ନୟାଗଡ଼,(ବି.ବି.ନ୍ୟୁଜ୍): ଜଗତର ନାଥ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅବସରରେ ଆଜି ଭକ୍ତ-ଭଗବାନ ଏକାକାର ହୋଇଛନ୍ତି । ୯ ଦିନ କାଳ ମାଉସୀମା’ଙ୍କ ଘରେ ରହିବା ପରେ ଶ୍ରୀଜିଉମାନେ ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ।
ଶୁକ୍ରବାର ନୟାଗଡ଼ ପୁରୁଣା ସହରରେ ଶାନ୍ତିପୂର୍ଣ୍ଣ ଭାବେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିନ ୧୦ଟାରେ ତିନି ଠାକୁରଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇ ୧୧ଟାରେ ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ଅପରାହ୍ନ ୨ଟାରେ ରାଜା ରାମେଶ୍ୱର ପ୍ରସାଦ ସିଂମାଧ୍ୟାତା ଛେରାପହଁରା କରିଥିଲେ । ସାଢେ ୩ଟାରେ ଠାକୁରଙ୍କ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହଜାର ହଜାର ଭକ୍ତ ବଡଦାଣ୍ଡରେ ଭିଡ଼ ଜମାଇ ଠାକୁରଙ୍କ ରଥକୁ ଟାଣି ନେଇଥିଲେ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଟଣା ଯାଇ ନବନାଲ ମଠ ଠାରେ ଅଟକି ରହିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣି ଟାଣି ନେଇ ବଡ଼ଦାଣ୍ଡର ଗୋପିନାଥ ମନ୍ଦିର ନିକଟରେ ପହଞ୍ଚାଇଥିଲେ । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା । ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣି ନେଇ ବାଲିସାହିଠାରେ ପହଞ୍ଚାଇଥିଲେ । ସନ୍ଧ୍ୟା ହୋଇଯିବାରୁ ରଥ ଟଣା ବନ୍ଦ ରହିଥିଲା । ତେଣୁ ବଡ଼ଦାଣ୍ଡରେ ତିନି ଠାକୁର ଅଟକି ରହିଛନ୍ତି । ରଥ ଟଣା ସମୟରେ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ମ୍ୟାନେଜର ତାପସରଞ୍ଜନ ପ;ନାୟକ, ମନ୍ଦିର ପରିଚାଳକ ନକୁଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ କାର୍ଯ୍ୟକ୍ରମ ଜାରି ରହିଥିଲା ।
ଗଣିଆ: ମାଉସୀ ମା’ ମନ୍ଦିର ଠାରୁ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟାରେ କଳାପାଟ ମନ୍ଦିର ନିକଟରେ ରଥ ପହଞ୍ôଚଥିଲା । ବହୁସଂଖ୍ୟାରେ ଭକ୍ତ ରଥ ଉପରେ ଠାକୁରଙ୍କୁ ଦର୍ଶନ କରିବା ସହିତ ନାମ ସଂକୀର୍ତ୍ତନ କରି ରଥ ଟାଣିଥିଲେ । ଆସନ୍ତାକାଲି ରଥରେ ଠାକୁର ସୁନାବେଶରେ ଦର୍ଶନ ଦେବେ । ସେହିପରି ବେଲପଡ଼ାର ଦଧିବାମନ ଜିଉ, ରାସଙ୍ଗରେ ଜଗନ୍ନାଥ, ହରିପୁରରେ ପତିତପାବନ ଜିଉ, ବେଠିଆସାହିରେ ଏକକ ଜଗନ୍ନାଥ, ଜଗନ୍ନାଥ ପ୍ରସାଦରେ ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି ।
ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ରଙ୍ଗଣୀପାଟଣା ଠାରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ହରିବୋଲ, ହୁଳହୁଳି ଧ୍ୱନିରେ ବଡ଼ଦାଣ୍ଡ ଉଛୁଳି ପଡ଼ିଥିଲା । ନାମ ସଂକୀର୍ତ୍ତନ ମଧ୍ୟରେ ଭକ୍ତମାନେ ରଥ ଟାଣି ନେଇଥିଲେ । ସେହିପରି ଓଡ଼ଗାଁ, କୁରାଳ,ଗାଡ଼ପୁଟରେ ମଧ୍ୟ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଖଣ୍ଡପଡ଼ା: ଖଣ୍ଡପଡ଼ା ସହରାଞ୍ଚଳ ସମେତ ଖଳିସାହି ଓ ମର୍ଦ୍ଦରାଜପୁର ଗ୍ରାମ ଠାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ଦେଖିବା ନିମନ୍ତେ ଖଣ୍ଡପଡ଼ାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଖଣ୍ଡପଡ଼ା ସହରାଞ୍ଚଳରେ ପାରମ୍ପରିକ ପ୍ରଥା ଅନୁଯାୟୀ ଆଜିଠାରୁ ୩ଦିନ ବ୍ୟାପୀ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ । ଅପରାହ୍ନ ୩ଟାରେ ଗୁଣ୍ଡିଚା ମନ୍ଦିରରୁ ରାଜବାଟୀର ପ୍ରତ୍ୟକ୍ଷ ଦିଅଁ ପତିତପାବନ ଦାରୁ ବିଗ୍ରହ ଓ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ମହିମାମେରୁ ଦେବଙ୍କ ତିନି ବିଗ୍ରହମାନଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଯାଇଥିଲା । ପରେ ୨ଟି ରଥ ଚତୁଃପାଶ୍ୱର୍ରେ ଛେରାପହଁରା କାର୍ଯ୍ୟ ସମାପନ ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ରଥଟଣା କାର୍ଯ୍ୟ ଫେଡ୍କୋ କାର୍ଯ୍ୟାଳୟ ନିକଟରେ ସମାପନ ହୋଇଥିଲା ପ୍ରତିବର୍ଷ ଭଳି ଚଳିତ ବର୍ଷ ବଜାରସାହି ବଡ଼ଏକାଦଶୀ ଭଜନ ସମାରୋହ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଓ ଖଣ୍ଡପଡ଼ାର ପାରମ୍ପରିକ ଢୁମ୍ପା ସଂଗୀତ ପରିବେଷଣ ସହ ଦାସକାଠିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟରେ ରଥାରୂଢ଼ ବିଗ୍ରହଙ୍କ ସନ୍ଧ୍ୟା ଆଳତୀ ଦର୍ଶନ ନିମନ୍ତେ ରଥ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିଗ୍ରହମାନଙ୍କୁ ରଥ ଉପରେ ଅଧରପଣା ଲାଗି କରାଯାଇଥିଲା । ଖଣ୍ଡପଡ଼ା ପୋଲିସ୍ ପ୍ରଶାସନ, ଅଗ୍ନିଶମ ବିଭାଗ ଓ ତହସିଲ ପ୍ରଶାସନ ଶାନ୍ତିଶୃଙ୍ଖଳା ରକ୍ଷ କରିବା ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ । ଆସନ୍ତାକାଲି ରଥ ଉପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହେବ । ୧୪ ତାରିଖରେ ରଥଗଡ଼ାଛକ ଠାରେ ଲକ୍ଷ୍ମୀନାରାୟଣ ଭେଟ ଓ ରାତିରେ ଶ୍ରୀଜିଉଙ୍କର ନୀଳାଦ୍ରି ବିଜେ ଓ ବହୁଡ଼ାଯାତ୍ରା ସମାପନ ହେବ ବୋଲି ଜଣାଯାଇଛି ।
ଦଶପଲ୍ଲା: ଆଜି ପୂର୍ବାହ୍ନରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପହଣ୍ଡି ବିଜେ ଅନୁଷ୍ଠିତ ହୋଇ ଛେରାପହଁରା ସହ ରଥାରୂଢ଼ ଦିଅଁଙ୍କୁ ଅଳଙ୍କାର ଲାଗି କରାଯାଇଥିଲା । ଚଳିତ ବର୍ଷ ଡାହୁକଙ୍କ ଅଶ୍ଳୀଳ ଢଗଢମାଳିକୁ ବନ୍ଦ କରି ସୁଶ୍ରାବ୍ୟ ଡାକରା ଦିଆଯାଇଥିଲା । ଅପରାହ୍ନ ୪ଟାରେ ଭକ୍ତମାନେ ରଥଟଣା ଆରମ୍ଭ କରିଥିଲେ । ସ୍ଥାନୀୟ ତହସିଲଦାର ପ୍ରମୋଦ ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥାନା ଭାରପ୍ରାପ୍ତ ନିରୀକ୍ଷକ ବିଶ୍ୱଜିତ ରାଉତରାୟଙ୍କ ଆରକ୍ଷୀ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ଆଜି ରଥ ଶ୍ରୀ ମହାବୀରଙ୍କ ମନ୍ଦିର ସମ୍ମୁଖରେ ଅଟକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।
Comments are closed, but trackbacks and pingbacks are open.