ପରୀ ଘରେ ପୁଲିସ ଆଇଜି

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ): ଆଜି ଅପରାହ୍ଣରେ ପୁଲିସ ଆଇଜି ଅରୁଣ ବୋଥ୍ରା ନୟାଗଡ଼ରେ ପହଞ୍ଚି ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାର ତଦନ୍ତ କରିଛନ୍ତି । ଆଇଜିଙ୍କ ସହିତ ଏକ ୫ଣିଆ ଟିମ୍ ଆସି ନୟାଗଡ଼ ଏସ୍ପି ପ୍ରତୁ୍ୟଷା ଦିବାକର ଏବଂ ପରୀ ହତ୍ୟା ଘଟଣାର ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଆଇଜି ସିଧାସଳଖ ପରୀର ଗାଁ ଯଦୁପୁରକୁ ଯାଇଥିଲେ । ସେଠାରେ ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନୀଙ୍କୁ ଭେଟି ସମସ୍ତ ଘଟଣା ପଚାରି ବୁଝିଥିଲେ । ଏପରିକି ପରୀର ଶବ ମିଳିଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ । ଆଇଜିଙ୍କ ସହ ସିଆଇଡି ଏସ୍ପି ଆର୍.କେ ଦୋରା, ଏଏସ୍ପି ଆର୍.ସି ଥମ୍ବ, ଇନ୍ସ୍ପେକ୍ଟର ନରେନ୍ଦ୍ର କୁମାର ବେହେରା ଓ ଇନ୍ସ୍ପେକ୍ଟର ମମତା ରାଣୀ ପଣ୍ଡା ପ୍ରମୁଖ ଆସିଥିଲେ ।
ଆଇଜି ଶ୍ରୀ ବୋଥ୍ରା ସାମ୍ବାଦିକମାନଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ । କ୍ୟାମେରା ସମ୍ମୁଖରେ ଗୋଟିଏ ପଦ ବି କହିବି ନାହିଁ ବୋଲି କହିଥିଲେ । ଦିନକୁ ଦିନ ପରୀ ହତ୍ୟା ଘଟଣା ଉଗ୍ର ରୂପ ନେଉଥିବାବେଳେ ଆଇଜି ଜିଲ୍ଲା ପୁଲିସ ଅଧିକାରୀମାନଙ୍କ ସହ କଡ଼ା ମନୋଭାବ ନେଇ ଆଲୋଚନା କରିଥିଲେ ।
ପ୍ରକାଶ ଯେ ହତ୍ୟାର ଶିକାର ହୋଇଥିବା ୫ବର୍ଷର ଝିଅ ପରୀକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରି ପରୀର ବାପା, ମା’ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ପରେ ତାଙ୍କ ଘରକୁ ବିଭିନ୍ନ ଦଳର ନେତା ଓ ପୁଲିସ ଉଚ୍ଚ ଅଧିକାରୀମାନଙ୍କ ସୁଅ ଛୁଟିବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons