ବାଲେଶ୍ୱର,(ବି.ବି.ନ୍ୟୁଜ୍): ନିକଟରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ଛୁଟିର ମଜା ନେବାକୁ ଚାନ୍ଦିପୁର ଯାଇଥିଲେ । ଆଜି ଥିଲା ପହିଲି ରଜ । ରଜ ମଉଜ ମନାଇ ଦୁଇ ସହପାଠୀ ସ୍କୁଟିରେ ଫେରୁଥିଲେ । ସେପଟେ ଅନ୍ୟ ଏକ ବାଇକ୍ରେ ଦୁଇ ଜଣ ବି ଚାନ୍ଦିପୁର ଯାଉଥିଲେ । ପହିଲି ରଜର ଏହି ମଉଜ ମସ୍ତି ଯାତ୍ରା ଆଜି ଶେଷ ଯାତ୍ରା ହୋଇଛି । ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ଘଟି ୩ ଜଣକ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଚାନ୍ଦିପୁର ଥାନା ଅଧୀନସ୍ଥ ଗଛମାଳିଆଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଭଳି ଅକାଳ ମୃତ୍ୟୁ ଆଜି ବାଲେଶ୍ୱର ଜିଲ୍ଲାର ପହିଲି ରଜକୁ ଫିକା କରିଛି ।
ରଜରେ ଏଭଳି ଦୁଃଖଦ ଖବର ମାଡ଼ି ଆସିବ କେହି କେବେ ଭାବି ନ ଥିଲେ । ସ୍କୁଟିରେ ଥିବା ରୂପ୍ସା ଥାନା ଅଧୀନ କେନ୍ଦୁଡିହା ଗ୍ରାମର ପରମାନନ୍ଦ ସିଂଙ୍କ ପୁଅ ଭକ୍ତ ବନ୍ଧୁ (୧୯) ଓ ତାଙ୍କ ସହପାଠୀ ସଦାନନ୍ଦ ଦାସ (୧୯)ମୃତ୍ୟୁ ରଜ ଉପଲକ୍ଷେ ଚାନ୍ଦିପୁର ବେଳାଭୂମିକୁ ଯାଇଥିଲେ । ଖୁସି ମନାଇ ସେଠାରୁ ଫେରୁଥିବା ବେଳେ ପଲସର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ସ୍ଥଳରେ ଭକ୍ତବନ୍ଧୁ ପ୍ରାଣ ହରାଇଛନ୍ତି । ସେ ବାଲେଶ୍ୱର ରେଲୱେ କଲୋନୀରେ ରହୁଥିଲେ । ନିକଟରେ ବିଜ୍ଞାନ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ସେହିଭଳି ସ୍କୁଟିରେ ବସିଥିବା ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜର ଅରୂପ ଦାସଙ୍କ ପୁଅ ସଦାନନ୍ଦ ସିଂ ଗୁରୁତର ହୋଇଛନ୍ତି । ଉଭୟ ବନ୍ଧୁ ଫକୀର ମୋହନ କଲେଜର +୨ ଛାତ୍ର ଥିଲେ ।
ସ୍କୁଟି (ଓଡି୦୧ପି-୩୭୬୯) ସହ ପିଟି ହୋଇଥିବା ପଲସର(ଓଡି୦୧ୱାଇ-୩୩୭୯) ରେ ପପୁ ସିଂ ଓ ବୃନ୍ଦାବନ ସିଂ ବସିଥିଲେ । ଏମାନଙ୍କ ଘର ନୀଳଗିରି ବରହମପୁର ଥାନା ଅଧୀନ ଅସନପୁର ଗ୍ରାମର । ଆଜି ରଜ ପର୍ବ ମନାଇବାକୁ ଚାନ୍ଦିପୁର ଯାଉଥିଲେ । ଗଛ ମାଳିଆ ଠାରେ ଦୁର୍ଘଟଣା ଘଟିବାରୁ ପଲସର ଥିବା ଶାଳକ-ଭିଣୋଇଙ୍କ ପ୍ରାଣ ଯାଇଛି ।
Comments are closed, but trackbacks and pingbacks are open.