ପାଟକୁରାରେ ୭୩% ମତଦାନ:୨୪ରେ ଫଳାଫଳ

Get real time updates directly on you device, subscribe now.

ପାଟକୁରା,(ବି.ବି.ନ୍ୟୁଜ୍): ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି ପାଟକୁରା ବିଧାନସଭା ଆସନ ପାଇଁ ମତଦାନ । କାଁ ଭାଁ କେତେକ ସ୍ଥାନରେ ଉଚ୍ଚବାଚ, ବିବାଦ, ଛକାପଞ୍ଝା ଓ ଉତ୍ତେଜନାକୁ ଛାଡ଼ିଦେଲେ କୌଣସି ସ୍ଥାନରେ ବଡ଼ ଧରଣର କିଛି ହିଂସାକାଣ୍ଡ ବା ଗଣ୍ଡଗୋଳ ଘଟିନାହିଁ । ତେବେ ଅଚଳ ଇଭିଏମ୍କୁ ନେଇ ଅନେକ ସ୍ଥାନରେ ଅସନ୍ତୋଷ ପରିଲକ୍ଷିତ ହୋଇଛି । ସନ୍ଧ୍ୟା ୬ଟାରେ ଭୋଟ୍ଦାନ ସମୟ ସରୁଥିଲେ ହେଁ ଶେଷ ସମୟରେ ଭୋଟ ଗ୍ରହଣ କେନ୍ଦ୍ର ପରିସରରେ ଉପସ୍ଥିତ ଥିବା ସମସ୍ତ ଭୋଟରଙ୍କୁ ମତଦାନର ସୁଯୋଗ ଦିଆଯାଉଥିବାରୁ ହାତଗଣତି କେତେକ ବୁଥ୍ରେ ବିଳମ୍ବିତ ରାତିଯାଏ ମତଦାନ ଜାରି ରହିଥିଲା । ରାତି ୯ଟା ସୁଦ୍ଧା ପ୍ରାୟ ସବୁ ବୁଥ୍ରେ ମତଦାନ ଶେଷ ହୋଇଥିଲା । ଶେଷ ସୁଦ୍ଧା ୭୩ % ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି ।
ଗରଦପୁର ବ୍ଲକ ପାଟକୁରା ପଞ୍ଚାୟତର ୨୯୪ ନଂ. ବୁଥ୍ରେ ଇଭିଏମ୍ ମେସିନ ବିନା ସିଲ୍ରେ କେନ୍ଦ୍ରରୁ ଆସିଥିବା ଅଭିଯୋଗ ଆଣିଛନ୍ତି ଜଣେ ବିଜେପି ସମର୍ଥକ । ତେବେ ଦାୟିତ୍ୱରେ ଥିବା ପୋଲିଂ ଅଧିକାରୀଙ୍କ କହିବା କଥା, ମେସିନ୍ର ସିଲ୍ ଖୋଲାଯାଇନି, ଏହାର ବ୍ୟାଟେରି ବଦଳା ଯାଇଥିଲା । ଅଭିଯୋଗ ସଂକ୍ରାନ୍ତରେ ରିଟର୍ଣ୍ଣିଂ ଅଫିସର ତଥା ପାଟକୁରା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର କହିଛନ୍ତି, କୌଣସି ବି ମେସିନ୍ ବିନା ସିଲ୍ରେ ଗ୍ରହଣ କରାଯିବନି । ଆବଶ୍ୟକ ଗାଇଡ୍ଲାଇନ୍ ଅନୁସରଣ କରାଯାଇନଥିଲେ ତାହାକୁ ତକ୍ରାଳ ବଦଳାଯିବ । ତା’ ବାଦ୍ ଇଭିଏମ୍ ମେସିନ ଗ୍ରହଣବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହୁଛନ୍ତି । କୌଣସି ତ୍ରୁଟିବିଚ୍ୟୁତି ହେବାର ଆଶଙ୍କା ନାହିଁ । ରାତି ପ୍ରାୟ ୧୦ଟା ସୁଦ୍ଧା ବିଭିନ୍ନ ବୁଥ୍ରୁ ୧୦୦ଟି ପୋଲିଂ ପାର୍ଟି ଗଣତି କେନ୍ଦ୍ର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆସି ପହଞ୍ôଚ ସାରିଥିବା ସେ କହିଛନ୍ତି ।
ଆଜି ଧାର୍ଯ୍ୟ ସମୟ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ । ହେଲେ ନିର୍ବାଚନମଣ୍ଡଳୀର ମୋଟ୍ ୩୦୯ଟି ବୁଥ୍ରୁ କିଛି ସ୍ଥାନରେ ଇଭିଏମ୍ ଅଚଳ ହେବା ଘଟଣା ରାଜନୈତିକ ବାତାବରଣକୁ ତତାଇ ଦେଇଥିଲା । ତ୍ରୁଟିପୂର୍ଣ୍ଣ ଇଭିଏମ୍ ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ବହୁ ସମୟ ଧରି ଲୋକେ ଅପେକ୍ଷା କରି ରହିଥିଲେ ମତଦାନ ଲାଗି । ପୁଣି କେତେକ ସ୍ଥାନରେ ଅଧିକ ବିଳମ୍ୱ ହେବାରୁ ଫେରି ଯାଇଥିଲେ । ମେସିନ ସ୍ୱାଭାବିକ ହେବାରୁ ପରେ ଆସି ଅନେକ ମତଦାନ କରିଥିଲେ । ସକାଳେ କେତେକ ସ୍ଥାନରେ ବର୍ଷା ହେବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ବେଶୀ ସମୟ ଧରି ବର୍ଷା ନହେଲେ ବି ସମୟାନ୍ତରରେ ଲାଗି ରହିଥିଲା ବର୍ଷା । ବିଲବଳରାମପୁର ୧୫୯ ନଂ., ଯଅଁରା ବାରିମୂଳ ବୁଥ୍ ନଂ. ୧୩୧, ତହେଡ଼ା ବୁଥ୍ ନଂ. ୧୨୮, ବେଡ଼ାରି ଆଦି କେତେକ ବୁଥ୍ରେ ଇଭିଏମ୍ରେ ତ୍ରୁଟି ଯୋଗୁଁ ମତଦାନ କିଛି ସମୟ ଲାଗି ବାଧାପ୍ରାପ୍ତ ହୋଇଥିଲେ ବି ପରେ ସ୍ୱାଭାବିକ ହୋଇଥିଲା । ଗରଦପୁର ବ୍ଲକର ତେନ୍ତୋଳ ମତଦାନ କେନ୍ଦ୍ରରେ ମହୁମାଛି ମାତିବାରୁ ଏଠାରେ ଭୋଟିଂ ସମ୍ଭବ ହୋଇନଥିଲା । ପରେ ପ୍ରଶାସନ ପକ୍ଷରୁ ପାଖ ଏକ ରୁମ୍ରେ ମତଦାନ ବ୍ୟବସ୍ଥା କରାଯାଇଥିଲା ।
ମୋଟାମୋଟି କହିବାକୁ ଗଲେ, ଆଜି ଦିନତମାମ୍ କେତେବେଳେ ବର୍ଷାରେ ଭିଜିଥିଲେ ତ’ ଆଉ କେତେବେଳେ ଗୁଳୁଗୁଳିରେ ଶିଝିଥିଲେ ଭୋଟର । ଇଭିଏମ୍ ଅଚଳ ସାଙ୍ଗକୁ ଖରା ଗରମରେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଭୋଟରମାନେ ଛିଡା ହୋଇ ଭୋଟଦାନ କରୁଥିବାର ନଜରକୁ ଆସିଥିଲା । ତେବେ ଅଧିକାଂଶ ସ୍ଥାନରେ ପ୍ରଶାସନ ତଥା ଘରୋଇ ଉଦ୍ୟମରେ ଶୀତଳ ଜଳ, ଦହିପାଣିର ବନ୍ଦୋବସ୍ତ କରାଯାଇଥିଲା । ୨୫ଟି ଆଦର୍ଶ ବୁଥ୍ରେ ବି ଆନୁସଙ୍ଗିକ ସୁବିଧା, ସୁଯୋଗ ଭୋଟରଙ୍କ ମଧ୍ୟରେ ଉତ୍ସାହଜନକ ବାତାବରଣ ତିଆରି କରିଥିଲା । ତେବେ କେତେକ ସ୍ଥାନରେ ଭିନ୍ନକ୍ଷମ ଭୋଟରଙ୍କ ଲାଗି ଉଦ୍ଦିଷ୍ଟ ହ୍ୱିଲ୍ ଚେୟାରର ଦୁରୁପଯୋଗ ହୋଇଥିବାର ଅଭିଯୋଗ ଆସିଛି । ଗରଦପୁର ବ୍ଲକର ପଦ୍ମପୁର ପଞ୍ଚାୟତର କିଣିଲୋ, ଡେରାବିଶ ବ୍ଲକ୍ର ସଲାରୋ, ତିକନପୁର, କୁଶିଆପାଳ ଆଦି ସ୍ଥାନରେ ରାଜନୈତିକ ଛକାପଞ୍ଝା, ଉତ୍ତେଜନା ସୃଷ୍ଟି ହୋଇଥିଲା । ପରସ୍ପରବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପୁଣି କିଛି ବୁଥ୍ରେ ଜବରଦଖଲ ଅଭିଯୋଗ ଉଠିଥିଲେ ବି ଏ ବାବଦରେ ଆନୁଷ୍ଠାନିକ ଭାବେ କୌଣସି ଅଭିଯୋଗ କରାଯାଇନି । ପ୍ରାପ୍ତ ସୂଚନା ଅନୁଯାୟୀ, ଇଭିଏମ୍ ତ୍ରୁଟି ଅଭିଯୋଗ ପାଇ କେନ୍ଦ୍ରାପଡ଼ା ପ୍ରଶାସନ ସେଗୁଡ଼ିକୁ ବଦଳାଇ ସମସ୍ୟାର ଯତ୍ପରୋନାସ୍ତି ତ୍ୱରିତ ସମାଧାନ କରିବାକୁ ଉଦ୍ୟମ କରିଥିଲା । ଆବଶ୍ୟକ ସ୍ଥଳେ ମେସିନ୍ ବଦଳା ଯାଇଥିଲା । ଜିଲ୍ଲାର ସମସ୍ତ ସ୍ଥାନରେ ମତଦାନ ଶାନ୍ତିପୂର୍ଣ୍ଣ ରହିଥିବା କହିଛନ୍ତି ଜିଲ୍ଲପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମା । ସେହିପରି ସମସ୍ତ ବୁଥ୍ରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପ୍ରତି ନଜର ରଖିଥିଲେ ପୁଲିସ୍ ଫୋର୍ସ, ଅର୍ଦ୍ଧସାମରିକ ବାହିନୀ । ମୁଖ୍ୟତଃ ନିର୍ବାଚନମଣ୍ଡଳୀକୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ପଥ, ସମ୍ୱେଦନଶୀଳ ବୁଥ୍ରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା । ଆସନ୍ତା ୨୪ ତାରିଖ ବୁଧବାର ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା ହେବ ଏବଂ ପାଟକୁରା କାହା ହାତକୁ ଯାଉଛି ସ୍ପଷ୍ଟ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons