
ବାଲିପାଟଣା,(ବି.ବି.ନୁ୍ୟଜ): ବାଲିପାଟଣା ଥାନା ଚଣାହଟ୍ଟା-ରାଜସ ରାସ୍ତାର କୂଳନ୍ତିରା ଗ୍ରାମ ଗହୀରରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଦୁଇ ଜଣ ଯୁବକ ବନ୍ଧୁକ ଦେଖାଇ ୧ ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି । ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ନୂଆସାହି ନିକଟ ବିଶ୍ୱାଳସାହି ଗ୍ରାମର ରାକେଶ ବିଶ୍ୱାଳ ଭୁବନେଶ୍ୱରରେ ଥିବା ହିରା ଫାଇନାନ୍ସ କମ୍ପାନିରେ ଚାକିରି କରନ୍ତି । ଆଜି ସେ କିସ୍ତି ଟଙ୍କା ଆଦାୟ ପାଇଁ ବାଲିପାଟଣା ଅଞ୍ଚଳକୁ ଆସିଥିଲେ । ଦିନ ପ୍ରାୟ ୧.୩୦ରେ ସେ ନିକଟସ୍ଥ ଟିଙ୍କିପଡ଼ା ଗ୍ରାମକୁ ଟଙ୍କା ପାଇଁ ଯାଉଥିଲେ । ଠିକ ଏହି ସମୟରେ ତାଙ୍କୁ ଏକ ଫୋନ କଲ ବାଲିପାଟଣାରୁ କିସ୍ତି ନେବା ପାଇଁ ଆସିଥିଲା । ସେ କୂଳନ୍ତିରା ଗ୍ରାମ ଗହୀର ରାସ୍ତାରୁ ଫେରିବାବେଳେ ହଠାତ ଦୁଇ ଜଣ ଯୁବକ ଏକ ବ୍ଲୁରଙ୍ଗର ପଲ୍ସର ଗାଡ଼ିରେ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ ଦେଇଥିଲେ । ଅନ୍ୟ ଜଣେ ଯୁବକ ତାଙ୍କ ବ୍ୟାଗରୁ ୧ଲକ୍ଷ ୧୫ ହଜାର ଟଙ୍କା ନେଇଯିବା ସହ ଗାଡ଼ି ଚାବି ବିଲକୁ ଫିଙ୍ଗି ଦେଇଥିଲେ । ଲୁଟେରାମାନେ ଯେଉଁ ଦିଗରୁ ଆସିଥିଲେ ସେହି ରାସ୍ତାରେ ଦ୍ରୁତ ଗତିରେ ପଳାଇଥିଲେ । ବାଲିପାଟଣା ପୁଲିସ ପହଞ୍ଚି ତଦନ୍ତ କରିବା ସହ ଏକ କେସ୍ ନଂ. ୧୧୩/୨୦୨୧ ରୁଜୁ କରିଛି । ଆଇଆଇସି ରାଧାକାନ୍ତ ସାହୁ କହିଛନ୍ତି ଯେ, ବାରମ୍ବାର ଫାଇନାନ୍ସ କର୍ମଚାରୀଙ୍କୁ ତାଗିଦ କଲେ ମଧ୍ୟ ସେମାନେ ଜାଣିଶୁଣି ଏତେ ଟଙ୍କା ନେଇ ନିଛାଟିଆ ରାସ୍ତାରେ ଯାଉଛନ୍ତି । ଫଳରେ ଲୁଟର ଶିକାର ହେଉଛନ୍ତି । ବଡ଼ କଥା ହେଲା, ଯେଉଁ ସ୍ଥାନରୁ ଲୁଟ ହୋଇ ସେଠାରୁ ୧୦୦ ମିଟର ଦୂରରେ ଏକ ବିବାହ ଉତ୍ସବ ଚାଲିଥିଲା । ପାଖାପାଖି ୧୫୦ ଲୋକ ଉପସ୍ଥିତ ଥିଲେ । ଜନଗହଳି ସତ୍ତେ୍ୱ ଏଠାରୁ କିପରି ଲୁଟ୍ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ବାଲିପାଟଣା ନିକଟ ମଝିହରା ବଜାରରୁ ୧୫ ଦିନ ମଧ୍ୟରେ ୫ରୁ ଅଧିକ ଥର ଦୋକାନ ଭାଙ୍ଗି ଲୁଟ ହାଇଥିଲେ ମଧ୍ୟ ପୁଲିସ କାହାରିକୁ ଗିରଫ କରିପାରିନି । ଆଜି ପୁଣି ଲୁଟ୍ ହେବା ଫଳରେ ସ୍ଥାନୀୟ ଲୋକେ ସେହି ବଜାରଠାରେ ଏକ ଘଣ୍ଟା ରାସ୍ତାରୋକୋ କରିଥିଲେ । ଆଇଆଇସି ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା ।
Comments are closed, but trackbacks and pingbacks are open.