ଜୟପୁର,(ବି.ବି.ନ୍ୟୁଜ୍): ମହାରଣୀପେଟା ଅଞ୍ଚଳରୁ ଗ୍ରୁପ ଟଙ୍କା ଧରି ଜଣେ ମହିଳା ଫେରାର ହେବା ମାମଲାର ସମାଧାନ ନହେଉଣୁ ଆଉ ଏକ ଘଟଣା ଏବେ ପଦାକୁ ଆସିଛି । ନୂଆସାହି ଅଞ୍ଚଳର ଜଣେ ମହିଳା ୨୮ ଜଣ ଜମାକାରୀଙ୍କ ୪ ଲକ୍ଷରୁ ଅଧିକ ଟଙ୍କା ଧରି ଛୁ ମାରିଛନ୍ତି । ଅନ୍ୟପକ୍ଷରେ ଟଙ୍କା ଜମା ନକରିବାରୁ ଲୋନ୍ ଦେଇଥିବା ସଂସ୍ଥା ବାରମ୍ବାର ସାହିରେ ପହଞ୍ଚି ଅନ୍ୟ ସଦସ୍ୟମାନଙ୍କୁ ତାଗିଦ୍ କରୁଛି । ଲୋନ ଟଙ୍କା ନଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦେଉଛି । ଅନ୍ୟ ଉପାୟ ନପାଇ ଶେଷରେ ମହିଳାମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି ।
ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ୨୮ ନମ୍ବର ୱାର୍ଡ ନୂଆସାହି ପଞ୍ଚମ ଗଳିର ମହିଳାମାନେ ଗ୍ରୁପ କରି ଏକ ଅର୍ଥଲଗାଣକାରୀ ସଂସ୍ଥା ପାଖରୁ ଲୋନ ଆକାରରେ ଟଙ୍କା ଆଣିଛନ୍ତି । ଏହି ଲୋନ କରିଦେବାରେ ସାହିର ଦୁର୍ଯ୍ୟୋଧନ ବାଘଙ୍କ ସ୍ତ୍ରୀ ରାଧାମଣୀ ବାଘ ସହଯୋଗ କରିଥିଲେ । ଯାହାଙ୍କୁ ଲୋନ୍ ଦରକାର ସେ ହିଁ କମ୍ପାନୀକୁ କହି ଲୋନ କରୁଥିଲେ । ବଦଳରେ ମଞ୍ଜୁର ହୋଇଥିବା ଟଙ୍କାର ଅଧା ନେଉଥିଲେ । ନେଉଥିବା ଅଧା ଟଙ୍କା ଓ ସୁଧ ନିଜେ ପରିଶୋଧ କରୁଥିଲେ । ବଳକା ଋଣ ଟଙ୍କା ପରିଶୋଧ କରୁଥିଲେ ଅନ୍ୟ ମହିଳାମାନେ । ଗତ ୨ ବର୍ଷ ଧରି ଏଭଳି ଚାଲିଥିଲା । କିଛିଦିନ ତଳେ ସାହିର ୨୮ ଜଣଙ୍କ ପାଖରୁ ୪ ଲକ୍ଷ ୧୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ରାଧାମଣୀ । ଫୋନ କଲେ ଉଠାଉନାହାନ୍ତି । ନିଜେ ଭାଗର ଟଙ୍କା ବାନ୍ଧୁନଥିବାରୁ ଅର୍ଥଲଗାଣକାରୀ ସଂସ୍ଥା ସାହିକୁ ଆସି ଅନ୍ୟ ମହିଳାଙ୍କୁ ତାଗିଦ କରୁଛି । କେସ୍ କରାଯିବ ବୋଲି ଧମକ ଦେଉଛି । ସମସ୍ତେ ଗରିବ ଖଟିଖିଆ ଶ୍ରେଣୀର ହୋଇଥିବାରୁ ଟଙ୍କା କିପରି ପରିଶୋଧ କରିବେ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ।
କାକଳୀ ଡଙ୍ଗରୀଙ୍କ ୩୦ ହଜାର, ଗାୟତ୍ରୀ ସୁନାଙ୍କ ୧୮ ହଜାର, ସମଲା ଖରାଙ୍କ ୧୦ ହଜାର, ଭବାନୀ ନାଗଙ୍କ ୩୯ ହଜାର, ମାମି ଗରଡାଙ୍କ ୧୦ ହଜାର, ରାୟଲ ଭଇଁସାଙ୍କ ୩୧ ହଜାର, ଦୟା ମମତା ଡଙ୍ଗରୀଙ୍କ ୧୪ ହଜାର, ଣଶ୍ମି ଭଇଁଷାଙ୍କ ୨୦ ହଜାର, ବୁଢି ଖରାଙ୍କ ୨୦ ହଜାର, ବୁଢି ପାଣିଙ୍କ ୫ ହଜାର ଇଶ୍ୱରୀ କଇର୍ଚଙ୍କ ୮ ହଜାର, ଶୁଖମତି କଇଁଚର ୧୨ ହଜାର, ଶାନ୍ତି ସାଗରଙ୍କ ୧୨ ହଜାର, ସୁନିତା ନାୟକଙ୍କ ୧୮ ହଜାର, ଲତା ନାଗଙ୍କ ୧୮ ହଜାର, ରିତା ନାଗଙ୍କ ୧୫ ହଜର, ବିମଳା ବେହେରାଙ୍କ ୨୫ ହଜାର, ଯଶୋଦା ନାୟକଙ୍କ ୭ ହଜାର, ଝିଲିଙ୍କ ୭ ହଜାର, ସନ୍ତୋଷୀଙ୍କ ୭ ହଜାର, ହେନାଙ୍କ ୫ ହଜାର, ଲକ୍ଷ୍ମୀ ଦିୟାଲଙ୍କ ୭ ହଜାର, ଶିବାନୀ ନାୟକଙ୍କ ୭ ହଜାର, କୁନି ନାୟକଙ୍କ ୭ ହଜାର, ପୁନମଙ୍କ ୨୫ ହଜାର, ସୁରେଖାଙ୍କ ୨୦ ହଜାର ଏବଂ ସରସ୍ୱତୀ ବେହେରାଙ୍କ ୧୦ ହଜାର ଏହିପରି ୨୮ ଜଣଙ୍କ ୪ ଲକ୍ଷରୁ ଅଧିକ ଟଙ୍କା ରାଧା ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏ ସମ୍ପର୍କରେ ଟାଉନଥାନା ଆଇଆଇସି ବାଲେଶ୍ୱର ଗିଦ୍ଧି କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ।
Comments are closed, but trackbacks and pingbacks are open.