ରେଙ୍ଗାଲି,(ବି.ବି.ନ୍ୟୁଜ୍): ତ୍ରିପାକ୍ଷିକ ବୈଠକରେ ଖୋଲାଖୋଲି ବିରୋଧ କରିଥିଲେ । ଲୋକଙ୍କ ଦାବି ପୂରଣ ପରେ ଯାଇ ତଳାବିରା-୨,୩ ଖଣିର କାର୍ଯ୍ୟ ଆରମ୍ଭ ହେଉ ବୋଲି ପ୍ରଭାବିତ ଲୋକେ ଦାବି କରି ଆସୁଛନ୍ତି । ହେଲେ ଏହାକୁ ସଂପୂର୍ଣ ଭାବେ ଅଣଦେଖା କରି ଆଜି ପୁଲିସ ସହାୟତାରେ ଏନ୍ଏଲ୍ସି କଂପାନି ବଳପୂର୍ବକ ଖିଣ୍ଡା ପଞ୍ଚାୟତର ଜଙ୍ଗଲ ଜମିରେ ଗଛ କାଟିବା ଆରମ୍ଭ କରିଛି । ଫଳରେ ହଜାର ସଂଖ୍ୟାରେ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରି କଂପାନି କର୍ମଚାରୀ ଏବଂ ପୁଲିସକୁ ଘଉଡାଇ ଦେଇଛନ୍ତି । ପ୍ରଥମେ କମ୍ପାନି ଉପଯୁକ୍ତ କ୍ଷତିପୂରଣ, ଥଇଥାନ, ସ୍ଥାୟୀ ନିଯୁକ୍ତି ଦେଲା ପରେ କାମ ଆରମ୍ଭ କରିବ । ନଚେତ ବିରୋଧ ଜାରି ରହିବ ବୋଲି ପ୍ରଭାବିତ ଖିଣ୍ଡା, ତଲାବିରା, ବୁଧିଆପାଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।
ସୂଚନା ମତେ, ସମ୍ବଲପୁର ଜିଲ୍ଲାର ତଳାବିରାର ୨ ଏବଂ ୩ ନମ୍ବର ଖଣିକୁ ନବରତ୍ନ କଂପାନି ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ (ଏନ୍ଏଲ୍ସି) ଗତ ୨୦୧୬ ମସିହାରୁ ନିଜ ଦଖଲକୁ ନେଇଛି । ନୂତନ ଭାବେ ହେବାକୁ ଥିବା ଏହି ଖଣିରେ ଉଭୟ ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାର ୮ରୁ ଅଧିକ ଗାଁ ପ୍ରଭାବିତ ହେବାକୁ ଯାଉଛି । ହେଲେ ଏହି କଂପାନି ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ଉପଯୁକ୍ତ ଥଇଥାନ ଏବଂ କ୍ଷତିପୂରଣ ପ୍ରଦାନ ନ କରି ଖଣି କାମ ଆରମ୍ଭ କରିବାକୁ ଯାଉଛି । ଏହାକୁ ନେଇ ଦୀର୍ଘ ଦିନ ହେଲା ଅଶାନ୍ତି ଲାଗି ରହିଛି । କଂପାନି ଖଣି ଅଞ୍ଚଳର ଗଛ କଟା ପାଇଁ ପରିବେଶ ମଞ୍ଜୁରି ପାଇସାରିଥିବାରୁ ଏହାକୁ ଆଳ କରି ପ୍ରଭାବିତଙ୍କ ଦାବିକୁ ଅଣଦେଖା କରି ବଳପୂର୍ବକ ଜଙ୍ଗଲ ଜମି ଅକ୍ତିଆର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।
ଏନେଇ ଦୁଇ ଦିନ ପୂର୍ବରୁ ଜଙ୍ଗଲ ଜମିରୁ ଗଛ କଟା ପ୍ରସଙ୍ଗରେ ଠେଲକୁଲି ଥାନାରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ, ଉପଯୁକ୍ତ ଥଇଥାନ, କମ୍ପାନିରେ ସିଧାସଳଖ ନିଯୁକ୍ତି, ପାରିପାଶ୍ୱିର୍କ ଉନ୍ନତି ନିର୍ଦ୍ଧାରଣ ପରେ କମ୍ପାନି କାମ ଆରମ୍ଭ କରିବ ବୋଲି ଗ୍ରାମବାସୀ ଶୁଣାଇଥିଲେ । ଜୋରଜବରଦସ୍ତ କାମ ଆରମ୍ଭ କଲେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ବୈଠକ ବିଫଳ ହୋଇଥିଲା । ହେଲେ ଆଜି କମ୍ପାନି ପକ୍ଷରୁ ଜଙ୍ଗଲ ଜମିରେ ଗଛ କଟାଯାଇଥିଲା । ବ୍ୟାପକ ପୁଲିସ୍ ମୁତୟନ ଥିଲେ । ଗ୍ରାମବାସୀ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ôଚ ବିରୋଧ ପ୍ରଦର୍ଶନ କରି କାମ ବନ୍ଦ କରାଇଥିଲେ ।
ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ ବେହେରା, ଅତିରିକ୍ତ ଏସ୍ପି ପ୍ରଦୀପ ମହାପାତ୍ର, ସମ୍ବଲପୁର ଏସ୍ଡିପିଓ ଭବାନୀ ଶଙ୍କର ଉଦ୍ଗାଥା, ବୁର୍ଲା ଏସ୍ଡିପିଓ ଶିଶୁ ରଞ୍ଜନ ମହାପାତ୍ର, ବିଡିଓ ଶିବଶଙ୍କର ପ୍ରସାଦ ସାହୁଙ୍କ ସମେତ ଠେଲକୁଲି, ରେଙ୍ଗାଲି, କତରବଗା ଥାନାଧିକାରୀ ଏବଂ ଆଦାନି ଗ୍ରୁପର ଉପାଧ୍ୟକ୍ଷ ପିକେ ପଣ୍ଡା, ଏଚ୍ଆର୍ ଜିଏମ୍ ଅମର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.