ପାଟକୁରାରେ ବିଜେପିର ସୁନିଶ୍ଚିତ ବିଜୟ : ଧର୍ମେନ୍ଦ୍ର

Get real time updates directly on you device, subscribe now.

ପାଟକୁରା,(ବି.ବି.ନ୍ୟୁଜ୍): ପାଟକୁରା ନିର୍ବାଚନ ପାଖେଇ ଆସିବା ସହ ଦିନକୁ ଦିନ ଷ୍ଟାର୍ କ୍ୟାମ୍ପେନର୍, ହେଭିୱେଟ୍ ନେତା ସାମିଲ ହେଉଛନ୍ତି ପ୍ରଚାର ମଇଦାନରେ । ପ୍ରଚାରରେ ଅଧିକ ତାକତ ଭରିବାକୁ ଚଳାଇଛନ୍ତି ଉଦ୍ୟମ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପାଟକୁରା ନିର୍ବାଚନ ପ୍ରଚାରରେ ଆସି ଗରଦପୁର ବ୍ଲକ୍ରେ ରୋଡ୍ ସୋ’ ଜରିଆରେ ମାରାଥନ୍ ପ୍ରଚାର କରିଛନ୍ତି । ‘ପାଟକୁରାରେ ବିଜେପିର ବିଜୟ ସୁନିଶ୍ଚିତ । ପାଟକୁରାବାସୀ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ନିଶ୍ଚୟ ଜୟଯୁକ୍ତ କରିବେ’ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ । ସେ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ର ଓ ଦଳର ଅନ୍ୟ ତୁଙ୍ଗ ନେତୃବୃନ୍ଦଙ୍କ ସହ ଗରଦପୁର ବ୍ଲକରେ ରୋଡ଼ ସୋ’ କରିବା ସହିତ ଭୋଟରଙ୍କୁ ଭୋଟ ନିବେଦନ କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି, ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଅଭୂତପୂର୍ବ ଜନସମର୍ଥନ ଭାରତୀୟ ଜନତା ପାର୍ଟି ବିଶେଷକରି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପ୍ରତି ରହିଛି । ଏଥର ଦଳମତ ନିର୍ବିଶେଷରେ ନିଃସନ୍ଦେହରେ ବିଜୟ ବାବୁଙ୍କୁ ବିଧାୟକ କରିବେ ବୋଲି ଲୋକେ ମନ ସ୍ଥିର କରିଛନ୍ତି । ଚଳିତ ନିର୍ବାଚନରେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ ସରକାର ହୋଇସାରିଛି । ପାଟକୁରା ଫଳାଫଳ ଦିଲ୍ଲୀ ଓ ଭୁବନେଶ୍ୱର ସରକାରକୁ ଅବଶ୍ୟ ବଦଳାଇ ପାରିବ ନାହିଁ । ମାତ୍ର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଭଳି ବ୍ୟକ୍ତି ବିଜେତା ହୋଇ ବିଧାୟକ ଭାବେ ବିଧାନସଭାକୁ ଗଲେ ମୋଦି ଦେଉଥିବା ଟଙ୍କାର ହିସାବ ଲୋକେ ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଓଡ଼ିଶାର ଗୋଟିଏ ଦଳ ଦୀର୍ଘ ୨୦ ବର୍ଷ ଧରି ଲମ୍ୱା ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗରିବ ଲୋକମାନଙ୍କର ସମସ୍ୟାର ସମାଧାନ ହୋଇପାରିନାହିଁ । ଆଗାମୀ ୫ ବର୍ଷରେ ସମାଧାନ ହୋଇପାରିବ କି ବୋଲି ସେ ପ୍ରଶ୍ନ କରିଥିଲେ । ଶ୍ରୀ ପ୍ରଧାନ ପୁଣି କହିଥିଲେ ଯେ, ଗଣତନ୍ତ୍ରରେ ଭୋଟ ଦେଉଥିବା ଲୋକମାନଙ୍କର ନିଷ୍ପତ୍ତିକୁ ସ୍ୱୀକାର କରିବା ଦରକାର । ବିଜେପି ତା’ କାମ କରୁଥିବାବେଳେ ଅନ୍ୟାନ୍ୟ ରାଜନୈତିକ ଦଳ ସେମାନଙ୍କର କାମ କରୁଛନ୍ତି । ପାଟକୁରାବାସୀ ତାଙ୍କ କାମ କରିବେ । ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଆ ଲୋକଙ୍କର ଅଭୂତପୂର୍ବ ଭରସା ଅଛି । ଏଠାରେ ବିଜେପିର ବିଜୟ ହେବ ବୋଲି ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ବାଢ଼ିଥିଲେ । ଗରଦପୁର, ନରେନ୍ଦ୍ରପୁରରୁ ଡାହାଳପୁର, ଔପଡ଼ା, ନଡ଼ିଆବରେଇ, ଓସ୍ତପୁରଯାଏ ହୋଇଥିଲା ଆଜିର ରୋଡ଼୍ ସୋ’ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ସମୀର ମହାନ୍ତି, ପୀତାମ୍ୱର ଆଚାର୍ଯ୍ୟ, ଲେଖାଶ୍ରୀ ସାମନ୍ତସିଂହାର, ଦିଲ୍ଲୀପ ମଲିକ, ଟଙ୍କଧର ତ୍ରିପାଠୀ, ଠାକୁର ରଞ୍ଜିତ ଦାସ, ଉମାକାନ୍ତ ନାୟକ, ନାରାୟଣ ସ୍ୱାଇଁ, ବାଇଧର ମଲ୍ଲିକ, ସୁରଥ ବିଶ୍ୱାଳ, ଜୟନ୍ତ ଷଡ଼ଙ୍ଗୀ, ଅମୀୟ ପରିଜା, କ୍ଷୀତିଶ ଦାସ, ପ୍ରତାପ ମିଶ୍ର, ଭୁବନ ମୋହନ ଜେନା, ଦୁର୍ଯ୍ୟୋଧନ ସାହୁ, ଚଳଚିତ୍ର ତାରକା ବିଦୁସ୍ମିତା, ପିଙ୍କି ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons