ପ୍ରେମିକାକୁ ଜିଅନ୍ତା ଜାଳିଦେଲା

Get real time updates directly on you device, subscribe now.

ପୁରୁଷୋତ୍ତମପୁର: ନୃଶଂସ ପ୍ରେମିକର ବର୍ବରକାଣ୍ଡ । ଯାହାକୁ ଭଲ ପାଉଥିଲା ତାକୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ପ୍ରତାପୁର ଗ୍ରାମରେ । ମୃତ ଯୁବତୀ କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗା (୨୫) । ଅଭିଯୁକ୍ତ ପ୍ରେମିକ ପ୍ରତାପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କୁ ଅଟକ ରଖାଯାଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଥାନା ସୂତ୍ରରୁ ପ୍ରକାଶ, ପ୍ରତାପୁର ଗ୍ରାମ ଛକ ନିକଟରେ ଏ ପରିତ୍ୟକ୍ତ ଗୁଣ୍ଡି କାରଖାନା ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଜଣେ ଯୁବତୀଙ୍କ ରକ୍ଷା କର ରକ୍ଷା କର ବୋଲି ଚିକ୍ରାର କରୁଥିବାବେଳେ ଶୁଣିଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳକୁ ଦୌଡ଼ି ଯାଇଥିବାବେଳେ ଯୁବତୀ ଜଣଙ୍କ ଜଳୁଥିବା ଦେଖିବାକୁ ପାଇଲେ । ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନା ନେଇଥିଲେ । ଶରୀରର ପ୍ରାୟ ୮୦ ଭାଗ ଜଳି ଯାଇଥିଲା । ପୁରୁଷୋତ୍ତମପୁର ଡାକ୍ତରଖାନାରେ ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ନିତିଶ ତ୍ରିପାଠୀ ଯୁବତୀଙ୍କ ବୟାନ ରେକର୍ଡ କରିଛନ୍ତି । ଜଣେ ଯୁବକ ତାଙ୍କୁ ଜାଳି ଦେଇଥିବା କହିବା ସହ ସେ ଯୁବକଙ୍କ ଘର ପ୍ରତାପୁର ବୋଲି କହିଥିଲେ । ଯୁବକଙ୍କ ମୋବାଇଲ୍ ନମ୍ବର ବି ଦେଇଥିଲେ । ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ପୁଲିସ ଚମ୍ପଟ ମାରିଥିବା ଅଭିଯୁକ୍ତ ଯୁବକ କୃଷ୍ଣ ସାହୁଙ୍କୁ କେଶପୁରରୁ କାବୁ କରିଛି । ଏଥିସହ ଯୁବକ ଜଣଙ୍କ ବ୍ୟବହାର କରିଥିବା ବାଇକ୍ ଜବତ କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଯୁବତୀଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ବ୍ରହ୍ମପୁର ଡାକ୍ତରଖାନାରେ ଯୁବତୀଙ୍କ ମୃତୁ୍ୟ ହୋଇଛି ।
ଅଭିଯୋଗ ହୋଇଛି ଯେ, ପ୍ରେମିକ କୃଷ୍ଣଙ୍କ ସହ ଶୁଭସ୍ମିତାଙ୍କ ସମ୍ପର୍କ ରହିଥିଲା । ଆଜି ଯୁବତୀଙ୍କୁ ପ୍ରେମିକ ଜଣଙ୍କ ଡକାଇଥିଲେ । ପ୍ରତାପୁର ଛକ ନିକଟରେ ରହିଥିବା ଏକ ପରିତ୍ୟକ୍ତ ଘରେ ଶାରୀରିକ ସମ୍ପର୍କ ରଖିଥିଲା । ପରେ ଯୋଜନା ମୁତାବକ ପ୍ରେମିକା ଉପରେ ସ୍ପିରିଟ୍ କିମ୍ବା ପେଟ୍ରୋଲ ଢାଳି ନିଅାଁ ଲଗାଇ ଦେଇଥିଲା । ହୁତୁହୁତୁ ହୋଇ ଯୁବତୀ ଜଣଙ୍କ ଜଳୁଥିବାବେଳେ ଯୁବକ ଜଣଙ୍କ ଚମ୍ପଟ ହୋଇଯାଇଥିଲା । ସ୍ଥାନୀୟ ଲୋକ ଯୁବତୀଙ୍କ ରକ୍ଷା କର ରକ୍ଷା କର….ଚିକ୍ରାର ଶୁଣି ଦୌଡ଼ି ଆସିଥିଲେ । ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା । ଲୋକମାନେ ଖବର ଦେବାପରେ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons