ଜଗତସିଂହପୁର: ମୃତଦେହ ମିଳିବାର ୩ ଦିନ ବିତିଲାଣି । ହେଲେ ଏପର୍ୟ୍ୟନ୍ତ ହତ୍ୟାକାରୀକୁ ଧରିବା ତ ଦୂରେ ଥାଉ ମୃତଦେହ ନିହାରିକାଙ୍କର ବୋଲି ସ୍ପଷ୍ଟ କରିନି ପୋଲିସ ।
ସେଥିପାଇଁ ଆଜି ନିହାରିକା ବାପା-ମାଆଙ୍କ ଡିଏନଏ ଟେଷ୍ଟ କରାଯିବ । ଗତକାଲି ନିହାରିକାଙ୍କ ଶବ ସଂସ୍କାର ପୂର୍ବରୁ ଆବଶ୍ୟକୀୟ ସାମ୍ପୁଲ ରଖାଯାଇଛି । ଆଜି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ନିହାରିକାଙ୍କ ବାପା ଓ ମାଆଙ୍କ ରକ୍ତ ନମୂନା ସଂଗ୍ରହ କରାଯିବ । ଏଥିପାଇଁ ବିରିଡି ପୋଲିସ ରାଜଧାନୀରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ, ନିହାରିକାଙ୍କ ଶବକୁ ତାଙ୍କ ପରିବାର ଚିହ୍ନଟ କରିସାରିଛନ୍ତି । ତେବେ ଶବର ମୁହଁଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପୋଲିସ ଡିଏନଏ ଟେଷ୍ଟ ମାଧ୍ୟମରେ ଶବଟି ନିହାରିକାଙ୍କର ବୋଲି ଆଇନଗତ ଭାବେ ସାବ୍ୟସ୍ତ କରିବାକୁ ଚାହୁଁଛି । ବିଲୁଆଖାଇ ନଦୀ ପଠାରୁ ମିଳିଥିବା ବସ୍ତା ଭିତରେ ଶବ ଥିଲା । ତେବେ ଶବର ମୁହଁଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ପୋଲିସ ସନ୍ଦେହ କରୁଛି ହତ୍ୟାକାରୀ କରିବା ପରେ ପ୍ରମାଣ ଲୁଚାଇବା ପାଇଁ ଶବର ମୁହଁରେ କୌଣସି ଜ୍ବଳନଶୀଳ ରାସାୟନିକ ପଦାର୍ଥ ପକାଇ ନଷ୍ଟ କରିଦେଇଛି ।
ହତ୍ୟା ପଛରେ ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଚନ୍ଦ୍ର ଆଞ୍ଚଲ ଓରଫ ରାଜାର ହାତ ଅଛି ବୋଲି ପରିବାର ଲୋକେ ଲିଖିତି ଅଭିଯୋଗ କରିଛନ୍ତି । ପୋଲିସ ରାଜା ଓରଫ କିଶୋରକୁ ଖୋଜୁଛି। କିନ୍ତୁ ତାର ପତ୍ତା ପାଉନି।
ନିହାରିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଭିଙ୍ଗାରପୁରର ଏବେ ଶୋକାକୂଳ ପରିବେଶ । ଅପେକ୍ଷା କରିଛନ୍ତି ପୋଲିସର ଖୁଲାସାକୁ।
Comments are closed, but trackbacks and pingbacks are open.