କଟକ,(ବି.ବି.ବୁ୍ୟରୋ): ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା-୨୦୨୦ । ମାର୍ଚ୍ଚ ୨ ତାରିଖରେ ପରୀକ୍ଷା ସରିବ । ମାଟ୍ରିକ ରେଗୁଲାର ସହ ଏକ୍ସ-ରେଗୁଲାର ପରୀକ୍ଷା ମଧ୍ୟ ଏହି ଏକା ପରୀକ୍ଷା ସୂଚୀରେ ଅନୁÂିତ ହେବ । ସେହିପରି ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସ୍ଓଏସ୍ସି) ପରୀକ୍ଷା ମଧ୍ୟ ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ । ତେବେ ସଂସ୍କୃତ ମଧ୍ୟମା ପରୀକ୍ଷା ଫେବ୍ରୁଆରୀ ୨୮ ତାରିଖ ଓ ଏସ୍ଓଏସ୍ସି ପରୀକ୍ଷା ଫେବ୍ରୁଆରି ୨୯ରେ ଶେଷ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପରୀକ୍ଷା ପରିଚାଳନାକୁ ତ୍ରୁଟିଶୂନ୍ୟ କରିବାକୁ ମଧ୍ୟ ବୋର୍ଡ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ନିଆଯାଉଛି । ପ୍ରଶ୍ନପତ୍ର ଲିକ୍ ବା ଭାଇରାଲ୍ ଭଳି ଘଟଣାକୁ ରୋକିବା ପାଇଁ ଏଥର ନୂତନ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ରରେ ଡିଜିଟାଲ୍ ଲକ୍ ଓ ପରୀକ୍ଷାଖାତାରେ ସିକୁ୍ୟରିଟି କୋଡ୍ ରଖାଯିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜ୍ରା ସୂଚନା ଦେଇଛନ୍ତି ।
ମାଟ୍ରିକ୍ ସମେତ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସ୍ଓଏସ୍ସି) ପରୀକ୍ଷାସୂଚୀ ଆଜି ପ୍ରକାଶ ପାଇଛି । ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ମାଟ୍ରିକ ପରୀକ୍ଷା ପ୍ରଥମ ଦିନ ଅର୍ଥାତ ଫେବ୍ରୁଆରୀ ୧୯ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ରହିଥିବା ବେଳେ ବଙ୍ଗଳା/ହିନ୍ଦୀ/ଉର୍ଦ୍ଧୁ/ତେଲୁଗୁ ଓ ଅଲ୍ଟରନେଟିଭ୍ ଇଂରାଜୀ ପରୀକ୍ଷା ମଧ୍ୟ ରହିଛି । ସେହିପରି ୨୨ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ, ୨୪ ତାରିଖରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ସହ ତୃତୀୟ ଭାଷା ଓଡ଼ିଆ/ପାର୍ସି ପରୀକ୍ଷା ମଧ୍ୟ ଅଛି । ଫେବ୍ରୁଆରୀ ୨୬ ତାରିଖରେ ଗଣିତ ଓ ୨୮ରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ । ମାର୍ଚ୍ଚ ୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।
ମାଟ୍ରିକ ପରୀକ୍ଷା ସକାଳ ୧୦ଟାରେ ଆରମ୍ଭ ହୋଇ ଦିନ ସାଢେ଼ ୧୨ଟାରେ ଶେଷ ହେବ । ସକାଳ ୯ଟା ୪୫ରେ ଉଭୟ ଅବ୍ଜେକ୍ଟିଭ୍ ଓ ସବ୍ଜେକ୍ଟିଭ୍ ପ୍ରଶ୍ନପତ୍ର ଦିଆଯିବ । ଅବଜେକ୍ଟିଭ୍ ପରୀକ୍ଷା ସକାଳ ୧୦ରୁ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ସବ୍ଜେକ୍ଟିଭ୍ ପରୀକ୍ଷା ୧୧ଟାରୁ ଆରମ୍ଭ ହୋଇ ସାଢେ଼ ୧୨ଟାରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । ଗଣିତ ଅବ୍ଜେକ୍ଟିଭ୍ ପରୀକ୍ଷା ସକାଳ ୧୦ରୁ ଆରମ୍ଭ ହୋଇ ଦିନ ୧୧ଟା ୧୫ରେ ଶେଷ ହେବ । ଏହାପରେ ସବ୍ଜେକ୍ଟିଭ୍ ପରୀକ୍ଷା ୧୧ଟା ୧୫ରୁ ଆରମ୍ଭ ହୋଇ ୧୨ଟା ୪୫ରେ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୂଚୀ ଅନୁସାରେ ଫେବ୍ରୁଆରୀ ୧୯ ତାରିଖରେ ଏସ୍ଓଏସ୍ସି ଇଂରାଜୀ ପରୀକ୍ଷା ରହିଥିବା ବେଳେ ୨୦ରେ ଚିତ୍ରାଙ୍କନ, ୨୨ରେ ଓଡ଼ିଆ/ତେଲୁଗୁ/ଉର୍ଦ୍ଧୁ/ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ହେବ । ୨୩ ତାରିଖରେ ଚିତ୍ରାଙ୍କନ ପ୍ରାକ୍ଟିକାଲ ପରୀକ୍ଷା ରହିଥିବା ବେଳେ ୨୪ରେ ଗଣିତ, ୨୫ରେ ଗୃହ ବିଜ୍ଞାନ, ୨୬ରେ ବିଜ୍ଞାନ, ୨୭ରେ ଇଣ୍ଡିଆନ୍ କଲ୍ଚର ଆଣ୍ଡ ହେରିଟେଜ୍, ୨୮ରେ ସାମାଜିକ ବିଜ୍ଞାନ ଓ ୨୯ରେ ଗୃହ ବିଜ୍ଞାନ ପ୍ରାକ୍ଟିକାଲ ରହିଛି । ଏସ୍ଓଏସ୍ଓିର ପରୀକ୍ଷା ପ୍ରତ୍ୟେକ ଦିନ ସାଢେ଼ ଗୋଟାଏରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ସଂସ୍କୃତ ମଧ୍ୟମା ପରୀକ୍ଷା ସୂଚୀ ଅନୁସାରେ ୧୯ତାରିଖରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ ରହିଥିବା ବେଳେ ୨୦ରେ ସଂସ୍କୃତ ସାହିତ୍ୟମ୍ ପରୀକ୍ଷା ରହିଛି । ୨୨ ତାରିଖରେ ପ୍ରୟୋଗାତ୍ମକ ସଂସ୍କୃତ, ୨୪ରେ ମାତୃଭାଷା ଓଡ଼ିଆ/ହିନ୍ଦୀ, ୨୫ରେ ଗଣିତ, ୨୬ରେ ବିଜ୍ଞାନ, ୨୭ରେ ସାମାଜିକ ବିଜ୍ଞାନ ଓ ୨୮ରେ ଇଂରାଜୀ ପରୀକ୍ଷା ରହିଛି । ଦିନ ଗୋଟାଏ ୧୫ରେ ଉଭୟ ଅବ୍ଜେକ୍ଟିଭ୍ ଓ ସବ୍ଜେକ୍ଟିଭ୍ ପ୍ରଶ୍ନପତ୍ର ଦିଆଯିବ । ପ୍ରତ୍ୟେକ ଦିନ ସାଢେ଼ ୧ଟାରୁ ପରୀକ୍ଷା ଆରମ୍ଭ ହୋଇ ୪ଟାରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । ପାଖାପାଖି ୬ ଲକ୍ଷ ପରୀକ୍ଷାର୍ଥୀ ଏଥର ମାଟ୍ରିକ ପରୀକ୍ଷା ଦେବେ ବୋଲି କୁହାଯାଉଛି । ତେବେ ନିର୍ଦ୍ଧିଷ୍ଟ ଭାବେ ପରୀକ୍ଷାର୍ଥୀଙ୍କ ସଂଖ୍ୟା, ଚୟନ କରାଯାଇଥିବା ପରୀକ୍ଷା କେନ୍ଦ୍ର ସଂଖ୍ୟା ସଂପର୍କରେ ବୋର୍ଡ ପକ୍ଷରୁ ପରେ ସୂଚନା ଦିଆଯିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି । ତେବେ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୩୦୭ଟି ନୋଡାଲ ସେଣ୍ଟର କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.