ପ୍ରେମିକା ଘର ଆଗରେ ନିଜ ତଣ୍ଟି କାଟିଲେ ପ୍ରେମିକ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ପ୍ରେମିକା ଦୂରେଇଗଲା ବୋଲି ହତାଶ ଓ ବିଫଳ ପ୍ରେମିକ ନିଜ ତଣ୍ଟି କାଟିଦେବା ଭଳି ଏକ ସମ୍ବେଦନଶୀଳ ଘଟଣା ଆଜି ମାର୍ଶାଘାଇ ଅଞ୍ଚଳରେ ଘଟିଛି । ମାର୍ଶାଘାଇ ଥାନା କାନପୁର ଗ୍ରାମର ଜଣେ ଯୁବକ ପ୍ରେମରେ ବିଫଳ ହୋଇ ଏକ ଧାରୁଆ ବ୍ଲେଡ୍ରେ ନିଜ ତଣ୍ଟିକୁ କାଟି ଦେଇଛନ୍ତି । ଆହତ ଯୁବକ ହେଲେ କାନପୁରର ରାଜକୁମାର ଦାଶ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସେଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ରିପୋର୍ଟ ଲେଖାଯିବାଯାଏ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଆଜି ସକାଳେ ଘଟିଥିବା ଏହି ଘଟଣା ସମଗ୍ର କେନ୍ଦ୍ରାପଡ଼ାରେ ଚହଳ ପକାଇଛି ।
ମାର୍ଶାଘାଇ ଥାନା ଅଧୀନ କାନପୁର ଗ୍ରାମର ରାଜକୁମାର ଦାଶ ହାଇସ୍କୁଲ୍ ଯାଏ ପାଠ ପଢ଼ିବା ପରେ ବେଙ୍ଗାଲୁରୁ ଯାଇ ସେଠାରେ କାମ କରୁଥିଲେ । ଏହି ସମୟରେ ଫେସ୍ବୁକ୍ ଜରିଆରେ ମାର୍ଶାଘାଇ ଥାନାଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ଉକ୍ତ ଯୁବତୀ ଏକ ଶାଢ଼ୀ ସେଣ୍ଟରରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ । ଫେସ୍ବୁକ୍ ବନ୍ଧୁତା ପରବର୍ତ୍ତୀ କାଳରେ ପ୍ରେମର ରୂପ ନେଇଥିଲା । ଫେସ୍ବୁକ୍ରେ ନିୟମିତ ଚାଟିଂ, ହ୍ୱାଟ୍ସ୍ଆପ୍ରେ ଚାଟିଂ, ଫୋନ୍ରେ ଘଣ୍ଟା ଘଣ୍ଟା ଧରି ବାର୍ତ୍ତାଳାପ । ଏମିତି ବେଶ୍ କିଛି ମାସ ଧରି ସେମାନେ ସମ୍ପର୍କରେ ରହିଥିଲେ । ସମ୍ପର୍କ ବେଶ ଆଗେଇ ଯାଇଥିଲା ଓ ଉଭୟ ବାହା ହେବାକୁ ନିଷ୍ପତ୍ତି ବି ନେଇଥିଲେ । ତେବେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଉକ୍ତ ଯୁବତୀ ପ୍ରେମିକଙ୍କଠାରୁ ଦୂରେଇ ଯିବାକୁ ଚାହିଁଥିଲେ । ଆଉ ଧରାଛୁଆଁ ଦେଉନଥିଲେ । ଫୋନ୍ କଲେ ଉଠାଉନଥିଲେ । ରାଜକୁମାରଙ୍କ ସହ ସେ ଆଉ ସମ୍ପର୍କ ରଖିବାକୁ ଇଚ୍ଛୁକ ନଥିବା ଜଣାପଡୁଥିଲା । ହଠାତ ଯୁବତୀଙ୍କ ଦୂରେଇଯିବା ଦେଖି ଶଙ୍କାରେ ପଡ଼ିଯାଇଥିଲେ ରାଜକୁମାର । ପ୍ରକୃତରେ କ’ଣ ହେଲା ଯେ ପ୍ରେମିକା ତାଙ୍କ ସହ ସମ୍ପର୍କ ରଖିବାକୁ ଚାହୁନାହାନ୍ତି । ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁଛନ୍ତି? କାରଣ ଖୋଜିଥିଲେ ସେ ।
ଦୁଇ ଦିନ ତଳେ ବେଙ୍ଗାଲୁରୁରୁ ଘରକୁ ଫେରି ଆସିଥିଲେ ରାଜକୁମାର । କାହାକୁ କିଛି ନକହିଲେ ବି ବ୍ୟସ୍ତ ଏବଂ ବିବ୍ରତ ଜଣାପଡୁଥିଲେ । ଆଜି କାହାକୁ କିଛି ନଜଣାଇ ଯାଇଥିଲେ ମାର୍ଶାଘାଇ ଥାନାଞ୍ଚଳରେ ଥିବା ନିଜ ପ୍ରେମିକାଙ୍କ ଘରକୁ । ସେଠାରେ ପ୍ରେମିକାଙ୍କ ଘର ପାଖରେ ପହଞ୍ଚି ବାହାରୁ ପ୍ରେମିକାଙ୍କୁ ବଡ଼ ପାଟିରେ ଡାକିବା ସହ କୋର୍ଟରେ ବିବାହ କରିବାକୁ କହିଥିଲେ । ହେଲେ ଘର ବାହାରେ ଠିଆ ହୋଇ ବାରମ୍ୱାର ଡାକିଥିଲେ ବି କିଛି ଫରକ ପଡ଼ିନଥିଲା । ପ୍ରେମିକା ଶୁଣିନଥିଲେ ଅଥବା ବାହାରକୁ ଆସିନଥିଲେ । ଶେଷରେ ହତୋତ୍ସାହିତ ହୋଇ ପ୍ରାଣ ହାରିବାକୁ ଉଦ୍ୟମ କରିଥିଲେ ରାଜକୁମାର । ପ୍ରେମିକାଙ୍କ ଘର ଆଗରେ ଠିଆହୋଇ ପାଖରେ ରଖିଥିବା ଏକ ବ୍ଲେଡ୍ରେ ନିଜ ତଣ୍ଟି କାଟି ଦେଇଥିଲେ । ତାଙ୍କ ତଣ୍ଟିରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଥିଲା । ସେ ଏବେ କଟକ ବଡ଼ ମେଡିକାଲ୍ରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ଥାନାରେ ରିପୋର୍ଟ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ପଚରାଉଚରା ଚଳାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons