‘ପ୍ଲାଜ୍ମା ଦାତାଙ୍କ ପାଇଁ ନୂଆ ଜୀବନ ପାଇଲି’

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ପ୍ଲାଜ୍ମା ଥେରାପି କାମ ଦେଇଛି । ରାଜ୍ୟରେ ପ୍ଲାଜ୍ମା ଥେରାପିର ପ୍ରଥମ ପ୍ରୟୋଗ ଯେଉଁ ମହିଳା ଆକ୍ରାନ୍ତଙ୍କ ଶରୀରରେ କରାଯାଇଥିଲା, ସେ ଆଜି ସଂପୂର୍ଣ୍ଣ ସୁସ୍ଥ ହୋଇ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ପ୍ଲାଜ୍ମା ଥେରାପିରେ ସୁସ୍ଥ ହେବାରେ ଉକ୍ତ ୪୮ ବର୍ଷୀୟ ମହିଳା ହେଉଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । କରୋନା ବିପକ୍ଷରେ ପ୍ଲାଜମା ଥେରାପିର ସଫଳ ପ୍ରୟୋଗ ଓ ଉପଲବ୍ଧି ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ନୂଆ ଫର୍ଦ୍ଧ ଯୋଡ଼ିଛି ।
ସୁସ୍ଥ ହୋଇଥିବା ମହିଳା ହେଲେ କଟକ ପୁରୁଣା ରାଉସାପାଟଣା ଅଞ୍ଚଳର ମମତା ସେନ୍ । ମମତା କରୋନା ଆକ୍ରାନ୍ତ ହେବାରୁ ତାଙ୍କୁ ୧୪ ତାରିଖରେ ଆଠଗଡ଼ସ୍ଥିତ କୋଭିଡ୍ କେୟାର ସେଣ୍ଟର୍ରେ ଭର୍ତ୍ତି କରାଯାଇଥିଲା । ପରିସ୍ଥିତି ଜଟିଳ ହେବାରୁ ଚିକିତ୍ସା ନିମନ୍ତେ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ପ୍ରଥମେ ତାଙ୍କୁ ଆଇସିୟୁରେ ରଖାଯାଇ ଅକ୍ସିଜେନ୍ ଦିଆଯାଇ ଚିକିତ୍ସା କରାଯାଇଥିଲା । ଏହି ସମୟରେ ତାଙ୍କ ଛାତିର ଏକ୍ସ-ରେ କରାଯିବାରୁ ନିମୋନିଆର ଲକ୍ଷଣ ପ୍ରକାଶ ପାଇଥିଲା । ଅତି ଗୁରୁତର ଥିବାରୁ ତାଙ୍କ ଠାରେ ପ୍ଲାଜମା ଥେରାପି ପ୍ରୟୋଗ କରିବାକୁ ହୋଇଥିଲା ଯୋଜନା । ଯାହାଫଳରେ ଗତ ୧୫ତାରିଖରେ ତାଙ୍କୁ ପ୍ଲାଜମା ଥେରାପି ପ୍ରଦାନ କରାଯାଇଥିଲା । ‘ବି’ ପଜିଟିଭ୍ ବ୍ଲଡ୍ ଗ୍ରୁପ୍ ଥିବା ମମତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏହା ପରେ ଉନ୍ନତି ଘଟିଥିଲା । ଏପରିକି ତାଙ୍କୁ ଆଉ ଅକ୍ସିଜେନ୍ ଆବଶ୍ୟକ ପଡ଼ିନଥିଲା । ସୁସ୍ଥ ହୋଇ ଉଠିବାରୁ ତିନି ଦିନ ପରେ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ୧୦ଦିନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ।
ଏନେଇ ମମତା କହିଛନ୍ତି, ମୁଁ ସୁସ୍ଥ ହୋଇ ପରିବାରକୁ ଫେରିବି ସେ କଥା ଚିନ୍ତା କରିନଥିଲି । ଅଶ୍ୱିନୀ ହସ୍ପିଟାଲ ଆଣିବା ସମୟରେ ମୋର ଶ୍ୱାସକ୍ରିୟାରେ ବହୁତ ସମସ୍ୟା ଦେଖାଦେଇଥିଲା । ନିଶ୍ୱାସ ନେଇ ପାରୁନଥିଲି । ପରେ ଆଇସିୟୁରେ ରହିବା ଅବସ୍ଥାରେ ପ୍ଲାଜମା ଥେରାପି ଦିଆଗଲା । ଆଜି ମୁଁ ସୁସ୍ଥ ହୋଇ ଫେରିଲି । କେଉଁ ଦାତାଙ୍କ ପ୍ଲାଜମା ମୋଠାରେ ପ୍ରୟୋଗ କରାଯାଇଛି ତାହା ମୁଁ ଜାଣିନାହିଁ । କିନ୍ତୁ ଏତିକି କହିପାରିବି, ଭଗବାନ ତାଙ୍କୁ ସୁସ୍ଥ ଓ ନିରୋଗ ରଖନ୍ତୁ । କାରଣ ଆଜି ସେହି ପ୍ଲାଜମା ଦାତାଙ୍କ ପାଇଁ ମୁଁ ନୂଆ ଜୀବନ ପାଇଛି । ସେହିପରି ମମତାଙ୍କୁ ଚିକିତ୍ସା କରିଥିବା ଅଶ୍ୱିନୀ କୋଭିଡ୍ ହସ୍ପିଟାଲର ଡା. ସୁବ୍ରତ ଜେନା କହିଛନ୍ତି, ଏବେ ସୁଦ୍ଧା ୫ଜଣଙ୍କ ଠାରେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଇଛି । ଆଜି ମମତା ସୁସ୍ଥ ହୋଇ ଫେରିବାଟା କରୋନା ବିପକ୍ଷରେ ବିଜୟର ଶୁଭାରମ୍ଭ ବୋଲି କୁହାଯାଇପାରେ ।
ସୂଚନାଯୋଗ୍ୟ, ଭାରତର ହାତଗଣତି କିଛି ରାଜ୍ୟରେ ଏବେ ସୁଦ୍ଧା ପ୍ଲାଜମା ଥେରାପି ଆରମ୍ଭ ହୋଇଛି । ଗତ ୧୫ ତାରିଖରେ ଓଡ଼ିଶାରେ ଏହା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ୍ର ଉଦ୍ଘାଟନ କରିଥିଲେ । ସେହି ରାତିରେ ହିଁ ପ୍ରଥମ ପ୍ଲାଜମା ମମତାଙ୍କୁ ଦିଆଯାଇଥିଲା । ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ୧୩ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କଠାରେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons