ବଲାଙ୍ଗୀର: ଶଲାବୁଢ଼ା, ଶଲାବୁଢ଼ାର ବଦ୍ଲା ଆଉ ଆଦିମ ବିଚାର୍ ଭଳି ଚଳଚ୍ଚିତ୍ରରେ ନିଜ ନିଖୁଣ ଅଭିନୟ ଛାପ ଛାଡ଼ିଥିବା ପ୍ରଖ୍ୟାତ ଅଭିନେତା ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନାୟକ ଜାତୀୟ ପୁରସ୍କାରପ୍ରାପ୍ତ କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ପଣ୍ଡାଙ୍କ ଆଜି ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୯୨ ବର୍ଷ ହେଉଥିଲା । ଗତମାସ ୧୬ ତାରିଖ ପତ୍ନୀ ଲଳିତା ପଣ୍ଡାଙ୍କ ମୃତୁ୍ୟ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ପତ୍ନୀଙ୍କୁ ଝୁରି ଝୁରି ଖାଇବା ପିଇବା ବନ୍ଦ କରି ଦେଇଥିଲେ । ଦୁର୍ବଳ ହେବା ସହ ସେପ୍ଟିସିମିଅାଁ ରୋଗରେ ଆକ୍ରାନ୍ତ ହୋଇଥିଲେ । ସପ୍ତାହକ ତଳେ ତାଙ୍କୁ ବୁର୍ଲା ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସ୍ୱତନ୍ତ୍ର ଭାବେ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିଲା । ସତଚେଷ୍ଟା ପରେ ବି ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ । ଆଜି ଭୋର ୩.୪୫ ମିନିଟ୍ରେ ଭୀମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ପତ୍ନୀଙ୍କ ପଛେ ପଛେ ପରପାରିକୁ ଚାଲିଗଲେ ସମସ୍ତଙ୍କ ପ୍ରିୟ ଶଲାବୁଢ଼ା ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଜନ୍ମିତ ସ୍ୱର୍ଗତ ପଣ୍ଡା ଚାକିରିରୁ ଅବସର ନେବା ପରେ ବୁର୍ଲାରେ ନିଜ ମଝିଆ ପୁଅଙ୍କ ସହ ରହୁଥିଲେ । ସେଠାରେ ନିଜର ଉତ୍ତର ଜୀବନ କଟାଉଥିଲେ । ମଇ ୨୦ ତାରିଖରେ ସ୍ୱର୍ଗତ ପଣ୍ଡାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛିଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ଘରକୁ ଫେରିବାର ଦିନକ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣି ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୪ଦିନ ଧରି ଆଇସିୟୁରେ ଚିକିତ୍ସାଧୀନ ରହିବା ପରେ ଆଜି ତାଙ୍କର ମୃତୁ୍ୟ ହୋଇଛି । ଶେଷ ସମୟରେ ବଡ଼ପୁଅ ବୋହୂ ଆର୍ତ୍ତତ୍ରାଣ ପଣ୍ଡା ଓ ରୀନା ପଣ୍ଡା, ମଝିଆ ପୁଅ ବୋହୂ ଅଶ୍ୱିନୀ ପଣ୍ଡା ଓ ରୀନା ପଣ୍ଡା ଓ ସାନ ପୁଅବୋହୂ ଅରୁଣ ପଣ୍ଡା ଓ ଜ୍ୟୋତି ପଣ୍ଡାଙ୍କ ସମେତ ସମସ୍ତ ନାତିନାତୁଣୀ ଅଦେ୍ର୍ଧନ୍ଦୁ ପଣ୍ଡା, ଅଞ୍ଜନା ପଣ୍ଡା, ଅର୍କେଶ ପଣ୍ଡା, ଅମୃତ ସାଗର ପଣ୍ଡା, ଅନନ୍ୟା ଶୁଭଦର୍ଶିନୀ ପଣ୍ଡା, ପ୍ରତୁ୍ୟଷ ରଞ୍ଜନ ମିଶ୍ର, ଓମ୍ ପ୍ରକାଶ ପଣ୍ଡା, ସିଦ୍ଧି ଅପର୍ଣ୍ଣା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ବୁର୍ଲାରେ ପୁଅ ଅଶ୍ୱିିନୀଙ୍କ ଘରକୁ ନିଆଯାଇଥିଲ । ଶେଷ ଦର୍ଶନ ପାଇଁ ପ୍ରାୟ ୩ ଘଣ୍ଟା ମୃତଦେହ ରଖାଯାଇଥିଲା । ଅନେକ ଶୁଭେଚ୍ଛୁ, ବନ୍ଧୁ ବାନ୍ଧବ ଆସି ଶେଷ ଦର୍ଶନ କରିଥିଲେ । ଏହାପରେ ବୁର୍ଲା ମହାନଦୀ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମଝିଆ ପୁଅ ଅଶ୍ୱିନୀ ମୁଖାଗ୍ନି ଦେଇଥିଲେ ।
