ନିଶିଖାଲରୁ ଅହରହ ଚାଲିଛି ମାଙ୍ଗାନିଜ ଚାଲାଣ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଖଣି ଖାଦାନରେ ଭରପୁର ରାୟଗଡ଼ା ଜିଲ୍ଲା । ଏହି ଜିଲ୍ଲାରେ ମାଙ୍ଗାନିଜ, ବକ୍ସାଇଟ, ଗ୍ରାଫାଇଟ ଭଳି ଅନେକ ଖଣି ରହିଛି । ହେଲେ ବକ୍ସାଇଟକୁ ବାଦଦେଲେ ଅନ୍ୟ କୋ÷ଣସି ଖଣିର ସଦୁପଯୋଗ ହେଉନାହିଁ । ଯଦ୍ୱାରା ଏହା ବର୍ତମାନ ଚୋରା ଚାଲାଣ ହେବାରେ ଲାଗିଛି । ଏହାର ନିତ୍ସକ ଉଦାହରଣ ଦେଖିବାକୁ ମିଳିଛି ନିଶିଖାଲ ମାଙ୍ଗାନିଜ ଖଣିରେ । ଗତ ୨୬ ବର୍ଷ ହେବ ଏହି ଖଣି ବନ୍ଦ ପଡ଼ିଥିବା ବେଳେ ବର୍ତମାନ ଏହି ଖଣିରୁ ଅହରହ ମାଙ୍ଗାନିଜ ଚୋରା ଚାଲାଣ ହେଉଛି । ମୁଖ୍ୟତଃ ପଡେ଼ାଶୀ ଆନ୍ଧ୍ରପ୍ରଦେଶକୁ ବ୍ୟାପକ ପରିମାଣରେ ମାଙ୍ଗାନିଜ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଓଡ଼ିଶା ଖଣି ନିଗମ ଅଧିନରେ ରହିଥିବା ମାଙ୍ଗାନିଜ ଖଣି ମାଫିଆଙ୍କ ପାଇଁ ଲୁଟ୍ର ସୁପଥ ପାଲଟିଛି । ଅନୁସନ୍ଧାନରୁ ଜଣାଯାଇଛି ଯେ, ୧୯୯୫ ମସିହା ପରେ ନିଶିଖାଲ ଠାରେ ଥିବା ଏହି ଖଣି ବନ୍ଦ ହୋଇଗଲା । ବନ ବିଭାଗ ଓ ଖଣି ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଖଣିକୁ ବନ୍ଦ କରିଦିଆଗଲା । ଦୀର୍ଘ ବର୍ଷ ବନ୍ଦ ପଡ଼ିବା ପରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ସମନ୍ୱୟ ରକ୍ଷା କରାଇଲେ । ହେଲେ ଏହାପରେ ମାଙ୍ଗାନିଜ ନେବା ନିମନ୍ତେ କୋ÷ଣସି କାରଖାନା ଇଚ୍ଛା ପ୍ରକଟ ନକରିବାରୁ ତାହା ଓଏମସି ପକ୍ଷରୁ ଲିଜ ପ୍ରଦାନ କରାଗଲା ନାହିଁ । ଯଦ୍ୱାରା ପୂର୍ବରୁ ଖନନ ହୋଇଥିବା ମାଙ୍ଗାନିଜ ଗୁଡ଼ିକ ପଡ଼ିରହିଲା ଓ ନୂତନ ଭାବେ ଆଉ ଖନନ ହେଲାନାହିଁ । ଏହାର କିଛି ଦିନପରେ ଓଏମସି ଏହି ମାଙ୍ଗାନିଜକୁ ନିମ୍ନମାନର ଦର୍ଶାଇ ନଥିରେ ରଦ୍ଧ କରିଦେଲା । ଫଳରେ ବର୍ତମାନ ଏହି ଖଣିରୁ ମନଇଚ୍ଛା ମାଙ୍ଗାନିଜ ଖନନ କରାଯାଉଛି । ଯେଉଁ ଖଣିର ପଦାର୍ଥକୁ ଓଏମସି ନିମ୍ନମାନର ଦର୍ଶାଇଛି ତାହା ଆନ୍ଧ୍ରପ୍ରଦେଶରେ ମଣି ପାଲଟିଛି । ଏଥିପାଇଁ ଏହି ମାଙ୍ଗାନିଜ ଖଣିକୁ ମାଫିଆଙ୍କ ଲମ୍ବାଧାଡ଼ି ଲାଗିଛି । କାଶୀପୁର ବ୍ଳକ ଶଙ୍କରଡ଼ା ପଂଚାୟତ ଅଧିନରେ ରହିଛି ନିଶିଖାଲ ଖଣି । ବର୍ତମାନ ଖଣି ଅଂଚଳରେ ପାଖାପାଖି ୧୦୦ ଟନ ମାଙ୍ଗାନିଜ ପଡ଼ିରହିଛି । ପୂର୍ବରୁ ଖନନ ହୋଇଥିବା ଏହି ମାଙ୍ଗାନିଜ ଗୁଡ଼ିକ ପଡ଼ିରହିଥିବା ନଜରକୁ ଆସିଛି । ଏଣେ ନୂତନ ଭାବେ ସେହି ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ପରିମାଣରେ ଖନନ କାର୍ଯ୍ୟ ଚାଲିଛି । ଏଭଳିକି ମୁଖ୍ୟ ରାସ୍ତାରେ ଯିବା ସମୟରେ ମଧ୍ୟ ଖଣି ଖାଦାନରେ ବେଆଇନ ଭାବେ ଖନନ ହେଉଥିବା ନଜରକୁ ଆସିବ । ଖଣି ବିଭାଗ ଓ ବନ ବିଭାଗ ମଧ୍ୟରେ ଟଣା ଓଟରା ଚାଲିବା ସମୟରେ ଟନ ଟନ ମାଙ୍ଗାନିଜ ରହିଥିବା ନିକଟସ୍ତ ଗ୍ରାମବାସୀ ସୂଚନା ଦେଇଛନ୍ତି । କିନ୍ତୁ ଧିରେ ଧିରେ ଚୋରା ବ୍ୟବସାୟୀମାନେ ଏହାକୁ ଲୁଟ କରିନେଇଯାଇଥିବା ଗ୍ରାମବାସୀମାନେ କହିଛନ୍ତି । ମାଫିଆଙ୍କ ଭୟରେ କେହି ମୁହଁ ମଧ୍ୟ ଖୋଲୁନାହାଁନ୍ତି । ଯାହା ଚାଲିଛି ଚାଲୁ ନ୍ୟାୟରେ ସମସ୍ତେ ନିରବତା ଅବଲମ୍ବନ କରିଛନ୍ତି । ପ୍ରାୟ ୮୦ ହେକ୍ଟର ଅଂଚଳରେ ଏହି ଖଣି ରହିଛି । ଖଣିର ଦେଖାରଖା କରିବା ନିମନ୍ତେ ପଡ଼ୁକଣା ଠାରେ ଓଏମସିର ଏକ କାର୍ଯ୍ୟାଳୟ ମଧ୍ୟ ଅଛି । ଉକ୍ତ କାର୍ଯ୍ୟାଳୟରେ ୫ ଜଣ କର୍ମଚାରୀ ଓ ୧୧ ଜଣ ସୁରକ୍ଷାକର୍ମୀ ନିଯୁକ୍ତି ପାଇଛନ୍ତି । କିନ୍ତୁ ଓଏମସି କର୍ତୃପକ୍ଷ ଜାଣିଶୁଣି ଖଣିକୁ ହାତଛଡ଼ା କରୁଥିବା ନଜରକୁ ଆସିଛି । ନିଶିଖାଲ ଗାଁ ନିକଟରେ ଖଣି ରହିଥିବା ବେଳେ ପଡ଼ୁକଣା ଠାରେ କାର୍ଯ୍ୟାଳୟ ସ୍ଥାପନର ଉଦେ୍ଧଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି । ଉକ୍ତ କାର୍ଯ୍ୟାଳୟ ନାମକୁ ମାତ୍ର ଥିବାବେଳେ ସର୍ବଦା ବନ୍ଦ ରହୁଥିବା ଅଭିଯୋଗ ହୋଇଛି । ଏଭଳିକି ପଡ଼ୁକଣା ସହିତ ଖଣିର କୋ÷ଣସି ସମ୍ପର୍କ ନଥିବା ବେଳେ କେବଳ ମନ୍ଦ ଉଦେ୍ଧଶ୍ୟ ରଖି ନିକଟରେ କାର୍ଯ୍ୟାଳୟ ସ୍ଥାପନ କରାଯାଇନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଖଣିର ଅବସ୍ଥା କଣ ରହିଛି ତାହା କେବେ ମଧ୍ୟ ଅନୁସନ୍ଧାନ କରାଯାଉନାହିଁ । ରାୟଗଡ଼ା ଠାରେ ଓଏମସିର