ନବଯୌବନ ଦର୍ଶନରେ ଅଘଟଣ: ମହିଳା ଭକ୍ତଙ୍କୁ ରକ୍ତାକ୍ତ କଲା ପୁଲିସ

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ଦୀର୍ଘ ୧୫ ଦିନ ଧରି ମହାପ୍ରଭୁଙ୍କୁ ଦେଖି ନ ଥିଲେ । କଳା ଠାକୁରଙ୍କୁ ନ ଦେଖି ବିକଳ ହୋଇପଡ଼ିଥିଲେ । ମଙ୍ଗଳବାର ଥିଲା ଠାକୁରଙ୍କ ନବଯୌବନ ଦର୍ଶନ । ତେଣୁ ଯାଜପୁରରୁ ଧାଇଁ ଆସିଥିଲେ ତାଙ୍କର ଅପୂର୍ବ ରୂପକୁ ଦେଖିବା ପାଇଁ । ଭିଡ ଭିତରେ ପଶି ମହାବାହୁଙ୍କ ଦର୍ଶନ ବେଳେ ଭାବବିହ୍ୱଳିତ ହୋଇପଡିଥିଲେ । ଠିକ୍ ଏତିକିବେଳେ ପିଟିଲା ପୁଲିସ । ମହାପ୍ରଭୁଙ୍କ ସାମ୍ନାରେ ଲହୁ ଲୁହାଣ ହେଲେ ଭକ୍ତ । ଆହତ ଭକ୍ତ ଜଣକ ଯାଜପୁରର ରାଜଲକ୍ଷ୍ମୀ ପଣ୍ଡା (୩୫) ।
ଅପରାହ୍ନ ପ୍ରାୟ ୪ଟା । ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଚାଲିଥିଲା । ଠିକ୍ ସେହି ସମୟରେ ରାଜଲକ୍ଷ୍ମୀ ପରିବାର ଲୋକଙ୍କ ସହ ସିଂହଦ୍ୱାର ଦେଇ ଭିତରକୁ ଯାଇଥିଲେ । ଭିତର କାଠ ନିକଟରେ ଠାକୁରଙ୍କ ଦର୍ଶନ କରିବାବେଳେ ଭିଡ଼ ବଢିଥିଲା । ଏହି ସମୟରେ କିଛି ପୁଲିସ ସେଠାରେ ଭିଡ଼ ନିୟନ୍ତ୍ରଣ କରୁଥିଲେ । ଭିଡ଼ ନିୟନ୍ତ୍ରଣ ବେଳେ ପୁରୁଷ ପୁଲିସ ରାଜଲକ୍ଷ୍ମୀଙ୍କୁ ଠେଲାପେଲା କରିଥିବା ସେ କହିଛନ୍ତି । ଏହାକୁ ବିରୋଧ କରିଥିଲେ ରାଜଲକ୍ଷ୍ମୀ ଓ ତାଙ୍କ ପରିବାର । ତେଣୁ ମହାପ୍ରଭୁଙ୍କ ସମ୍ମୁଖରେ ରାଜଲକ୍ଷ୍ମୀ ଓ ପୁଲିସ ହେଲେ ମୁହାଁମୁହିଁ । ଏଥିରେ ଉତ୍କ୍ଷିପ୍ତ ହୋଇ ପୁରୁଷ ପୁଲିସ ଜଣକ ରାଜଲକ୍ଷ୍ମୀଙ୍କୁ ଗାଳିଗୁଲଜ କରିବା ସହ ମୁହଁକୁ ମାଡ଼ ମରିଥିବା ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ଫଳରେ ତାଙ୍କ ଡାହାଣ ପାଶ୍ୱର୍ ଆଖିପତା ଫାଟିଗଲା । ପ୍ରବଳ ରକ୍ତସ୍ରାବ ମଧ୍ୟ ହେଲା । ଭୋ ଭୋ ହୋଇ କାନ୍ଦିଥିଲେ ରାଜଲକ୍ଷ୍ମୀ ।
ଠାକୁରଙ୍କ ଦର୍ଶନବେଳେ ରକ୍ତାକ୍ତ ହୋଇ ପୁଣି ସେ ବାଇଶି ପାହାଚରେ ଓହ୍ଲାଇଥିଲେ । ସିଂହଦ୍ୱାର ଦେଇ ବାହାରକୁ ଆସିବା ପରେ ପୁଲିସ ତାଙ୍କୁ ଘେରିଯାଇଥିଲା । ଯେହେତୁ ପୁଲିସ ମାଡ଼ରେ ସେ ଲହୁଲୁହାଣ ହୋଇଛନ୍ତି, ତେଣୁ ଉପସ୍ଥିତ ପୁଲିସ ତାଙ୍କୁ ସିଂହଦ୍ୱାର ଫାଣ୍ଡିକୁ ନେଇଯାଇଥିଲା । କିନ୍ତୁ ଏହି ଘଟଣା କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ନଜରରେ ପଡିଯାଇଥିଲା । ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ତାଙ୍କୁ ଘେରିଯାଇଥିବାବେଳେ ରାଜଲକ୍ଷ୍ମୀ ସମସ୍ତ ଘଟଣା କହିଥିଲେ । ସମ୍ପୃକ୍ତ ପୁଲିସ ବିରୁଦ୍ଧରେ ଏତଲା ଦେବାକୁ କ୍ୟାମେରା ସମ୍ମୁଖରେ କହିଥିଲେ ।
ଏହାପରେ ପ୍ରାଥମିକ ଚିକିତ୍ସା କରାଇ ସିଂହଦ୍ୱାର ଥାନାକୁ ଗଲେ ରାଜଲକ୍ଷ୍ମୀ ଓ ତାଙ୍କ ପରିବାର । କିନ୍ତୁ ସେଠାରୁ ବାହାରିବା ପରେ ରାଜଲକ୍ଷ୍ମୀ ଥିଲେ ନିରବ । ଏନେଇ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ ମଲ୍ଲିକ କୁହନ୍ତି, ନବଯୌବନ ଦର୍ଶନ ପାଇଁ ପ୍ରବଳ ଭିଡ଼ ଥିଲା । ପୁଲିସ ସେଠାରେ ଭିଡ ନିୟନ୍ତ୍ରଣବେଳେ ଅଜାଣତରେ ମହିଳା ଭକ୍ତଙ୍କ ଆଖିପତା ଫାଟିଯାଇଥିଲା । କୌଣସି ରାଗରୋଷରେ ଏଭଳି ଘଟିନଥିବା ସେ କହିଛନ୍ତି । ବୁଝାଶୁଝା ପରେ ସେ ଏତଲା ନ ଦେଇ ଫେରିଯାଇଛନ୍ତି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons