ନାବାଳକ ପୁଅଙ୍କୁ ଚୋରିରେ ଲଗାଉଥିଲା ବାପା

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନ୍ୟୁଜ୍): ଦୁଇ ପୁଅଙ୍କୁ ଚୋରି କରିବାକୁ ପ୍ରବର୍ତ୍ତାଉ ଥିଲା ବାପା । ଆଉ ଜଣେ ସହଯୋଗୀ ସହାୟତାରେ ଦୁଇ ନାବାଳକ ପୁଅ ଚୋରି କରୁଥିଲେ । ନିକଟରେ ସହରରେ ହୋଇଥିବା ୮ଟି ଚୋରି ଘଟଣାର ଖୁଲାସା କରି ଏହି ତଥ୍ୟ ଦେଇଛି ବ୍ରହ୍ମପୁର ପୁଲିସ । ଗତ ତିନି ମାସ ମଧ୍ୟରେ ଯେଉଁ ସବୁ ଚୋରି ହୋଇଛି ସେଥିରେ ଉକ୍ତ ନାବାଳକମାନେ ସଂପୃକ୍ତ ରହିଥିବା ବୈଦ୍ୟନାଥପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ମାୟାଧର ସେଠୀ କହିଛନ୍ତି । ଚୋରିରେ ସଂପୃକ୍ତ ଜଣେ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଥିବା ବେଳେ ଚୋରିରେ ନିୟୋଜିତ କରିଥିବା ବାପାକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ମାମଲାରେ ନାବାଳକର ଭାଇ ପୂର୍ବରୁ ଆଉ ଏକ ମାମଲାରେ ବାଳ ସୁଧାର ଗୃହରେ ରହିଥିବା ବେଳେ ସହଯୋଗୀ ଫେରାର୍ ଥିବା ଏଏସ୍ପି ସେଠୀ ପ୍ରକାଶ କରିଛନ୍ତି । ଆଜି ଧରାପଡ଼ିଥିବା ନାବାଳକ ଓ ବାପା ଠାରୁ ୧୩୫ ଗ୍ରାମ୍ ସୁନା ଅଳଙ୍କାର, ଗୋଟିଏ କ୍ୟାମେରା ଓ ଗୋଟିଏ ଏଲ୍ଇଡି ଟିଭି ଜବତ କରାଯାଇଛି ।
ଏଏସ୍ପି ସେଠୀଙ୍କ ସୂଚନା ପ୍ରକାରେ ସହରରେ ତିନି ମାସ ହେଲା ବିଭିନ୍ନ ଅଞ୍ଚଳରେ ଚୋରି ବଢ଼ିବାରେ ଲାଗିଛି । ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ନେତୃତ୍ୱରେ ସଦର ଥାନା ଆଇଆଇସି ଭାବାନନ୍ଦ ପ୍ରଧାନ, ଟାଉନ୍ ଥାନା ଆଇଆଇସି ସନ୍ତୋଷିନୀ ଓରାମ୍, ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭି କ୍ୟାମେରା ଓ ଅନ୍ୟ ତଥ୍ୟକୁ ଆଧାର କରି ଚୋରିରେ ନାବାଳକମାନଙ୍କୁ ନିୟୋଜିତ କରାଯାଉଥିବା ଜଣାପଡିଥିଲା । ଏହି ନାବାଳକ ପୂର୍ବରୁ ଅପରାଧ କରି ଜୁଭେନାଇଲ୍ ହୋମ୍ରେ ଥିଲେ । ତାକୁ ପଚାରିବାରେ ଜଣେ ବ୍ୟକ୍ତି ଦୁଇ ପୁଅଙ୍କୁ ନିୟୋଜିତ କରୁଥିବା ସ୍ପଷ୍ଟ ହେବା ପରେ ତାକୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା । ସମସ୍ତ ଚୋରିରେ ନାବାଳକଙ୍କୁ ନିୟୋଜିତ କରାଯାଉଛି ବୋଲି ଉକ୍ତ ବ୍ୟକ୍ତି ମାନିଥିବା ଏଏସ୍ପି କହିଛନ୍ତି । ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି । ନାବାଳକର ଭାଇ ପୂର୍ବରୁ ଅନ୍ୟ ଏକ ମାମଲାରେ ଜୁଭେନାଇଲ୍ ହୋମ୍ରେ ରହିଛି ଏବଂ ତାର ସହଯୋଗୀ ଫେରାର୍ ଥିବା କୁହାଯାଇଛି ।
ଜୁନ୍ ୭ ତାରିଖରେ ରାମକୃଷ୍ଣ ନଗର କେଶବ ଚନ୍ଦ୍ର ମହାନ୍ତିଙ୍କ ଘରେ ଚୋରି ହୋଇଥିଲା । ସେହପରି ଆଙ୍କୁଲି ଗଙ୍ଗାନଗରରେ ସୁଶାନ୍ତ କୁମାର ପାତ୍ରଙ୍କ ଘର ଜୁନ୍ ୧୭ ତାରିଖରେ ଚୋରି ହୋଇଥିଲା । ଜୁନ୍ ୨୦ ତାରିଖରେ କନେଷ୍ଟବଳ ବି.ଶ୍ରୀନିବାସଙ୍କ ଘରୁ ଚୋରି ହୋଇଥିଲା । ସେହିପରି ବ୍ରହ୍ମପୁର ସଦର ଥାନାରେ ଦୁଇଟି ଓ ସଦର ଥାନାରେ ଗୋଟିଏ, ବଡ଼ ବଜାର ଥାନାରେ ଦୁଇଟି ଚୋରି କେସ୍ରେ ଖେଳତାଡ଼ ସମୟରେ ଏମାନେ ସଂପୃକ୍ତ ଥିବା ଜଣାପଡିଛି । ସହରରେ ଏକ ଚୋରି ଗ୍ୟାଙ୍ଗ୍ ସକ୍ରିୟ ଭାବେ କାମ କରୁଥିବା ତଦନ୍ତରେ ଜଣାପଡ଼ିଛି ବୋଲି ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀହେ ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶ, ସଦର ଥାନା ଆଇଆଇସି ଭାବାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons