ପୂର୍ତ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପାଟଣାଗଡ଼ ବିଧାୟକ ଉଠବସ୍ କରାଇବା ଘଟଣା:ପୁଲିସ-ଆଦିବାସୀ ଧସ୍ତାଧସ୍ତି

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନ୍ୟୁଜ୍): ପୂର୍ତ୍ତ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ଉଠବସ୍ କରାଇବା ଘଟଣାକୁ ନେଇ ବୁଧବାର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ରାଜରାସ୍ତାକୁ ଓହ୍ଲାଇଛି । ଆଦିବାସୀ ସଂଘ କର୍ମକର୍ତ୍ତା ଏକ ସଶସ୍ତ୍ର ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିବା ବେଳେ ପୁଲିସ ଏବଂ ଆଦିବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଶେଷରେ ପରିସ୍ଥିତି ଏତେ ଅସମ୍ଭାଳ ହୋଇଗଲା ଯେ, ଧସ୍ତାଧସ୍ତିରେ ଜଣେ ପୁଲିସ ଅଧିକାରୀ ଏବଂ କନେଷ୍ଟବଳ ତଳେ ପଡ଼ିଯିବା ପରେ ଆଦିବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଘଟଣାସ୍ଥଳରେ ମୁତୟନ ପୁଲିସ କର୍ମଚାରୀ ସେମାନଙ୍କୁ ଆନ୍ଦୋଳନକାରୀଙ୍କଠାରୁ ଉଦ୍ଧାର କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ପରେ ଆଦିବାସୀ କଲ୍ୟାଣ ମହାସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ବିଧାୟକଙ୍କ ବିରୋଧରେ ପୁଲିସ ୪୮ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସାରା ରାଜ୍ୟର ଆଦିବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।
ବିଧାୟକ ଶ୍ରୀ ମେହେରଙ୍କ ଗିରଫ ଦାବିରେ ସ୍ଥାନୀୟ କୋସଲ କଳାମଣ୍ଡଳ ପଡ଼ିଆଠାରୁ ଦିନ ସାଢ଼େ ୧୧ଟା ବେଳେ ଆଦିବାସୀ ମହାସଂଘର ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାଟି ଭାଗିରଥି ଛକ ଦେଇ କଚେରୀ ଛକଠାରେ ପହଞ୍ଚିବା ପରେ ଆଦିବାସୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । । ପୂର୍ବରୁ ସେଠାରେ ଉପସ୍ଥିତ ଥିବା ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲା । କିନ୍ତୁ ସେମାନେ ବାରମ୍ବାର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଭିଡ଼ ଭିତରେ ଜଣେ ପୁଲିସ କନେଷ୍ଟବଳ ତଳେ ପଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଜଣେ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯିବା ପରେ ତାଙ୍କୁ ମଧ୍ୟ ଠେଲି ତଳେ ପକାଇଦିଆଯାଇଥିଲା । ଟାଉନ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଉଭୟଙ୍କୁ ଉଦ୍ଧାର କରିଥିଲେ । ପରେ ପୁଲିସ ଆଦିବାସୀଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରିବାରୁ ସୋମାନେ ରାଜରାସ୍ତାକୁ ଚାଲିଆସି କଚେରୀ ଛକକୁ ଘେରିଯାଇଥିଲେ । ପ୍ରାୟ ଅଢ଼େଇ ଘଣ୍ଟା ଧରି କଚେରୀ ଛକ ଦେଇ ଯାତାୟାତ ଠପ ହୋଇଯାଇଥିଲା । ଠିକାଦାର ପଡ଼ା ରାସ୍ତା, ଭାଗିରଥି ଛକ ରାସ୍ତା ଏବଂ ସରକାରୀ ବସଷ୍ଟାଣ୍ଡ ରାସ୍ତାରେ ଅନେକ ସଂଖ୍ୟାକ ଯାନବାହନ ଅଟକି ରହିଥିଲା । ଦୀର୍ଘ ସମୟ ପରେ ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ଆଦିବାସୀ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲା । ଆଲୋଚନା ବେଳେ ସଂଘ ପକ୍ଷରୁ କୁହାଯାଇଥିଲା ଯେ, ପାଟଣାଗଡ଼ ଉପଜିଲ୍ଲାପାଳ ଘଟଣାର ତଦନ୍ତ ରିପୋର୍ଟ ଦେଇସାରିଥିଲେ ହେଁ ବିଧାୟକଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । କନିଷ୍ଠ ଯନ୍ତ୍ରୀଙ୍କ ଜୀବନକୁ ବିପଦ ଥିଲେ ସୁଦ୍ଧା ତାଙ୍କୁ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉନାହିଁ । ପୁଲିସ ଜାଣିଶୁଣି ଆଦିବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଶେଷରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଲୋଚନା ବେଳେ ରାଜ୍ୟ ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ପରମାନନ୍ଦ ମାଝୀ, ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସମ୍ପାଦକ ବାଳକୃଷ୍ଣ ଶବର, ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons