାଷ୍ଟର ମାଇଣ୍ଡ୍ ବୋଲି ଏସ୍ପି ମିଶ୍ର କହିଛନ୍ତି । ରବୀନ୍ଦ୍ର ବିଭିନ୍ନ ଜିଲ୍ଲାରେ ଏଜେଣ୍ଟ ଜରିଆରେ ବେକାର ଯୁବକ ଓ ଯୁବତୀଙ୍କୁ ମୋହରା ବନାଉଥିଲେ । ସେମାନଙ୍କୁ ସରକାରୀ ସଂସ୍ଥାରେ ଚାକିରି କରାଇଦେବାକୁ କହି ୫୦ହଜାର ଟଙ୍କାରୁ ଆରମ୍ଭ କରି ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗୁଥିଲେ । ଯୁବକ ଓ ଯୁବତୀଙ୍କ ବିଶ୍ୱାସ ଜିତିବା ପାଇଁ ସେ ବ୍ୟାଙ୍କ୍ ଆକାଉଣ୍ଟ, ଅନ୍ଲାଇନ୍ରେ ଯଥା- ଆର୍ଟିଜିଏସ୍ ଏବଂ ଏନ୍ଇଏଫ୍ଟିରେ ଟଙ୍କା ନେଉଥିଲେ । ଯେଉଁ ଆକାଉଣ୍ଟରେ ଟଙ୍କା ନେଣଦେଣ ହୋଇଛି ପୁଲିସ ତାହା ଜବତ କରିଛି । ରବୀନ୍ଦ୍ର ଯେଉଁ ମାନଙ୍କ ଠାରୁ ଟଙ୍କା ନେଉଥିଲେ ସେମାନଙ୍କୁ ବିଭିନ୍ନ ସଂସ୍ଥାର ଆପଏଣ୍ଟମେଣ୍ଟ ଲେଟର, ଆଇଡେଣ୍ଟି କାର୍ଡ ଦେଉଥିଲେ । କେଉଁ ଜାଗାରେ ପୋଷ୍ଟିଂ ହେବା ଧାର୍ଯ୍ୟ ହୋଇନାହିଁ ବୋଲି କହୁଥିଲେ ଏବଂ କେତେକଙ୍କୁ ଦରମା ମଧ୍ୟ ଦେଉଥିଲେ । ୫୦ଜଣଙ୍କ ଠାରୁ ଏଭଳି ୫୦ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ସନେ୍ଦହ କରାଯାଉଛି । ଏହି ବଡ଼ ର୍ୟାକେଟ୍କୁ ଧରିଥିବାରୁ ଏସ୍ପି ମିଶ୍ର ବ୍ରହ୍ମପୁର ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି, ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶ ଓ ଏସ୍ଆଇ ବି କେ ଭୂୟାଁଙ୍କୁ ସାବାସୀ ଦେଇଛନ୍ତି ।
ବ୍ରହ୍ମପୁର ଗୋଇଲୁଣ୍ଡି କୃଷ୍ଣ ନଗରର ପୂର୍ଣ୍ଣିମା ବେହେରାଙ୍କ ପୁଅ ଦୁର୍ଗା ପ୍ରସାଦ ବେହେରା ଓ ଝିଅ ଶୁଭସ୍ମିତା ବେହେରାଙ୍କୁ ସରକାରୀ ସଂସ୍ଥାରେ ଚାକିରି ଦେବାକୁ ୧୧ଲକ୍ଷ ଟଙ୍କା ନେଇଥିଲେ ରବୀନ୍ଦ୍ର । ଦୁଇଜଣଙ୍କୁ ରିଜିଓନାଲ୍ ଇନ୍ଷ୍ଟିଟୁ୍ୟଟ୍ ଅଫ୍ ଏଜୁକେସନ୍ର ଆପଏଣ୍ଟମେଣ୍ଟ ଲେଟର ବି ଦେଇଥିଲେ । ଶୁଭସ୍ମିତା ଓ ଦୁର୍ଗା ଆପଏଣ୍ଟମେଣ୍ଟ ଲେଟର ପାଇବା ପରେ ନକଲି ବୋଲି ଜାଣିବାକୁ ପାଇଥିଲେ ଏବଂ ଏ ସମ୍ପର୍କରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ପୂର୍ଣ୍ଣିମାଙ୍କ ଅଭିଯୋଗକୁ ଆଧାର କରି ବୈଦ୍ୟନାଥପୁର ଥାନା କେସ୍ ନମ୍ବର ୨୦/୨୦୨୦ରେ ମାମଲା ରୁଜୁ ହୋଇଥିଲା । ଆଇଆଇସି ଶାରଦା ପ୍ରସନ୍ନ ଦାଶଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ତଦନ୍ତ । ଆଇଆଇସିଙ୍କ ଟିମ୍ ଭୁବନେଶ୍ୱରରେ ପହଞ୍ଚି ରବୀନ୍ଦ୍ରଙ୍କୁ ଗିରଫ କରିବା ପରେ ସବୁ ରହସ୍ୟ ପଦାକୁ ଆସିଥିଲା । ସେ ଠକେଇ ସମ୍ପର୍କରେ ସ୍ୱୀକାର କରିବା ସହ କେଉଁ କେଉଁ ଅଞ୍ଚଳରୁ ଟଙ୍କା ନେଇଛି ସବୁ ଓଗାଳି ଦେଇଛି । ଗଞ୍ଜାମରେ ଅରୁଣ ବେହେରାକୁ ସେ ଏଜେଣ୍ଟ ଭାବେ କାମ କରାଉଥିଲା ବୋଲି କହିବା ସହ କେଉଁ ମାନଙ୍କ ଠାରୁ ଟଙ୍କା ନେଇଛି ପୁଲିସ ଆଗରେ ପ୍ରକାଶ କରିଛି । ଏଭଳି ଠକଙ୍କ ଠାରୁ ଦୂରେଇ ରହିବା ପାଇଁ ଏସ୍ପି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି । କଷ୍ଟ ଅର୍ଜିତ ଟଙ୍କାକୁ ଏଭଳି ଲୋକଙ୍କୁ ଦିଅନ୍ତୁ ନାହିଁ ଏବଂ ଠିକ୍ ଉପାୟରେ ଚାକିରି ପାଇବାକୁ ଚେଷ୍ଟା କରନ୍ତୁ ବୋଲି ଏସ୍ପି କହିଛନ୍ତି । ଯଦି କେହି ଚାକିରି ପାଇଁ ଯଙ୍କା ମାଗୁଛନ୍ତି ତୁରନ୍ତ ପୁଲିସରେ ଜଣାଇବା ପାଇଁ ଏସ୍ପି ପରାମର୍ଶ ଦେଇଛନ୍ତି । ଏହି ଠକେଇ ରାଜ୍ୟର ପାଞ୍ଚୋଟି ଜିଲ୍ଲାରେ ହୋଇଥିବା ବେଳେ ଅଭିଯୁକ୍ତ ରବୀନ୍ଦ୍ର କେତେକ ଯୁବକ ଓ ଯୁବତୀଙ୍କୁ ଚେକ୍ ଦେଇଛି । ସେହି ଚେକ୍ ବାଉନ୍ସ ହେବା ପରେ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଥିବା ସୂଚନା ମିଳିଛି ।


Comments are closed, but trackbacks and pingbacks are open.