ନାକଚଣା ଦ୍ୱାରରେ ଦର୍ପଦଳନ, ତାଳଧ୍ୱଜ

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ଆଷାଢ଼ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିର ପରମ୍ପରା ମୁତାବକ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହି ତିଥିରେ ମଙ୍ଗଳବାର ରଥ ଦକ୍ଷିଣ ମୋଡ଼ କରାଯାଇଛି । ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ବଢ଼ିବା ପରେ ତିନି ରଥକୁ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରିଥିଲେ । ଆଜ୍ଞାମାଳ ବିଜେ ବେଳେ ତିନିରଥ ସିଂହଦ୍ୱାରରେ ଠିଆ ହୋଇଥିଲା । ଗୁଣ୍ଡିଚା ମନ୍ଦିର ସକାଳ ଧୂପ ଓ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତିରେ ବିଳମ୍ବ ହୋଇଥିଲା । ଏହି କାରଣରୁ ତିନି ରଥ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଲାଗି ପାରି ନ ଥିଲା । ଦେବୀ ରଥ ଏବଂ ବଡଠାକୁରଙ୍କ ରଥ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ଦକ୍ଷିଣମୋଡ଼ରେ ଶରଧାବାଲିରେ ଠିଆ ହୋଇଥିଲେ । ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସାମ୍ନାରେ ଅଟକି ରହିଥିଲା । ମହାପ୍ରଭୁଙ୍କ ଆଜ୍ଞାମାଳ ଦୁଇ ଘଣ୍ଟା ବିଳମ୍ବରେ ରଥଖଳାକୁ ବିଜେ କରିଥିଲା । ଏହା ପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପ୍ରଥମେ ଦକ୍ଷିଣ ମୋଡ଼ ପାଇଁ ଅପରାହ୍ନ ୩ଟା ୫ ମିନିଟରେ ଟଣା ଯାଇଥିଲା । ରଥ ଡାହୁକଙ୍କ ଡାକ, ଘଣ୍ଟୁଆଙ୍କ ଘଣ୍ଟ ବାଦନର ତାଳେ ତାଳେ ରଥଟଣା ଆରମ୍ଭ ହୋଇଥିଲା । ପୁଲିସ, ମନ୍ଦିର କର୍ମଚାରୀ, ବିଶ୍ୱକର୍ମା, ଭୋଇ ସେବକ ରଥ ଟାଣି ନେଇଥିଲେ । ଏଥିପାଇଁ ବଡ଼ଦାଣ୍ଡରେ ନଈ ବାଲି ପକାଯାଇ ରଥ ମୋଡ଼ ନେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଶରଧାବାଲିରୁ ବଡ଼ଦାଣ୍ଡ ବଡ଼ଶଙ୍ଖ ପୂର୍ବରୁ ଦେବୀ ରଥ ମୋଡ଼ ନେଇଥିଲା । ଏହା ପରେ ଦେବୀ ରଥ ଶ୍ରୀଗୁଣ୍ଡିଚା ନାକଚଣା ଦ୍ୱାର ସାମ୍ନା ଶରଧାବାଲିରେ ପ୍ରଭୁଙ୍କ ଅପେକ୍ଷାରେ ଦକ୍ଷିଣ ମୋଡ଼ରେ ଠିଆ ହୋଇଥିଲା ।
ଦେବୀରଥ ପଛେ ପଛେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥକୁ ଅପରାହ୍ନ ୪ଟା ୪୦ ମିନିଟରେ ଟଣା ଆରମ୍ଭ ହୋଇଥିଲା । ସଂଧ୍ୟା ୫ଟା ସୁଦ୍ଧା ବଡ଼ଠାକୁରଙ୍କ ରଥ ତାଳଧ୍ୱଜ ଦକ୍ଷିଣ ମୋଡ଼ରେ ନାକଚଣା ଦ୍ୱାର ଠାରେ ଲାଗିଥିଲା । ସନ୍ଧ୍ୟା ଆସନ୍ନ ହେବାରୁ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଠାରେ ଅଟକି ରହିଥିଲା । ବୁଧବାର ସିଂହଦ୍ୱାରରୁ ନନ୍ଦିଘୋଷ ରଥକୁ ଟଣା ଯାଇ ଶରଧାବାଲି ନାକଚଣା ଦ୍ୱାରକୁ ଟଣାଯିବ ବୋଲି ପ୍ରଶାସନ ସୂଚନା ଦେଇଛି ।
ମଙ୍ଗଳବାର ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ଦେଢ଼ଘଣ୍ଟା ବିଳମ୍ବରେ ବଢ଼ିଥିଲା । ସେହିଭଳି ଦୁଇ ଘଣ୍ଟା ବିଳମ୍ବରେ ଆଜ୍ଞାମାଳ ବିଜେ ହୋଇଥିଲେ । ନୀତି ବିଳମ୍ବ କାରଣରୁ ନନ୍ଦିଘୋଷ ରଥକୁ ଆଜି ଦକ୍ଷିଣ ମୋଡ଼ କରାଯାଇ ପାରି ନ ଥିଲା ।
ହେରାପଞ୍ଚମୀ ପରଦିନରୁ ପରମ୍ପରା ମୁତାବକ ରଥ ଦକ୍ଷିଣ ମୋଡ଼ ହେବା ପରେ ମହାପ୍ରଭୁଙ୍କ ବାହୁଡା ଯାତ୍ରାର ଅବଗଣନା ଆରମ୍ଭ ହୋଇଛି । ଆସନ୍ତା ୧୨ ତାରିଖରେ ମହାପ୍ରଭୁଙ୍କ ଦକ୍ଷିଣାଭିମୁଖୀ ଯାତ୍ରା ବା ବାହୁଡ଼ା ରଥଯାତ୍ରା ହେବ । ଏଥିପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ବୁଧବାର ଶରଧାବାଲିରେ ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ଦକ୍ଷିଣ ମୋଡ଼ ନେବା ପରେ ବାହୁଡା ଯାତ୍ରା ପାଇଁ ଯାବତୀୟ ରଥ ମରାମତି କରାଯିବ ।
ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ତିନିରଥର ଦକ୍ଷିଣ ମୋଡ଼ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରଶାସନ ପ୍ରସ୍ତୁତ କରିଥିଲା । ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ାଇବାକୁ ପ୍ରଶାସନ ନୀତି ନିର୍ଘଣ୍ଟ ଥିଲା । ତେବେ ଏହି ନୀତି ଅପରାହ୍ନ ୧ଟା୧୦ ମିନିଟରେ ଶେଷ ହୋଇଥିଲା । ଏହା ପରେ ପରେ ସାଢ଼େ ୧୨ଟା ସୁଦ୍ଧା ତିନି ରଥର ଆଜ୍ଞାମାଳ ବିଜେ ନୀତି ନିର୍ଦ୍ଧାରଣ ହୋଇଥିଲା । ଆଜ୍ଞାମାଳ ବିଜେ କରିବା ବେଳକୁ ଅପରାହ୍ନ ୨ଟା ୪୦ ମିନିଟ ବାଜିଥିଲା । ସକାଳ ଧୂପ ପର୍ବୂରୁ ମହାପ୍ରଭୁଙ୍କ ଦୁଆର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅବକାଶ, ସାହାଣମେଲା, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ମହାପ୍ରଭୁଙ୍କ ଗୋପାଳବଲ୍ଲଭ (ଜଳଖିଆ ଭୋଗ) ନୀତି ବଢ଼ିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons