ପୁଅ ସମ୍ମୁଖରେ ବାପାକୁ ଦଳିଦେଲା ହାତୀ

Get real time updates directly on you device, subscribe now.

ପରଜଙ୍ଗ: ପୁଅ ସମ୍ମୁଖରେ ବାପାକୁ ହାତୀ ଦଳି ମାରିଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ବ୍ଲକ୍‌ କନ୍ଦରସିଂହା ପଞ୍ଚାୟତ ମଝିକାସାହି ରାସ୍ତାରେ । ମୃତକ ହେଲେ ମଝିକାସାହି ବାସିନ୍ଦା ନିରଞ୍ଜନ ସ୍ୱାଇଁ(୪୫)।
ସୂଚନା ଅନୁଯାୟୀ, ପିତିରି ପଞ୍ଚାୟତ ଖଇରାମୁଣ୍ଡାର ମୂଳବାସିନ୍ଦା ନିରଞ୍ଜନ କିଛି ବର୍ଷ ହେଲା କନ୍ଦରସିଂହା ମଝିକାସାହିରେ ସପରିବାରେ ରହିଆସୁଥିଲେ । ରାଜମିସ୍ତ୍ରୀ ଭାବେ କାର୍ୟ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ବୁଧବାର ଦିନ ନିରଞ୍ଜନ ଓ ତାଙ୍କ ୧୨ ବର୍ଷର ପୁଅ ନଗେନ ଧାନ ପେଷାଇବାକୁ କନ୍ଦରସିଂହା ଯାଇଥିଲେ । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସେଠାରୁ ସେମାନେ ମଝିକାସାହିକୁ ସାଇକେଲ୍‌ରେ ଚାଉଳ ଧରି ଫେରୁଥିବା ବେଳେ ରାସ୍ତାରେ ହାତୀ ହାବୁଡ଼ରେ ପଡ଼ିଥିଲେ । କେହି କିଛି ବୁଝିବା ପୂର୍ବରୁ ହାତୀଟି ନିରଞ୍ଜନଙ୍କୁ ଦଳି ମାରିଦେଇଥିଲା । ତାଙ୍କ ପୁଅ ଜୀବନ ବିକଳେ ଘଟଣା ସ୍ଥଳରୁ ଦୌଡ଼ି ଘରକୁ ପଳାଇ ଯାଇ ସମସ୍ତ ଘଟଣା ଜଣାଇଥିଲେ । ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ହାତୀଟି ସେଠାରୁ ପଳାଇ ଯାଇଥିଲା । ନିରଞ୍ଜନଙ୍କ ମୃତ୍ୟୁ ହୋଇସାରିଥିଲା । ଏ ସମ୍ପର୍କରେ ଗ୍ରାମବାସୀ ଅବଗତ କରାଇବା ପରେ ମହାବିରୋଡ଼ ରେଞ୍ଜର ସୁବ୍ରତ କୁମାର ବେହେରା ସଦଳବଳ ପହଞ୍ଚି ତଦନ୍ତ କରିଥିଲେ । ହାତୀ ଆକ୍ରମଣରେ ବାରମ୍ବାର ଧନଜୀବନ କ୍ଷୟକ୍ଷତି ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons