ପଢ଼ିବାକୁ ଅର୍ଥ ନାହିଁ:ଦାଦନ ଯିବେ ଅନାଥ ଇଞ୍ଜିନିୟରିଂ ଛାତ୍ର

Get real time updates directly on you device, subscribe now.

ପଡିଆ,(ବି.ବି.ନ୍ୟୁଜ୍): ପଢ଼ିବାକୁ ଅର୍ଥ ନାହିଁ । ଏହି କାରଣରୁ ଜଣେ ଆଦିବାସୀ ତଥା ଅନାଥ ଇଞ୍ଜିନିୟରିଂ ଛାତ୍ର ଦାଦନ ଖଟିବାକୁ ବାହାରିଛନ୍ତି ସୁଦୂର ହାଇଦ୍ରାବାଦକୁ । ଏହି ଛାତ୍ର ଜଣଙ୍କ ହେଉଛନ୍ତି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ତେଗଡାପାଲ୍ଲୀ ଗାଁର ଲୋକନାଥ କାମାରାମି । ରାଜଧାନୀ ହଷ୍ଟେଲରେ ରହି ସେ ସିଭିଲ୍ ଇଞ୍ଜିନିୟରିଂ କରୁଥିଲେ । କିନ୍ତୁ ହଷ୍ଟେଲରେ ରହିବା ପାଇଁ ଟଙ୍କା ଅଭାବ ହେବାରୁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ।
ମାଓପ୍ରବଣ ପଡିଆ ବ୍ଲକର ଦୁର୍ଗମ ତେଗଡାପାଲ୍ଲୀର ଲୋକନାଥ ପିଲାଟି ଦିନରୁ ମେଧାବୀ ଥିଲେ । ଚତୁର୍ଥରେ ପଢୁଥିବା ବେଳେ ତାଙ୍କ ମା’ ରାମେଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବାପା ଦୁଲା କାମାରାମି ପୁଅର ଉତ୍ସାହ ଦେଖି ପଢ଼ାଇଥିଲେ । ଦୁର୍ଗମ ଅଞ୍ଚଳରେ ଅଭାବ ଅନଟନରେ ରହି ମଧ୍ୟ ଲୋକନାଥ ଦଶମ ଶ୍ରେଣୀରେ ୬୮ ପ୍ରତିଶତ ମାର୍କ ରଖି ପାସ୍ କରିଥିଲେ । ଏହାପରେ ଯୁକ୍ତ ୨ ପଢ଼ିଥିଲେ । ସେହି ସମୟରେ ମାନସିକ ରୋଗରେ ପୀଡିତ ହୋଇ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ଅନାଥ ହୋଇଯାଇଥିଲେ ଲୋକନାଥ । ତଥାପି ସଂଘର୍ଷ ଛାଡିନଥିଲେ । ନିଜ ପେଟକୁ ଦାନା ଯୋଗାଡ଼ କରିବା ସହ ପାଠ ପଢିବା ପାଇଁ ସମୟ ବାହାର କରିଥିଲେ । କଲେଜ ଛୁଟି ସମୟରେ କୁଲିମଜୁରୀ ଲାଗି ପାଠପଢାରେ ମନୋନିବେଶ କରିଥିଲେ । ଯୁକ୍ତ ୨ ପରୀକ୍ଷାରେ ୫୪ ପ୍ରତିଶତ ମାର୍କ ରଖି ପାସ୍ କରିଥିଲେ । ଏହାପରେ ବ୍ରହ୍ମପୁରରେ ବି.ଟେକ୍ରେ ନାଁ ଲେଖାଇବା ପାଇଁ ପୁଣି ଶ୍ରମିକ ଭାବେ କାମ କରି ଅର୍ଥ ଯୋଗାଡ଼ କରିଥିଲେ ।
ବି. ଟେକ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଲୋକନାଥ । ସିଭିଲ୍ ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଥିବା ଲୋକନାଥଙ୍କୁ ରାଜଧାନୀ ହଷ୍ଟେଲରେ ରହି ପଢିବାକୁ ସୁଯୋଗ ମିଳିଲା । ହେଲେ ଗତ ଜୁନ୍ରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ହଷ୍ଟେଲ ଫି’ ମାଗିଥିଲେ । ତାଙ୍କ ପକ୍ଷେ ଏହା ସମ୍ଭବ ହୋଇନପାରିବାରୁ ଗାଁକୁ ଫେରି ଆସିଛନ୍ତି । ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ଲାଗି ହାଇଦ୍ରାବାଦ୍କୁ ଦାଦନ ଖଟିବାକୁ ବାହାରିଛନ୍ତି । ଆଗକୁ ଇଞ୍ଜିନିୟରିଂ ସେମିଷ୍ଟାର ପରୀକ୍ଷା ଥିବା ବେଳେ ଆବଶ୍ୟକ ଅର୍ଥ ଯୋଗାଡ଼ ଲାଗି ବାଧ୍ୟହୋଇ ଏଭଳି ପଦକ୍ଷେପ ନେଇଥିବା ଦୁଃଖର ସହ କହିଛନ୍ତି ଲୋକନାଥ । ଅନେକ ସମୟରେ ତାଙ୍କ ଦୃଢ ମନୋବଳ ଏବଂ ଇଚ୍ଛାଶକ୍ତିକୁ ଗ୍ରାମବାସୀ ପ୍ରଶଂସା କରି ସହାୟତା କରିଥିବା ସେ କହିଛନ୍ତି ।
ଉଚ୍ଚଶିକ୍ଷାରେ ପ୍ରତିବନ୍ଧକ ସାଜିଛି ଆର୍ଥିକ ଅନଟନ । ଇଞ୍ଜିନିୟରିଂ ଛାତ୍ର ଜଣକ ଦାଦନ ଖଟିବାକୁ ବାହାରିଥିବା ଅଞ୍ଚଳବାସୀ ଦୁଃଖର ସହ କହିଛନ୍ତି । ବାପାମା’ ଛେଉଣ୍ଡ ଲୋକନାଥଙ୍କୁ ସରକାରଙ୍କ ତରଫରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ମାଓପ୍ରବଣ ଅଞ୍ଚଳରେ ସେ ଆଶାର ଆଲୋକ ହୋଇପାରନ୍ତେ ବୋଲି ସେମାନେ କହିଛନ୍ତି । କେବଳ ଦେଖିବାର କଥା, ସରକାର ସହାୟତା କରୁଛନ୍ତି ନା ଉଚ୍ଚଶିକ୍ଷା ଲାଗି ଜଣେ ଅନାଥ ଛାତ୍ରଙ୍କୁ ଦାଦନ ଖଟିବାକୁ ଯିବାକୁ ପଡୁଛି ।
ସୂଚନାଥାଉକି, ମାଲକାନଗିରି ବଣ୍ଡାଘ।।ଟିର ଜଣେ ଛାତ୍ରୀ କୁଲିକାମ କରି କଲେଜରେ ପଢିବା ପାଇଁ ପ୍ରସ୍ତୁତ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସହାୟତା ଘୋଷଣା କରାଯାଇଥିଲା । ତେଣୁ ଲୋକନାଥ ଭଳି ମେଧାବୀ ତଥା ଅନାଥ ଛାତ୍ର ପ୍ରତି ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇବ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons