ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ବାନ୍ଧିଲା ପୁଲିସ

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନ୍ୟୁଜ୍): ଜିଲ୍ଲା ଖାଉଟି ଅଦାଲତର ରାୟକୁ ଅବମାନନା କରିବା ଅଭିଯୋଗରେ ବଲାଙ୍ଗୀର ପୋଷ୍ଟାଲ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଦେବୀପ୍ରସାଦ ନାଏକଙ୍କୁ ଆଜି ଆଦର୍ଶ ଥାନା ପୁଲିସ ଗିରଫ କରିଛି । ଡାକ ବିଭାଗର ‘ଇନ୍ଦିରା ବିକାଶ ପତ୍ର’ର ମେଚୁରିଟି ଟଙ୍କା ମିଳିବାରେ ବିଳମ୍ବ ହେବାରୁ ତୁଷୁରାର ଛଗନଲାଲ ଜୈନ ଓ ଜମ୍ମୁକୁମାର ଜୈନ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ମାମଲାକୁ ନେଇ ରାଜ୍ୟ ଖାଉଟି ଅଦାଲତ ରାୟ ଦେଇସାରିଥିବା ବେଳେ ଡାକ ଅଧୀକ୍ଷକ ଏହାକୁ ଅବମାନନା କରିଥିବା ଅଭିଯୋଗ ହୋଇଥିଲା । ତେଣୁ ତାଙ୍କୁ ଗିରଫ କରିବା ପାଇଁ ଗତ ୨୦୧୮ ମସିହା ଫେବୃଆରୀ ମାସରେ ୱାରେଣ୍ଟ ହୋଇଥିଲା । କିନ୍ତୁ ପୁଲିସ ଡାକ ଅଧୀକ୍ଷକଙ୍କୁ ଗିରଫ କରିବାରେ ବିଳମ୍ବ ହେବାରୁ ପକ୍ଷ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ଡାକ ଅଧୀକ୍ଷକଙ୍କ ନାଁରେ ହାଇକୋର୍ଟ ଏନବିଡବ୍ଲ୍ୟୁ ୱାରେଣ୍ଟ (ଜାମିନବିହୀନ ପରୱାନା) ଜାରି ହୋଇଥିଲା । ତାଙ୍କୁ ଆଜି ଆଦର୍ଶ ଥାନା ପୁଲିସ ଗିରଫ କରି ଜିଲ୍ଲା ଖାଉଟି ଅଦାଲତରେ ହାଜର କରିଛି ।
ପୁଲିସ ସୂଚନାନୁଯାୟୀ, ତୁଷୁରାର ଛଗନଲାଲ ଜୈନ ଓ ଜମ୍ମୁ କୁମାର ଜୈନ ଡାକ ବିଭାଗର ଇନ୍ଦିରା ବିକାଶ ପତ୍ର କିଣିଥିଲେ । ଛଗନଲାଲ ପ୍ରାୟ ୯ ଲକ୍ଷ ଏବଂ ଜମ୍ମୁ ପ୍ରାୟ ୩ ଲକ୍ଷ ଟଙ୍କାର ଉକ୍ତ ପତ୍ର କିଣିଥିଲେ । କିନ୍ତୁ ଉକ୍ତ ପତ୍ର ମେଚ୍ୟୁରିଟି ହେବା ପୂର୍ବରୁ ହଜିଯାଇଥିଲା । ଏନେଇ ଉଭୟ ଛଗନଲାଲ ଏବଂ ଜମ୍ମୁ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ପତ୍ରର ମେଚ୍ୟୁରିଟି ହେବାରୁ ସେମାନେ ଡାକଘରର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସେମାନଙ୍କ ପାଖରେ ପ୍ରମାଣପତ୍ର ନଥିବାରୁ ତାଙ୍କୁ ମେଚ୍ୟୁରିଟି ଟଙ୍କା ଦେବା ପାଇଁ ତକ୍ରାଳୀନ ଡାକ ଅଧୀକ୍ଷକ ମନା କରିଦେଇଥିଲେ । ଏହାକୁ ନେଇ ଜୈନ ଜିଲ୍ଲା ଖାଉଟି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲା ଖାଉଟି କୋର୍ଟରେ ଉଭୟଙ୍କ ପକ୍ଷରେ ଦାୟର ହୋଇଥିବା ମାମଲାରେ କୋର୍ଟ ଶୁଣାଣି କରି ତୁରନ୍ତ ତାଙ୍କୁ ମେଚ୍ୟୁରିଟି ରାଶି ପ୍ରଦାନ କରିବା ପାଇଁ ଡାକ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ଡାକ ବିଭାଗ ପକ୍ଷରୁ ରାଜ୍ୟ ଖାଉଟି ନ୍ୟାୟାଳୟରେ ଅଭିଯୋଗ କରାଯାଇଥିଲା । ରାଜ୍ୟ ଖାଉଟି ଅଦାଲତରେ ଡାକ ଅଧୀକ୍ଷକ ଉଭୟଙ୍କ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣାପତ୍ର ଦେଇଥିବା ବେଳେ ସେ ଟଙ୍କା ନଦେଇ ଦିନ ଗଡ଼େଇ ଚାଲିଥିଲେ । ଏହାକୁ ନେଇ ଶ୍ରୀ ଜୈନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଧାର୍ଯ୍ୟ ସମୟସୀମା ଭିତରେ ଉକ୍ତ ଟଙ୍କା ପ୍ରଦାନ ନକରିବାରୁ ତାଙ୍କ ନାଁରେ ଏନବିଡବ୍ଲ୍ୟୁରେ ଗିରଫ କରିବାକୁ ନିର୍ଦ୍ଦେଶ ହୋଇଥିଲା । ଅପରପକ୍ଷେ ଡାକ ବିଭାଗ ଅଧୀକ୍ଷକ ଶ୍ରୀ ନାୟକଙ୍କୁ ପଚାରିବାରୁ ଉକ୍ତ ମାମଲା ଜାତୀୟ ଖାଉଟି ଅଦାଲତରେ ରହିଥିବା ବେଳେ ସୁପ୍ରିମକୋର୍ଟରେ ମଧ୍ୟ ଏନେଇ ଅଭିଯୋଗ କରାଯାଇଛି । ଯଦି କୋର୍ଟଙ୍କ ନିର୍ଦ୍ଦେଶ ଅଛି ତାହେଲେ ସେମାନଙ୍କୁ ତାଙ୍କ ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons