କଟକ,(ବି.ବି.ବ୍ୟୁରୋ): ତିନିଜଣଙ୍କୁ ତଣ୍ଟି କାଟି ବୀଭତ୍ସ ଭାବେ ହତ୍ୟା କରିଥିବା ସିରିଏଲ୍ କିଲର୍ ‘ନାଇଫ୍ ମ୍ୟାନ୍’ ନାରାୟଣ ସାହୁ ପୁଲିସ ନୟାନ୍ତ କଲାଣି । କେତେବେଳେ ସେ ନିଜକୁ ହତ୍ୟାକାରୀ ବୋଲି ମାନି ନେଉଛି ତ, କେତେବେଳେ ନିଜ ବୟାନରୁ ଓହରିଯାଉଛି । ପୁଣିକେବେ ପଦେ କହି ଦୀର୍ଘ ସମୟ ଗୁମ୍ ହୋଇ ବସୁଛି । ଏଭଳି ସ୍ଥିତିରେ ପୁଲିସ ତାକୁ ଜେରା କରି କିଭଳି ସବୁ ତଥ୍ୟ ଓକାଳିବ ସେ ନେଇ ହରଡ଼ଘଣାରେ ପଡିଛି । କୋର୍ଟ ଚାଲାଣ ପୂର୍ବରୁ ତାକୁ ଦୋଷୀ ସାବ୍ୟସ୍ତ କଲା ଭଳି ତଥ୍ୟପ୍ରମାଣ ଯୋଗାଡ଼ ଉପରେ ପୁଲିସ ଜୋର ଦେଉଥିବା ବେଳେ ନାରାୟଣ ଆଚରଣ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଘଣ୍ଟା ଘଣ୍ଟା ଜେରା ପରେ ବି ପୁଲିସ ନାରାୟଣଠାରୁ ସବୁ ତଥ୍ୟ ନେଇପାରୁନାହିଁ ।
ଗତ ୨୮ ତାରିଖ ରାତିରୁ ପୁଲିସ କବ୍ଜାରେ ଅଛି ନାରାୟଣ । ନୟାଗଡ଼ ଓଡ଼ଗାଁ ଥାନା ଅନ୍ତର୍ଗତ ସୁନାମୁହିଁ ଗ୍ରାମରୁ ତାକୁ ଉଠାଇ ଆଣିଲା ପରେ କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ତାକୁ ଘନଘନ ଜେରା କରୁଛନ୍ତି । ପ୍ରଥମେ ଥାନା ସ୍ତରର କିଛି ଅଧିକାରୀ ଜେରା କରୁଥିଲେ । ଏହି ସମୟରେ ସେ ତାର ଅପରାଧକୁ ସ୍ୱୀକାର କରିଥିଲା । ଏହା ପରେ ପୁଲିସ ଚିନ୍ତା କରୁଥିଲା ତୁରନ୍ତ ତାର ଷ୍ଟେଟ୍ମେଣ୍ଟ୍ ରେକର୍ଡ କରି କୋର୍ଟଚାଲାଣ କରିବ । ହେଲେ ଠିକ୍ ସମୟରେ ନାରାୟଣ ତାର ବୟାନ ବଦଳାଇବା ଆରମ୍ଭ କଲା । ତଦନ୍ତରେ ସାମିଲ ଥିବା ବରିଷ୍ଠ ଅଧିକାରୀମାନେ ବୟାନ ରେକର୍ଡ ପାଇଁ ଉଦ୍ୟମ କଲା ବେଳେ ନାରାୟଣ ନିଜ କଥାରୁ ଓହରିଗଲା । କେତେ ବେଳେ ଅପରାଧରେ ସାମିଲ ଅଛି ବୋଲି କହିଲା ତ କେତେ ବେଳେ ଘଟଣା ବିଷୟରେ କିଛି ବି ଜାଣିନି ବୋଲି କହିଲା । ଏପରିକି ତଦନ୍ତ ବେଳେ ଖୋଦ୍ ପୁଲିସ କମିସନର ଓ ଡିସିପିଙ୍କ ସହିତ କ୍ରାଇମବ୍ରାଞ୍ଚ ଆଇଜି ଉପସ୍ଥିତ ଥିବା ବେଳେ ସେ ତାର ବୟାନକୁ ଜାଣିଶୁଣି ବଦଳାଇବାରେ ଲାଗିଲା । ଗତକାଲି ଦିନ ସମୟରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବରିଷ୍ଠ ଅଧିକାରୀମାନେ ତାକୁ ଜେରା କରିଛନ୍ତି । ମାତ୍ର ସେ ସବୁ ଥରକ ନୂଆ ନୂଆ କାହାଣୀ ବା ଥିଓରି ଶୁଣାଉଥାଏ । ହତ୍ୟାରେ ବ୍ୟବହାର କରିଥିବା ହତିଆରକୁ ନେଇ ମଧ୍ୟ ସେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ପ୍ରାରମ୍ଭିକ ତଦନ୍ତରେ ମାନିଥିଲା ଯେ, କଟକର ଏକ ସ୍ଥାନରେ ସେ ହତିଆରକୁ ଲୁଚାଇ ରଖିଛି । ମାତ୍ର ଏବେ ଏକାଧିକ କଥା କହୁଛି । ହତିଆର ଖୋଜିବା ପାଇଁ ପୁଲିସର ଦୁଇଟି ଟିମ୍ ଏକାଧିକ ସ୍ଥାନ ଛାନ୍ଭିନ୍ କରିସାରିଲେଣି ମାତ୍ର ତାହା ମିଳୁନି । ପୁଲିସ ତାକୁ ଗତକାଲି ରାତିରେ ନେଇ ହତ୍ୟାକାଣ୍ଡ ସ୍ଥଳ ବୁଲାଇ ସାରିଛି । ତଥାପି ସେ ତାର ବୟାନରେ ଘନଘନ ପରିବର୍ତ୍ତନ କରୁଛି । ଯାହାକୁ ନେଇ ପୁଲିସ ଏବେ ଅଡ଼ୁଆରେ ପଡ଼ିଛି । ଅନ୍ୟପଟେ ଗତକାଲିଠାରୁ ନାରାୟଣ ଭଲ ଭାବେ ଖାଇବା ପିଇବା କରୁନଥିବା ପୁଲିସ କହିଛି । ଖାଦ୍ୟ ଅଭାବରୁ କାଳେ ତାର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବ ସେଥିପାଇଁ ପୁଲିସ ଗତକାଲିଠାରୁ ଦୁଇ ଥର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିସାରିଲାଣି । ୪୮ ଘଣ୍ଟା ହେବ ପୁଲିସ ନାରାୟଣକୁ ଅଟକ ରଖିଛି । ତେଣୁ ଆସନ୍ତାକାଲି କେମିତି ନାରାୟଣଙ୍କୁ କୋର୍ଟ ଚାଲାଣ କରାଯିବ ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.