ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ସଦର ଥନା ଅଧୀନ ସାରଗାଁ ସମବାୟ ସମିତିକୁ ଶନିବାର ଧାନ ବିକି୍ର ଟଙ୍କା ଆଣିବାକୁ ଯାଇ ୨ ଜଣ ଚାଷୀ ନିଶାସକ୍ତ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଅକ୍ରମଣର ଶିକାର ହୋଇଥିବା ଚାଷୀ ଦୁହେଁ ହେଲେ ସଦର ଥାନା ଅଧୀନ ହର୍ଷପୁରା ଗ୍ରାମର ଅତୁଲ ମାଣିକ(୫୦) ଓ ସାରଗାଁ ଅଞ୍ଚଳର ହରିହର ବାରିକ(୫୦) । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଆକ୍ରମଣକାରୀକୁ ଧରିବା ଦାବିରେ ଗ୍ରାମବାସୀ ପ୍ରାୟ ଘଣ୍ଟାଏ କାଳ ରାସ୍ତା ଅବରୋଧ କରିଥିଲେ ।
ଅଭିଯୋଗ ମୁତାବକ, ହର୍ଷପୁରା ଗ୍ରାମର ଅତୁଲ ଗତ ୬ ଦିନ ପୂର୍ବରୁ ସାରଗାଁ ସମବାୟ ସମିତିରେ ୨୩ କ୍ୱିଣ୍ଟାଲ ଧାନ ବିକ୍ରୟ କରିଥିଲେ । ସେଥିରୁ ସେ କିଛି ଟଙ୍କା ପାଇଥିଲା ବେଳେ କିଛି ଟଙ୍କା ବାକିଥିଲା । ଶନିବାର ଦିନ ଅତୁଲ ବାକିଥିବା ଟଙ୍କା ଆଣିବାକୁ ସାରଗାଁ ସମବାୟ ସମିତିକୁ ଯାଇଥିଲେ । ସେହିପରି ହରିହର ସମବାୟ ସମିତିକୁ ଧାନ ଦେଇ ଟଙ୍କା ଆଣିବାକୁ ଯାଇଥିଲେ । ପ୍ରାୟ ଅପରାହ୍ନ ସାଢେ଼ ୪ଟା ବେଳେ ସମିତିର ଅନତି ଦୂରରେ ୨ ଜଣ ଦୁର୍ବୃତ୍ତ ନିଶାସକ୍ତ ଅବସ୍ଥାରେ ଗଣ୍ଡଗୋଳ କରୁଥିଲେ । ସେମାନଙ୍କ ଭୟରେ ୨ ଜଣ ଯୁବକ ସମିତି କାର୍ଯ୍ୟାଳୟ ମଧ୍ୟକୁ ପଶି ଯାଇଥିଲେ । ସେମାନଙ୍କୁ ଖୋଜିବା ପାଇଁ ଦୁର୍ବୃତ୍ତ ଦୁହେଁ ସମିତି ଅଫିସକୁ ଯାଇଥିଲେ । ସେମାନେ କୁଆଡେ଼ ଗଲେ ବୋଲି ଅତୁଲ ଓ ହରିହରଙ୍କୁ ଦୁର୍ବୃତ୍ତମାନେ ପଚାରିଥିଲେ । ମାତ୍ର ଏନେଇ କିଛି ଜାଣି ନଥିବା ଚାଷୀ ଅତୁଲ ଓ ହରିହର ପ୍ରକାଶ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଦୁର୍ବୃତ୍ତ ଦ୍ୱୟ ଅତୁଲ ଓ ହରିହରଙ୍କୁ ଅଚାନକ ଏକ ତେଲେଙ୍ଗା କଟୁରୀରେ ଆକ୍ରମଣ କରିଥିଲେ । କଟୁରୀ ଚୋଟରେ ଅତୁଲ ଓ ହରିହର ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଲୋକଙ୍କୁ ଦେଖି ଦୁର୍ବୃତ୍ତ ଦୁହେଁ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରି ନିସ୍ତୁକ ଛେଚିଥିଲେ ଗ୍ରାମବାସୀ । ପରେ ପୁଲିସ ଜିମା ଦେଇଥିଲେ । ଅନ୍ୟ ଜଣକୁ ତୁରନ୍ତ ଧରିବା ଦାବିରେ ଗ୍ରମାବସୀମାନେ ସଲ୍ଟ ରୋଡକୁ ସାରଗାଁଠାରେ ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ପ୍ରାୟ ଘଣ୍ଟାଏ ପରେ ରାସ୍ତା ଅବରୋଧ ହଟିଥିଲା । ଧରାପଡ଼ିଥିବା ଆକ୍ରମଣକାରୀର ଘର ରଣସାହିରେ ବୋଲି ସୂଚନା ମିଳିଛି । ଅନ୍ୟ ଜଣକ ପରିଚୟ ମିଳିପାରିନି । ଏନେଇ ସଦର ଥାନା ପୁଲିସକୁ ଯୋଗାଯୋଗ କରାଯାଇଥିଲା । ମାତ୍ର ଏ ବାବଦରେ କୌଣସି ତଥ୍ୟ ପୁଲିସ ଦେଇ ନାହିଁ ।
Comments are closed, but trackbacks and pingbacks are open.