ଜୟପୁର: ସଦର ପୁଲିସକୁ ଆଉ ଏକ ସଫଳତା । ପଟାଙ୍ଗି ସୀମାନ୍ତରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ଧରାପଡ଼ିଛି ୪୩୮ କେଜି ଗଞ୍ଜେଇ । କାରବାରରେ ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ରହିଛନ୍ତି ଜଣେ ହୋମଗାଡର଼୍ । ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ଫୈଜାବାଦ୍ ଜିଲ୍ଲା ରାମପୁରର ଉମାଶଙ୍କର ସିଂ(୨୬), ରାୟବରେଲି ଜିଲ୍ଲା ଅସରଫାବାଦ୍ର ତେଜବାହାଦୂର ସିଂ(୫୧), କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଢାମଣାହାଣ୍ଡିର ବ୍ରଜେନ୍ଦ୍ର ବ୍ରହ୍ମା ଓରଫ ମୁନା(୫୨), ସୂତିପଦରର ସୁନାଧର ହରିଜନ(୩୬), କେନ୍ଦୁଗୁଡ଼ାର ଅକ୍ଷୟକୁମାର ସ୍ୱାଇଁ(୩୪) ଏବଂ ଜୟପୁର ସଦର ଥାନା ଏରାପଲ୍ଲୀର ବିଶ୍ୱନାଥ ଭଣ୍ଡାରୀ(୩୦) । କେନ୍ଦୁଗୁଡ଼ାର ଅକ୍ଷୟ କୋଟପାଡ଼ ଥାନାରେ ଜଣେ ହୋମଗାଡର଼୍ ଭାବେ କାମ କରୁଥିଲେ । ଅଭିଯୁକ୍ତଙ୍କ ପାଖରୁ ଗଞ୍ଜେଇ ସହ ଏକ କଣ୍ଟେନର, କାର୍, ନଗଦ ୯ ଲକ୍ଷ ଟଙ୍କା ଏବଂ ୬ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି । ଥରକେ ଏତେ ନଗଦ ଟଙ୍କା ଜବତ ହେବା ପ୍ରଥମ ଘଟଣା ବୋଲି ସେ ସୂଚନା ଦେଇଛନ୍ତି ।
ସ୍ଥାନୀୟ ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରାଙ୍କ ସହ ସଦର ଓଆଇସି ଆଦିତ୍ୟ ମହାକୁଡ଼ ଉପସ୍ଥିତ ଥିଲେ । ପୁଲିସ ସୂଚନା ଅନୁଯାୟୀ, ଗତ ୧୦ ତାରିଖ ଅପରାହ୍ନ ପ୍ରାୟ ସାଢେ ଗୋଟାଏରେ କୋରାପୁଟ ପଟୁ ଏକ କଣ୍ଟେନରରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଓଆଇସି ଶ୍ରୀ ମହାକୁଡ଼ଙ୍କୁ ଖବର ମିଳିଥିଲା । ଏସ୍ଆଇ ନବୀନକୁମାର ଟପ୍ପୋ, ଅଜିତସିଂ ବରିହା, ପ୍ରଶାନ୍ତକୁମାର ମହାନ୍ତି, ଏଏସ୍ଆଇ ଗଣେଶପ୍ରସାଦ ବେହେରା, ସୁରେନ୍ଦ୍ରକୁମାର ସାମଲ ଏବଂ ଅନ୍ୟ କର୍ମଚାରୀ ଏନଏଚ୍-୨୬ କୋରାପୁଟ ଘାଟିରେ ଛପି ରହିଥିଲେ । ଏହି ସମୟରେ କଣ୍ଟେନର୍ (ୟୁପି ୭୮ ସିଏନ୍-୬୩୭୧) ଜୟପୁର ଅଭିମୁଖେ ଆସିଥିଲା । ଅଧିକାରୀମାନେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ । ଡ୍ରାଇଭର କ୍ୟାବିନ୍ ଭିତରେ ଏକ ସ୍ୱତନ୍ତ୍ର ଚାମ୍ବର କରାଯାଇ ଗଞ୍ଜେଇ ରଖାଯାଇଥିବା ଦେଖିବାକୁ ମିଳିଥିଲା । ପଚରାଉଚରା ବେଳେ ଗଞ୍ଜେଇ ସୁଙ୍କି ସୀମାନ୍ତ ଅଞ୍ଚଳରୁ ଉତ୍ତରପ୍ରଦେଶ ନେଉଥିବା ଉଭୟ ଗାଡ଼ି ଡ୍ରାଇଭର ତେଜବାହାଦୂର ଏବଂ କେତ୍ରା ଉମାଶଙ୍କର ମାନିଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଅଧିକ ପଚରାଉଚରା ବେଳେ ଉଭୟ କୋଟପାଡ଼ ବ୍ଲକ ଢାମଣାହାଣ୍ଡିର ବ୍ରଜେନ୍ଦ୍ରକୁ ୯ ଲକ୍ଷ ଟଙ୍କା ପ୍ରଦାନ କରିଥିବା କହିଥିଲେ । ଏସ୍ପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିଦେ୍ର୍ଧଶକ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ଏହାର ନେତୃତ୍ୱ ନେଇଥିଲେ ଏସଡିପିଓ ଶ୍ରୀ ବେହେରା । ସଦର ଓଆଇସି ଶ୍ରୀ ମହାକୁଡ଼, ଟାଉନ ଥାନା ଏସ୍ଆଇ ରିଗାନ୍ କିଣ୍ଡୋ, କୋଟପାଡ଼ ଥାନା ଆଇଆଇସି ଶେଷଦେବ ବେହେରା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ବିଳମ୍ବିତ ରାତିରେ ଢାମଣାହାଣ୍ଡି, ସୂତିପଦର ଏବଂ ଏରାପଲ୍ଲୀରେ ଚଢଉ କରାଯାଇଥିଲା । ଢାମଣାହାଣ୍ଡିର ବ୍ରଜେନ୍ଦ୍ରଙ୍କ ପାଖରୁ ନଗଦ ୯ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ହୋମଗାଡର଼୍ ଥାଇ ଅକ୍ଷୟ ଏବଂ ବିଶ୍ୱନାଥ ଗଞ୍ଜେଇ ସଂଗ୍ରହରେ ସାହାଯ୍ୟ କରୁଥିଲେ । ସୁନାଧର ଏସକର୍ଟ ଭାବେ କାମ କରୁଥିଲା । କାରବାରରେ ସଂପୃକ୍ତ ଏକ କାର(ସିଜି ୦୪ ଏଚଆର-୪୫୭୯)କୁ ଜବତ କରାଯାଇଥିଲା । ଗିରଫ ପରେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏସଆଇ ନବୀନକୁମାର ଟପ୍ପୋ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ସାଢେ ୫ ମାସ ମଧ୍ୟରେ ସଦର ପୁଲିସ ୧୮ଟି ଗଞ୍ଜେଇ ମାମଲା ରୁଜୁ କରିଛି । ସେ ଭିତରେ କେବଳ ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ୪ଟି ମାମଲା ରହିଛି । ଆଜି ଅର୍ଥାତ୍ ଜୁନ୍ ୧୧କୁ ମିଶାଇ ୧୮ଟି ମାମଲାରେ ୪୮ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ପାଖରୁ ୫ ହଜାର ୫୩୮ କେଜି ଗଞ୍ଜେଇ ଜବତ କରାଯାଇଛି । ୩ଟି ଟ୍ରକ, ୨ଟି କଣ୍ଟେନର, ୧୧ଟି କାର, ୨ଟି ଭ୍ୟାନ୍, ୪ଟି ବାଇକ୍, ଗୋଟିଏ ଲେଖାଏଁ ଅଟୋ ଓ ସ୍କୁଟି ସହ ୪୭ ଟି ମୋବାଇଲ ଫୋନ୍ ଏବଂ ନଗଦ ୯ ଲକ୍ଷ ୭୮ ହଜାର ଟଙ୍କା ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୫ କୋଟି ୬୦ ଲକ୍ଷ ଟଙ୍କା ହେବ ।
ଜାତୀୟରାଜପଥରୁ କୋର୍ଟ ଯିବା ରାସ୍ତାରେ ଫୁଟେ ଲମ୍ବର ଗାତ ହୋଇଯାଇଛି । ଗାତ ଚାରିପଟେ ପଥର ଓ ଇଟା ରଖାଯାଇଛି । ଏହାକୁ ଦେଖି ଲୋକେ ସତର୍କ ହୋଇ ଯାଉଛନ୍ତି । ସେହିପରି ସପ୍ତାହରୁ ଅଧିକ ଦିନ ହେଲାଣି ଘାଟବାଗରାରୁ କୁନ୍ଦୁରା ରାସ୍ତାରେ ମଧ୍ୟ ଗାତ ସୃଷ୍ଟି ହୋଇଛି । ବଡ଼ ଗାତ ହୋଇଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି । ଲୋକେ ବାଧ୍ୟହୋଇ ଗାତ ନିକଟରେ ଡାଳ ରଖି ଯିବାଆସିବା କରୁଥିବା ବ୍ୟକ୍ତିଙ୍କୁ ସତର୍କ କରାଉଛନ୍ତି । ଗାତ ଯୋଗୁ ଛୋଟବଡ ଦୁର୍ଘଟଣା ହୋଇ ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.