ସୋନପୁର : ଚା’ ପିଇବା ବେଳେ ଛୁ ମାରିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଆଣିବା ସମୟରେ ପୋଲିସ ବାବୁ ଗାଡି ରଖି ଚା’ ପିଉଥିଲେ । ପୋଲିସ ବାବୁ ଚା’ ପିଉ ପିଉ ମଉକା ଦେଖି ଚମ୍ପଟ ହୋଇଯାଇଛି ଅଭିଯୁକ୍ତ । ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ବ୍ଲକ୍ ଛକରେ ପୋଲିସ ଟିମ୍ ଅଭିଯୁକ୍ତ ବସିଥିବା ଗାଡିଟିକୁ ରାସ୍ତା କଡରେ ଥୋଇଦେଇ ଚା’ ପିଇବାକୁ ଦୋକାନକୁ ଗଲେ । ଏହାର ସୁଯୋଗ ନେଇ ହାତରେ ହାତକଡି ପଡିଥିବା ସତ୍ତ୍ବେ ଟାଟା ସୁମୋ ଗାଡି ପଛପଟୁ ଖସିଗଲା ଅଭିଯୁକ୍ତ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ପୋଲିସ ସମ୍ବଲପୁରରୁ ଇଲେକ୍ଟ୍ରି ତାର ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଆଣି ଦେଓ ଗାଁ ନେଉଥିଲା । ହେଲେ ବାଟରେ ଏମିତି ଘଟଣା ଘଟିଲା ।
ଅଭିଯୁକ୍ତ ଜଣକ ହେଲେ ସମ୍ବଲପୁର ଗୁଣ୍ଡେରପୁର ଗାଁରୁ ଗୁଲୁଠୁ ଭରାସାଗର । ଦେଓଗାଁ ଆଇଆଇସି ଲୋକନାଥ ଭୋଇଙ୍କ ନେତୃତ୍ବରେ ଏକ ଚାରି ଜଣିଆ ପୋଲିସ ଟିମ୍ ଅଭିଯୁକ୍ତକୁ ଗିରଫ କରି ସୁବର୍ଣ୍ଣପୁର ବାଟ ଦେଇ ଦେଓଗାଁ ନେଉଥିଲେ । ଗାଡି ପଛରେ ବସିଥିଲେ ଅଭିଯୁକ୍ତକୁ ଚିହ୍ନଟ ପାଇଁ ଆସିଥିବା ଯୁବକ ପରମେ ଓ ଅଭିଯୁକ୍ତ ଗୁଲୁଠୁ । ଘଟଣା ପରେ ଦେଓଗାଁ ପୋଲିସ ସୁବର୍ଣ୍ଣପୁର ଛକ ଆଖ ପାଖରେ ଅଭିଯୁକ୍ତକୁ ଖୋଜାଖୋଜି କରିଥିଲା । ଅଭିଯୁକ୍ତକୁ ନପାଇବାରୁ ଖାଲି ହାତରେ ଦେଓଗାଁ ଫେରିଗଲା ।
Comments are closed, but trackbacks and pingbacks are open.