ଝରିଗାଁ,(ବି.ବି.ନ୍ୟୁଜ): ନଦୀନାଳ ଡେଇଁ ସ୍କୁଲ୍ ଯାଉଛନ୍ତି କୁନି କୁନି ପିଲା । ବର୍ଷା ହେଲେ ବହିବସ୍ତାନିରେ ବନ୍ଧାଯାଉଛି ଡୋରି । ସ୍କୁଲ ଯାଇଥିବା ବେଳେ ବର୍ଷାହେଲେ ଆରପାରିରେ ରହୁଥିବା ସମ୍ପର୍କୀୟଙ୍କ ଘରେ ନହେଲେ ସ୍କୁଲରେ ରହିବାକୁ ପଡୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝରିଗାଁ ବ୍ଲକ ତଥା ସଦର ପକ୍ରାୟତର ପୋଡପରା ଗାଁରେ । ଗାଁକୁ ଯିବା ଲାଗି ଆଜି ପର୍ୟ୍ୟନ୍ତ ପକ୍କା ରାସ୍ତାଟିଏ ନାହିଁ । କାଦୁଅ ପଚପଚ ପାଦଚଲା ରାସ୍ତାରେ ହିଁ ଯାତାୟାତ କରିବାକୁ ପଡୁଛି । ନାଳ ପାଣି ଭିତରେ ପଶି ପିଲା ଯାଉଛନ୍ତି ୩ କିମି ଦୂରରେ ଥିବା ସ୍କୁଲ ଏବଂ ଅଙ୍ଗନବାଡ଼ିକୁ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ହେଉନି । ତେଣୁ କୌଣସି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ ।
ପୋଡପରା ଗାଁରେ ରହୁଛନ୍ତି ୪୦ ଆଦିବାସୀ ପରିବାର । ଲୋକସଂଖ୍ୟା ଦେଢ ଶହରୁ ଅଧିକ । ଗାଁକୁ ରାସ୍ତା ନଥିବା ବେଳେ ଅଙ୍ଗନବାଡି ଓ ସ୍କୁଲ ମଧ୍ୟ ନାହିଁ । ଫଳରେ ୧୦ରୁ ଅଧିକ କୁନି କୁନି ପିଲାଙ୍କୁ ଗାଁଠାରୁ ୩କିମି ଦୂରରେ ଥିବା ହାତୀବାଡି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ପଡୁଛି । ବର୍ଷା ଚାରିମାସ ପିଲାଙ୍କ ପାଠପଢାରେ ନାହିଁନଥିବା ଅସୁବିଧା ହେଉଛି । ସ୍କୁଲ ଯିବା ବାଟରେ ରହିଛି ନାଳ । ଗାଁ ଲୋକଙ୍କ ସୂଚନା ଅନୁଯାୟୀ, ବର୍ଷା ହେଲେ ନାଳ ଭରିଯାଉଛି, ସୁଅ ଛୁଟୁଛି । ଅଧିକ ପାଣି ହୋଇଗଲେ ପାଠପଢା ବନ୍ଦ । ଆଉ ସ୍କୁଲ ଯାଇ ଫେରିବା ବେଳକୁ ବର୍ଷା ନାଳ ଭରିଗଲେ, ଆରପାରିରେ ରହୁଥିବା ସଂପର୍କୀୟଙ୍କ ଘରେ ରାତି ବିତାଇବାକୁ ପଡୁଛି । ନାଳ ପାରି ହେବା ସମୟରେ କେତେକ ପିଲାଙ୍କୁ ସେମାନେ ଉଦ୍ଧାର କରିଥିବା କହିଛନ୍ତି ଗ୍ରାମବାସୀ । ଏ ସମ୍ପର୍କରେ ପକ୍ରାୟତ ନିର୍ବାହୀ ଅଧିକାରୀ ଦେବାଶିଷ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଚଳିତବର୍ଷ ବର୍ଷାଦିନ ସରିଲେ ଏହି ରାସ୍ତା ନିର୍ମାଣ ପାଇଁ ଯୋଜନା ରହିଛି । ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଏହି ରାସ୍ତା ସମ୍ପର୍କରେ ଅବଗତ କରାଯାଇଛି ।
Comments are closed, but trackbacks and pingbacks are open.