ଅଟଳ ପଣ୍ଡାଙ୍କ ବିୟୋଗ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ତଥା ଅଭିନୟ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି । ଶଲାବୁଢ଼ା, ଆଦିମ ବିଚାର, ଶଲାବୁଢ଼ାର ବଦ୍ଲା ଆଦି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିବା କବି, ସାହିତି୍ୟକ, ନାଟ୍ୟକାର, ସଂସ୍କୃତି ସାଧକ ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶାର କବି, ଲେଖକ, ସାହିତି୍ୟକ, ନାଟ୍ୟକାର ଓ ଅଭିନେତା ସମୂହ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ପଣ୍ଡାଙ୍କ ବିୟୋଗର ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଟ୍ୱିଟ୍ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି ।
ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାଟିର ଗଡ଼ଭିତର ପଡ଼ାରେ ୧.୧୨.୧୯୩୧ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ । ପିତା କବିରାଜ ବାସୁଦେବ ପଣ୍ଡା ଏବଂ ମାତା ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ସେ ଜ୍ୟେÂପୁତ୍ର ଅଟନ୍ତି । ସେ ସୋନପୁରରେ ତାଙ୍କର ମାମୁଁଘରେ ରହି ପାଠ ପଢୁଥିଲେ । ତାଙ୍କୁ ଯେତେବେଳେ ୭ ବର୍ଷ ବୟସ ହେଉଥିଲା ସେ ସ୍କୁଲରେ ବିଭିନ୍ନ ଅଭିନୟ କରି ନାଟକ ଆଦି ରଚନା କରିଥିଲେ । ଅଭିନୟ ଓ ନାଟକ ଜଗତରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଭାବେ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିଲେ । ବିଭିନ୍ନ ସ୍ଥାନରେ ତାଙ୍କର ଅଭିନୟ ଦକ୍ଷତାକୁ ନେଇ ସମ୍ମାନୀତ ହୋଇଥିଲେ । ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ୨୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୩ ମସିହାରେ ଶଲାବୁଢ଼ା ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଶଲାବୁଢା ପାଇଁ ସେ ଶ୍ରେÂ ଅଭିନେତା ପୁରସ୍କାର ପାଇଥିଲେ । ସେହିପରି ସାହିତ୍ୟ ସାଧନା ପାଇଁ ୨୦୧୩ ମସିହାରେ ସେ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନ ପାଇଥିଲେ । ଏଥିସହ ଅନେକ ଜାତୀୟ ଅନ୍ତର୍ଜାତୀୟ ସମ୍ମାନ ପାଇଛନ୍ତି । ବୃଦ୍ଧ ବୟସରେ ମଧ୍ୟ ଚମକ୍ରାର ଅଭିନୟ କରି ଲୋକଙ୍କ ମନକୁ ଛୁଇଁ ପାରିଥିଲେ । ତାଙ୍କୁ ହରାଇ ସାରା ରାଜ୍ୟ,ସୁବର୍ଣ୍ଣପୁର ଜିଲ୍ଲା ତଥା ତାଙ୍କ ଜନ୍ମଭୂମି ବିନିକାବାସୀ ଝୁରୁଛନ୍ତି ।
ରିପୋର୍ଟ: ଗୁପ୍ତେଶ୍ୱର ପୁଷ୍ଟି
Comments are closed, but trackbacks and pingbacks are open.