ପୁତ୍ର ଉପରୁ ଆଶା ଛାଡ଼ି ରାଷ୍ଟ୍ରକୁ ସମ୍ପତ୍ତି ଦାନ କଲେ ପିତା

Get real time updates directly on you device, subscribe now.

ଯାଜପୁର, (ବି.ବି.ନ୍ୟୁଜ୍): ପୁତ୍ରର ନିର୍ଯାତନା ଅସହ୍ୟ ହେବାରୁ ଜଣେ ପିତା ନିଜର ସମସ୍ତ ସମ୍ପତ୍ତିକୁ ଜିଲ୍ଲାପାଳଙ୍କ ମାର୍ଫତରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଦାନ କରିଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁରର ଏଭଳି ଏକ ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି ।
ଆଜି ଦଶରଥପୁର ବ୍ଲକ ଅନ୍ତର୍ଗତ ମୁରାରୀପୁର ଗ୍ରାମର ବରିଷ୍ଠ ନାଗରିକ କ୍ଷେତ୍ର ମୋହନ ମିଶ୍ର(୭୫ବର୍ଷ) ଯାଜପୁର ଜିଲ୍ଳାପାଳ ରଂଜନ କୁମାର ଦାସଙ୍କ ନିକଟରେ ପୁଅବୋହୂଙ୍କ ନିର୍ଯାତନାରେ ଜର୍ଜରିତ ହୋଇ ସରକାରଙ୍କ ଆଶ୍ରାରେ ବଞ୍ଚି ରହିବା ପାଇଁ ଆକୁଳ ନିବେଦନ କରିଛନ୍ତି । ପୈତୃକ ସମ୍ପତ୍ତି ଉପରେ ପୁତ୍ରର ପିତୃଦତ୍ତ ଅଧିକାରକୁ ଛିନ୍ନ କରି କ୍ଷେତ୍ର ମୋହନ ନିଜର ସମସ୍ତ ସମ୍ପତ୍ତି ଜିଲ୍ଲାପାଳଙ୍କ ମାର୍ଫତରେ ରାଷ୍ଟ୍ରକୁ ଦାନ କରିଛନ୍ତି । ଏ ନେଇ ଏକ ଉଇଲ ପତ୍ର ବି କ୍ଷେତ୍ର ମୋହନ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଉଇଲ ପତ୍ରରେ ଲିଖିତ ଅଭିଯୋଗର ସାରାଂଶ ବି ବେଶ ମାର୍ମିକ ଓ ହୃଦୟ ବିଦାରକ ।
କ୍ଷେତ୍ର ମୋହନ ନିଜ ଦରଖାସ୍ତ ସଂଯୁକ୍ତ ଉଇଲ ପତ୍ରରେ ଲେଖିଛନ୍ତି, ତାଙ୍କର ଏକମାତ୍ର ପୁତ୍ର ଓ ପୁତ୍ରବଧୂ ୩୦ ବର୍ଷ ଧରି ତାଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି । ବୋହୂ କି ପୁଅ ପିତାଙ୍କ ଭରଣ ପୋଷଣ କରୁ ନାହାନ୍ତି । ବୟସ ଥିଲା ବେଳେ ଯେନତେନ କ୍ଷେତ୍ର ମୋହନ ଚଳି ଆସୁଥିଲେ । ପରିଣତ ବୟସରେ ତାଙ୍କ ଦାୟିତ୍ୱ ନେବାକୁ କେହି ନାହାନ୍ତି । ପୁଅବୋହୂଙ୍କ ଠାରୁ ଶେଷରେ ଆଶା ତୁଟାଇ, ସେ ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଜିଲ୍ଲାପାଳଙ୍କ ନାଁରେ ଉଇଲ କରି ଦେଇଛନ୍ତି । ଜିଲ୍ଲାପାଳଙ୍କ ମାର୍ଫତରେ ଏକ ଜରାଶ୍ରମରେ ଅବଶିଷ୍ଟ ଜୀବନ ବିତାଇ ଦେବାକୁ ସେ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି । ଏପରିକି ତାଙ୍କ ମୃତ୍ୟୁ ପରେ ମୃତଶରୀରକୁ ମଧ୍ୟ ଦାନ କରିବାକୁ ଚାହିଁଛନ୍ତି । ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିକୁ ରାଷ୍ଟ୍ରହିତ ପାଇଁ ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି ।
ଜିଲ୍ଲାପାଳ କ୍ଷେତ୍ର ମୋହନଙ୍କ ଠାରୁ ଏଭଳି ଆବେଦନ ପତ୍ର ପାଇବା ପରେ ଚଣ୍ଡିଖୋଲ ସ୍ଥିତ ଏକ ସ୍ୱେଚ୍ଛାସେବୀ ସଂଗଠନରେ କ୍ଷେତ୍ର ମୋହନଙ୍କୁ ରଖିବାକୁ ଉଦ୍ୟମ କରିଛନ୍ତି । ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି ଯେ, କ୍ଷେତ୍ରମୋହନଙ୍କ ସମ୍ପତ୍ତିକୁ ବ୍ୟବହାର କରି ଏକ ଜରାଶ୍ରମ ପ୍ରତିଷ୍ଠା କରାଯିବ । ଭବିଷ୍ୟତରେ କ୍ଷେତ୍ରମୋହନଙ୍କ ଭଳି ନିର୍ଯାତିତ ବୃଦ୍ଧ/ବୃଦ୍ଧାଙ୍କୁ ସମ୍ପୃକ୍ତ ଜରାଶ୍ରମରେ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି ।
ସାଧାରଣତଃ ବାର୍ଦ୍ଧକ୍ୟ ଅବସ୍ଥାରେ ପୁଅଝିଅ କିମ୍ବା ବୋହୂ ପିତାମାତାଙ୍କ ଆଶାବାଡ଼ି ସାଜନ୍ତି । ପିତାମାତାଙ୍କ ଏହି ଆଶାକୁ ଅନେକ ପୁଅ-ବୋହୂ ପୂରଣ କରନ୍ତି । କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ବି ଦେଖିବାକୁ ମିଳେ । ବୃଦ୍ଧାବସ୍ଥାରେ ପୁଅବୋହୂଙ୍କ ସେବା ବଦଳରେ ନିର୍ଯାତନା ମିଳିଲେ ବୁଢ଼ାବାପା ମୁଣ୍ଡରେ ଚଡ଼କ ପଡ଼େ । ଏଭଳି ଅବସ୍ଥା ଆସେ ଯେ, ଶେଷରେ ଯେଉଁ ପୁଅ ପାଇଁ ପିତା ସମ୍ପତ୍ତି ଅର୍ଜନ କରିଥାଏ, ସେହି ସମ୍ପତ୍ତିକୁ ରାଷ୍ଟ୍ର ହାତରେ ଟେକି ଦେଇ ସରକାରଙ୍କ ଆଶ୍ରାରେ ବଞ୍ଚି ରହିବା ପାଇଁ ବୃଦ୍ଧ ପିତା ଆକୁଳ ନିବେଦନ କରିବାକୁ ଆଗେଇ ଆସେ । ଦଶରଥପୁରର ଏହି ଜ୍ୱଳନ୍ତ ଉଦାହରଣ ଏଭଳି ପୁତ୍ର-ପୁତ୍ରବଧୂଙ୍କ ପାଇଁ ଏକ ଚେତାବନୀ ନିଶ୍ଚିତ ବୋଲି ଜିଲ୍ଲାବ୍ୟାପୀ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons