ପ୍ରସ୍ତାବିତ ଦ୍ୱିତୀୟ ବ୍ରାହ୍ମଣୀ ସେତୁ :ଆପ୍ରୋଚ୍ ରୋଡ଼ ଜମି ଅଧିଗ୍ରହଣ ଲାଗି ଆରମ୍ଭରୁ ଉତ୍ତେଜନା, ୧୫ ଅଟକ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନ୍ୟୁଜ୍): ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଆପ୍ରୋଚ ରୋଡ଼ ପାଇଁ ଆଜି ଦାଣ୍ଡିଆପାଲୀରେ ଜିଲ୍ଲା ଓ ପୁଲିସ୍ ପ୍ରଶାସନର ଉପସ୍ଥିତିରେ ଏନ୍ଏଚ୍ଏଆଇ ପକ୍ଷରୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରାଯାଇଛି । ମାତ୍ର ଅଧିକ କ୍ଷତିପୂରଣ ଦାବି କରି ସ୍ଥାନୀୟ ଗ୍ରାମାବାସୀ ବିରୋଧ ପ୍ରଦର୍ଶନ କରିଥିବା ବେଳେ ପୁଲିସ୍ ସେମାନଙ୍କ ମଧ୍ୟରୁ ୧୫ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା । ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଦେବାରୁ ଅଧିକ ଗଣ୍ଡଗୋଳ ହେବାର ସନ୍ଦେହ କରି ୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ମାଜିଷ୍ଟ୍ରେଟ୍ ଭାବେ ଲାଠିକଟା ତହସିଲଦାରଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ରାଉରକେଲା ଗ୍ରସ୍ତରେ ଆସିଥିବା ବେଳେ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍ ପାଇଁ ଘୋଷଣା କରିଥିଲେ । ପରେ ୨୦୧୭ ମସିହାରେ ଏହାର ଶିଳାନ୍ୟାସ ହୋଇଥିଲା । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଲାଗି ବାଲୁଘାଟ ପଟୁ କାମ ଆରମ୍ଭ ହୋଇ ସାରିଥିବା ବେଳେ ଦଣ୍ଡିଆପାଲୀରେ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ କାମ ଆଗେଇ ପାରୁନଥିଲା । ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ସମେତ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ସହ ବାରମ୍ବାର ଆଲୋଚନା କରିଥିଲା । ମାତ୍ର ଗ୍ରାମବାସୀ ଅଧିକ କ୍ଷତିପୂରଣ ଦାବି କରି ଜମି ଅଧିଗ୍ରହଣ କରାଇ ଦେଉ ନଥିଲେ । ଆପ୍ରୋଚ ରୋଡ଼ ପାଇଁ ଉକ୍ତ ଗ୍ରାମର ୧୭ ଜଣଙ୍କ ଜମି ଯାଉଥିବାରୁ ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଏନ୍ଏଚ୍ଆଇ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ୧୭ ଜଣଙ୍କ ମଧ୍ୟରୁ ୧୩ ଜଣ ସେମାନଙ୍କ କ୍ଷତିପୂରଣ ଅର୍ଥ ନେଇ ସାରିଥିବା ବେଳେ ଆଉ ୪ ଜଣ ଅର୍ଥ ଗ୍ରହଣ କରୁ ନଥିବାରୁ ତାହା ଜିଲ୍ଲା ପ୍ରଶାସନ ପାଖରେ ପଡ଼ି ରହିଛି । କ୍ଷତିପୂରଣ ପ୍ରଦାନ ପରେ ବି ଜମି ଅଧିଗ୍ରହଣରେ ସମସ୍ୟା ସୃଷ୍ଟି ହେଉଥିବାରୁ ଆଜି ଜିଲ୍ଲା ଓ ପୁଲିସ୍ ପ୍ରଶାସନର ଉପସ୍ଥିତିରେ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇଥିଲା । ଏନ୍ଏଚ୍ଆଇ ପିଡ଼ି ଶ୍ରୀ ଚୌରସିଆଙ୍କ କହିବା ଅନୁସାରେ, ଜିଲ୍ଲା ଓ ପୁଲିସ୍ ପ୍ରଶାସନର ଉପସ୍ଥିତିରେ ଦାଣ୍ଡିଆପାଲୀରେ ଆଜି ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇଛି । ୬୦ ମିଟର ଚଉଡ଼ା ଓ ୫୦୦ ମିଟର ଲମ୍ବର ଆପ୍ରୋଚ ରୋଡ଼ ପାଇଁ ଜମି ଅଧିଗ୍ରହଣ କାମ ଚାଲିଛି । ଜମି ଅଧିଗ୍ରହଣ କାର୍ଯ୍ୟ ଆଜି ଶେଷ କରିବା ପରେ ଆସନ୍ତାକାଲି ଠାରୁ ରାସ୍ତା କାମ ଆରମ୍ଭ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons