ରାଇକିଆ,(ବି.ବି.ନୁ୍ୟଜ୍): ଯୁବକଙ୍କ ନିଖୋଜ ହେବା ଘଟଣାକୁ ୧୭ ଦିନ ବିତି ଯାଇଛି । ମାତ୍ର ପୁଲିସ ଆଜି ପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ପାଇପାରି ନାହିଁ । ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇ ଆଜି ଉଗ୍ର ରୂପ ନେଇଥିଲା । ଶତାଧିକ ମହିଳାମାନେ ରାସ୍ତାରୋକ କରିବା ସହ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ । ପୁଲିସ ପହଞ୍ଚି ବୁଝାସୁଝା କରିବାର ୨ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା ।
ଅଲିମାହା ଗ୍ରାମର ସୁବୋଧ ମଲ୍ଲିକ (୨୧) ଗତ ଜାନୁୟାରୀ ୧୫ ତାରିଖରୁ ନିଖୋଜ ହୋଇଯାଇଛନ୍ତି । ପୁଅ ନିିଖୋଜ ହୋଇଯାଇଥିବା ନେଇ ମାଆ ସାରଦା ମଲିକ ଥାନାରେ ଅଭିଯୋଗ କରିଛନ୍ତି । ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ପୁଅର ପତ୍ତା ପାଇ ପାରିନଥିବାରୁ ଅସନ୍ତୋଷ ଦେଖାଦେଇଥିଲା । ସକାଳ ୮ଟାରୁ ମହିଳାମାନେ ରାଇକିଆ-ବାଲିଗୁଡ଼ା ଓ ଜି.ଉଦୟଗିରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଏଥିସହ ମହିଳାମାନେ ସୁବୋଧଙ୍କ ଖୁବ୍ଶୀଘ୍ର ପତ୍ତା ଲଗାଇବାକୁ ଦାବି କରି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜି.ଉଦୟଗିରି ଏସ୍ଡିପିଓ ଜୟକୃଷ୍ଣ ବେହେରା, ଟିକାବାଲି ଆଇଆଇସି ରେବତୀ ଶବର, ସାରଙ୍ଗଡ଼ ଥାନା ଅଧିକାରୀ ଅନିତା କିଡେ଼ା, ରାଇକିଆ ଥାନା ଅଧିକାରୀ ସମୀର ରାଉତ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଅନ୍ୟପକ୍ଷରେ ପୁଅ ସୁବୋଧକୁ କେହି ଉଠାଇ ନେଇଥିବା ମାଆ ସାରଦା ଥାନାରେ ଅଭିଯୋଗ କରିଛନ୍ତି ।


Comments are closed, but trackbacks and pingbacks are open.