କାର୍ଯ୍ୟାଳୟ ଚାଲିଥିବା ବେଳେ ମାତ୍ର ୨୮ କିଲୋମିଟର ଦୂରରେ ଥିବା ଏହି ଖଣି ପ୍ରତି ଆଖି ବୁଜିଦିଆଯାଇଛି । ଯଦ୍ୱାରା ମାଙ୍ଗାନିଜ ଖନନ କରାଯାଇ ଚାଲାଣ ହେଉଛି । ଏହି ଖଣିରୁ ଚୋରା ଚାଲାଣ ବେଳେ ରାୟଗଡ଼ା ପୁଲିସ ଓ ରାୟଗଡ଼ା ବନ ବିଭାଗ ପୃଥକ ପୃଥକ ଭାବେ ଚଢ଼ାଉକରି ଅନେକବାର ଟ୍ରକ ସହ ଖଣିଜ ପଦାର୍ଥ ଜବତ କରିଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ କିଭଳି ଖଣିଜ ପଦାର୍ଥ ବିନା ଭୟରେ ଖନନ କରାଯାଇ ଚାଲାଣ ହେଉଛି । ପୁଲିସ ଓ ବନ ବିଭାଗ ଓଏମସିକୁ ବାରମ୍ବାର ସୁରକ୍ଷିତ ରଖିବା ନିମନ୍ତେ ଅବଗତ କରାଇଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦିଆଯାଉନାହିଁ । ଏହି ଚୋରା ଚାଲାଣ ପଛରେ ଓଏମସି କର୍ତୃପକ୍ଷଙ୍କ ପ୍ରୋତ୍ସାହନ ରହିଥିବା ମଧ୍ୟ ଅଭିଯୋଗ ହୋଇଛି । ଯେଉଁ ସ୍ଥାନରେ ଖଣି ଖନନ କରାଯାଉଛି ସେଠାକୁ କୋ÷ଣସି ଗାଡ଼ି ଯିବାର ସମ୍ଭାବନା ନଥିବା ବେଳେ ଶ୍ରମିକଙ୍କ ଜରିଆରେ ମାଙ୍ଗାନିଜ ବସ୍ତାରେ ପ୍ୟାକିଂ କରି ତଳକୁ ଅଣାଯାଇଥାଏ । ତଳକୁ ଅଣାଯିବା ପରେ ଟ୍ରାକ୍ଟର ଯୋଗେ ଏକ ଚୋରା ଡମ୍ପିଂୟାଡର଼୍କୁ ନେଇ ସେଠାରେ ଗଚ୍ଛିତ ରଖାଯାଇଥାଏ । ପ୍ରତି ୮ ରୁ ୧୦ ଦିନ ପର୍ଯ୍ୟନ୍ତ ଗଚ୍ଛିତ ରଖାଯିବା ପରେ ଏହାକୁ ଟ୍ରକ ଯୋଗେ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଛି । ନିୟମିତ ଭାବେ ଚାଲାଣ ହେଉଥିବା ନିକଟସ୍ଥ ଗ୍ରାମବାସୀମାନେ ସୂଚନା ଦେଇଛନ୍ତି । କେତେବେଳେ ରାୟଗଡ଼ା ଦେଇ ତ ଆଉ କେତେବେଳେ ବନ୍ଧୁଗାଁ ଦେଇ ମାଙ୍ଗାନିଜ ଚୋରା ଚାଲାଣ କରାଯାଉଛି । ତେବେ ରାତି ସମୟରେ ସର୍ବଦା ଚାଲାଣ ହେଉଥିବାରୁ ଧରପଗଡ଼ କରିବା ସମ୍ଭବପର ହେଉନାହିଁ । ଅତି ଚତୁରତାର ସହ ମାଫିଆମାନେ ଏହାକୁ ଚାଲାଣ କରୁଛନ୍ତି । ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ନିଶିଖାଲ ମାଙ୍ଗାନିଜ ଖଣିକୁ ପୁନର୍ବାର ଚାଲୁକଲେ ସରକାରଙ୍କୁ ରାଜସ୍ୱ ମିିଳିବା ସହ ଚୋର ଚାଲାଣ ବନ୍ଦ ହୋଇଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons