ପାହାଡ଼ ତଳେ ଅଭିଶପ୍ତ ଜୀବନ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ୍): ପାହାଡ ତଳେ ଅଭିଶପ୍ତ ଜୀବନ ଜିଉଁଛନ୍ତି ଗ୍ରାମବାସୀ । ପକ୍କା ରାସ୍ତା ନଥିବା ବେଳେ ପାନୀୟଜଳ ପାଇଁ ବର୍ଷାଦିନେ ବି ହଇରାଣ ହେବାକୁ ପଡୁଛି । ପାଣି ପାଇଁ ଅଧକିମି ଦୂର ନାଳକୁ ଯିବାକୁ ପଡୁଛି । ଗୋଟିଏ ମାତ୍ର ନଳକୂଅଥିବାରୁ ପାଣି ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଦିନ ଗଣ୍ଡଗୋଳ ସୃଷ୍ଟି ହେଉଛି । ଏଭଳି ଅଭିଯୋଗ କରିଛନ୍ତି ଦଶମନ୍ତପୁର ବ୍ଲକ ଏ.ମାଲକାନଗିରି ପଞ୍ଚାୟତ ଚିଙ୍ଗଡାମାଳି ଗ୍ରାମବାସୀ । ପାନୀୟଜଳ ଓ ପକ୍କାରାସ୍ତା ଯୋଗାଇ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।
ଚିଙ୍ଗଡାମାଳି ଗାଁ ପଞ୍ଚାୟତଠାରୁ ପ୍ରାୟ ୧୨କିମି ଦୂରରେ ରହିଛି । ଏଠାରେ ମୋଟ ୪୦ ପରଜା ଆଦିବାସୀ ପରିବାରର ୨ଶହରୁ ଅଧିକ ଲୋକ ବସବାସ କରୁଛନ୍ତି । ଗ୍ରାମବାସୀ ଡଙ୍ଗରରେ ପୋଡୁ ଚାଷ କରିବା ସହ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ସରକାରୀ ବାବୁମାନଙ୍କ ଅସହଯୋଗ ଯୋଗୁ ସେମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା କହିଛନ୍ତି । ଗାଁର ହର ମୁଦୁଲି, ଚୈତନ୍ୟ ମୁଦୁଲି, ଡମୁ ମୁଦୁଲି, ପୁରୁଷୋତ୍ତମ ମୁଦୁଲି ପ୍ରମୁଖ କହିଛନ୍ତି ଯେ, ନିତିଦିନିଆ ରାସ୍ତା ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସିପାରୁନି । ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଖଟିଆରେ ନହେଲେ ଭାର ସାହାଯ୍ୟରେ ବୋହି ଅଢେଇ କିମି ଦୂର ପରଜାପୁକି ଗାଁ ଛକକୁ ନିଆଯାଇ ସେଠାରୁ ଅଟୋ ଭଡା କରି ନହେଲେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଉଛି । ପ୍ରତିବର୍ଷ ପଲ୍ଲୀସଭା ଓ ଗ୍ରାମସଭାରେ ରାସ୍ତା ପାଇଁ ପ୍ରସ୍ତାବ ପାରିତ ହେଉଛି । ହେଲେ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି । ଗାଁରେ ପାନୀୟଜଳ ଅସୁବିଧା ଲାଗିରହିଛି । ଏକ ମାତ୍ର ନଳକୂଅ ଉପରେ ୨ଶହରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ଏତେ ସଂଖ୍ୟକ ଲୋକଙ୍କୁ ଗୋଟିଏମାତ୍ର ନଳକୂଅ ପର୍ଯ୍ୟାପ୍ତ ପାଣି ଯୋଗାଇ ପାରୁ ନାହିଁ । ଫଳରେ ଗାଁଠାରୁ ଅଧକିିମି ଦୂର ଏକ ନାଳରୁ ଦୂଷିତ ଜଳ ସଂଗ୍ରହ କରିବାକୁ ପଡୁଛି । ନାଳପାଣି ବ୍ୟବହାର କରି ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ସକାଳ ହେଲେ ନଳକୂଅ ନିକଟରେ ଗାଁର ମହିଳାମାନେ ପାଣି ନେବା ପାଇଁ ଗଣ୍ଡଗୋଳ କରୁଛନ୍ତି । ଏହି ସମସ୍ୟାକୁ ନେଇ ଜଳ ଓ ପରିମଳ ବିଭାଗ ଓ ସରପଞ୍ଚଙ୍କୁ ବାରମ୍ବାର ଅବଗତ କରାଯାଉଛି । ହେଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ବିଭାଗୀୟ କନିÂ ଯନ୍ତ୍ରୀ ସଞ୍ଜିତକୁମାର ଅଲିଙ୍କୁ ପଚାରିବାରେ ବର୍ଷା ପରେ ଗାଁରେ ଆଉ ଏକ ନଳକୂଅ ଖୋଲାଯିବ ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଚିଙ୍ଗଡାମାଳି ଗାଁର ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons