ନନ୍ଦନକାନନ ଆସିଲେ ୮ ଆନାକୋଣ୍ଡା, ୩ ନାଇଲ୍ କୁମ୍ଭୀର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସି ପହଞ୍ଚିଛନ୍ତି ୮ଟି ଆନାକୋଣ୍ଡା ଓ ୩ଟି ନାଇଲ୍ କୁମ୍ଭୀର । ୮ଟି ଆନାକୋଣ୍ଡା ମଧ୍ୟରେ ରହିଛନ୍ତି ୪ଟି ମାଈ ଓ ୪ଟି ଅଣ୍ଡିରା । ନାଇଲ୍ କୁମ୍ଭୀର ୩ଟି ଯାକ ମାଈ ବୋଲି ଜଣାପଡିଛି । ଆନାକୋଣ୍ଡା ଗୁଡ଼ିକ ହଳଦିଆ ପ୍ରଜାତିର ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏମାନଙ୍କ ଲମ୍ବ ୪ ଫୁଟ୍ ଓ ବୟସ ୧ ବର୍ଷରୁ ସାମାନ୍ୟ ଅଧିକ ହେବ ।

ସେହିପରି ନାଇଲ୍ କୁମ୍ଭୀରଙ୍କ ଲମ୍ବ ୨.୫ ଫୁଟ୍ ହୋଇଥିବା ବେଳେ ଏମାନଙ୍କ ବୟସ ମଧ୍ୟ ୧ ବର୍ଷ ବୋଲି ସୂଚନା ମିଳିଛି । ନନ୍ଦନକାନନରୁ ଏଥିପାଇଁ ଏକ ଟିମ୍ ଗତ ୧୫ ତାରିଖରେ ମାଡ୍ରାସ କ୍ରୋକୋଡାଇଲ୍ ବ୍ୟାଙ୍କ ଟ୍ରଷ୍ଟ୍ ଅଭିମୁଖେ ଯାତ୍ରା କରିଥିଲେ । ନିଜସ୍ୱ ଦୁଇଟି ଗାଡ଼ି ସେମାନେ ନେଇଥିଲେ । ସେଥିରୁ ଗୋଟିଏ ଥିଲା ପିକପ୍ ଭ୍ୟାନ୍ ଯେଉଁଥିରେ ଏହି ଟିମ୍ ଆନାକୋଣ୍ଡା ପାଇଁ ୧ଟି ବାକ୍ସ, ନାଇଲ୍ କୁମ୍ଭୀର ପାଇଁ ୩ ଟି ବାକ୍ସ ନେଇ ଯାଇଥିଲେ ।
ଏହି ଟିମ୍ରେ ଥିଲେ ଅମୂଲ୍ୟ କୁମାର ପରିଡ଼ା(ଏସିଏଫ୍), ଡାକ୍ତର ଦେବବ୍ରତ ମହାପାତ୍ର, ସୁଜିତ କୁମାର ଜେନା(ଫରେଷ୍ଟ ଗାର୍ଡ), ପଠାଣୀ ଜେନା(ଯନ୍ତୁରକ୍ଷକ) । ସମସ୍ତ ପ୍ରକାର ପ୍ରକ୍ରିୟା ଶେଷ କରି ଉକ୍ତ ଟିମ୍ ମାଡ୍ରାସରୁ ୧୧ଟି ଜନ୍ତୁଙ୍କୁ ନେଇ ଆଜି ସନ୍ଧ୍ୟା ୫.୪୫ ମିନିଟ୍ରେ ନନ୍ଦନକାନନରେ ପହଞ୍ଚିଥିଲେ । ଆନାକୋଣ୍ଡା ଓ କୁମ୍ଭୀରଙ୍କୁ ଆଜି ସରୀସୃପ ଖୁଆଡ଼ ପାଖରେ ରଖାଯାଇଛି ।

କାଲିଠାରୁ ୨/୩ ଦିନ ପର୍ଯ୍ୟନ୍ତ ଏମାନଙ୍କୁ ସ୍ୱତନ୍ତ୍ର ସେଲରେ ରଖାଯିବ । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କାଲି କରାଯିବ ବୋଲି ଡାକ୍ତର କହିଛନ୍ତି । ତା’ପରେ ଉଭୟ ଆନାକୋଣ୍ଡା ଓ ନାଇଲ୍ କୁମ୍ଭୀର ପାଇଁ ସ୍ୱତନ୍ତ୍ର ଖୁଆଡ଼ କରାଯାଇ ସେଠାରେ ରଖାଯିବ ।
ସୂଚନାଯୋଗ୍ୟ ଆଗରୁ ନନ୍ଦନକାନନରେ ମୋଟ୍ ୧୫୬ ପ୍ରଜାତିର ପ୍ରାଣୀ ଥିଲେ । ଏବେ ଏହି ଦୁଇ ପ୍ରଜାତି ମିଶି ୧୫୮ ହେଲା । ତା’ ସହିତ ଖୁଆଡ଼ ସଂଖ୍ୟା ୨୦୦ ଥିବା ବେଳେ ଏଇ ଦୁଇ ନୂଆ ପ୍ରଜାତି ଲାଗି ପ୍ରସ୍ତୁତ ଖୁଆଡ଼ ମିଶି ୨୦୨ ହେଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons