ନକଲି ତେଲ କାରଖାନା ଠାବ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ଭାବେ ପରିଚିତ ରାୟଗଡ଼ା ସହରରେ ସୋମବାର ଏକ ନକଲି ଖାଇବା ତେଲ କାରଖାନା ଠାବ ହୋଇଛି । କାରଖାନାରୁ ପ୍ରଚୁର ତେଲ ଜବତ ହୋଇଛି । ଏହି ମାମଲାରେ ପୁଲିସ ଜଣକୁ ଅଟକ ରଖିଛି । ଅଭିଯୋଗ ପରେ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଚଢ଼ାଉ କରି କାରଖାନା ଠାବ କରିଛନ୍ତି । ଜବତ ତେଲେ ନକଲି କି ଅସଲି ଜଣା ପଡିନି । ସ୍ୱାସ୍ଥ୍ୟ ବିଭାଗ ଏହାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଲାବୋରାଟୋରିକୁ ପଠାଇଛି । ଅଟକ ବ୍ୟକ୍ତି ହେଲେ ସ୍ଥାନୀୟ ଅଞ୍ଚଳର ଟି.ଦୁର୍ଗା ପ୍ରସାଦ । କାରଖାନାରେ ଯବାନ ମୂତୟନ କରାଯାଇଛି । ଫଳରସ ପ୍ୟାକିଂ ନାଁରେ କାରଖାନା ଚାଲୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନା ଅନୁସାରେ, ସହରର ଗୌତମନଗର ପ୍ରଥମ ଲେନରେ ରହୁଥିବା ତାଙ୍ଗୁଡ଼ୁ ଅଶୋକ ନାମକ ଜଣେ ବ୍ୟକ୍ତି ଦୁର୍ଗା ଶ୍ରୀ ପ୍ୟାକର୍ସ ସଂସ୍ଥା କରିଛନ୍ତି । ଫଳରସ ପ୍ୟାକିଂ ପାଇଁ ଏହି ସଂସ୍ଥାକୁ ଅନୁମତି ମିଳିଥିଲା । ରାୟଗଡ଼ା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୬ ରେ ଏହି ଅନୁମତି ମିଳିଥିଲା । ତେବେ ସେଠାରେ ଫଳରସ ପ୍ୟାକିଂ ବଦଳରେ ତେଲ ଉତ୍ପାଦନ ସହ ଏହାର ପ୍ୟାକିଂ କରାଯାଉଥିଲା । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ଆଜି ସକାଳୁ ଗୌତମନଗରସ୍ଥିତ ଉକ୍ତ ଘର ଉପରେ ଚଢ଼ାଉ ହୋଇଥିଲା । ଚଢ଼ଉ ବେଳେ ଗୃହରେ ବିପୁଳ ପରିମାଣରେ ତେଲ ରହିଥିବା ନଜରକୁ ଆସିଥିଲା । ତୁରନ୍ତ ସମସ୍ତ ତେଲକୁ ପୁଲିସ ନିଜ ଜିମାକୁ ନେଇ ସେଠାରେ ଯବାନଙ୍କୁ ମୂତୟନ କରିଥିଲା । ଗୋଟିଏ ବାr ତେଲକୁ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ଏହି ବାକ୍ସରୁ କିଛି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇଥିବା ଜିଲ୍ଲା ଜନସ୍ୱାସ୍ଥ୍ୟ ଅ%ିକାରୀ ଡ଼ାକ୍ତର ଭି.ଲୋକନାଥ ରାଜୁ କହିଛନ୍ତି । ଘଟଣାକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଥିବା ଜିଲ୍ଲା ଖାଦ୍ୟ ନିରୀକ୍ଷକ ଜିତେନ୍ଦ୍ର କୁମାର ମହାନ୍ତ କହିଛନ୍ତି । ଏହି ଘଟଣାରେ ଉକ୍ତ ବ୍ୟବସାୟ କରୁଥିବା ତାଙ୍ଗୁଡ଼ୁ ଅଶୋକଙ୍କ ପୁଅ ଟି.ଦୁର୍ଗା ପ୍ରସାଦଙ୍କୁ ପୁଲିସ ଅଟକ ରଖିଛି । ନମୁନାର ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚଢ଼ଉ କରିଥିବା ଏସ୍ଆଇ ରିଗାନ କିଣ୍ଡୋ କହିଛନ୍ତି । ତେଲ ନମୁନା ନକଲି ଅବା ଅସଲି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଚଢ଼ଉ ବେଳେ ଟିଣ ଡବା ଓ ପଲିଥିନ ପ୍ୟାକରେ ବିପୁଳ ପରିମାଣରେ ରନ୍ଧା ତେଲ ମିଳିଛି । ତେଲ ମୁଖ୍ୟତଃ ଗ୍ରାମାଞ୍ଚଳ ସହ ବିଭିନ୍ନ ହାଟକୁ ବିକ୍ରି ପାଇଁ ଯୋଗାଣ ହେଉଥିବା ଜଣାପଡିଛି । ଚଢ଼ଉ ସମୟରେ ଉକ୍ତ ଘର ସମ୍ମୁଖରେ ଏକ ଗାଡ଼ିରେ ମଧ୍ୟ ତେଲ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଛି ।
ଦୀର୍ଘ ୪ ବର୍ଷ ହେଲା ଏହି କାରଖାନାକୁ ଅନୁମତି ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଲାଇସେନ୍ସ ପ୍ରଦାନ ପରେ ସ୍ୱାସ୍ଥ୍ୟ ବିଭାଗ କାହିଁକି ଯାଞ୍ଚ କରୁ ନଥିଲା । ଏହା ପଛର ରହସ୍ୟ ତଦନ୍ତ ସାପେକ୍ଷ ବୋଲି ଏବେ ଆଲୋଚନା ହେଉଛି । କେବଳ ଏହି ଘଟଣା ନୁହେଁ ଲଗାତାର ସହରରେ ନକଲି ସାମଗ୍ରୀର କାରବାର ବଢ଼ି ଚାଲିଥିବା ଲୋକେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons