ହରିଚନ୍ଦନପୁର, (ବି.ବି.ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ଅଞ୍ଚଳରେ ବୁଧବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଦମ୍ପତିଙ୍କ ସମେତ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ଥିବା ଜଣାପଡ଼ିଛି । ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତ ବଡଶିଆଡିମାଳ ଗ୍ରାମର ଚୈତନ୍ୟ ମହାନ୍ତ (୪୪) ଏବଂ ତାଙ୍କ ପତ୍ନୀ ମୀନା ମହାନ୍ତ (୪୦), ଠାକୁରପଡ଼ା ଗ୍ରାମର ଜୟନ୍ତୀ ମହାନ୍ତ (୪୩) । ଏଥି ସହିତ ଗୁରୁତର ଆହତ ଜଣକ ହେଲେ କମଳାଙ୍ଗି ଗ୍ରାମର ଲାବଣ୍ୟବତୀ ମହାନ୍ତ (୩୪) ।
ବଡଶିଆଡିମାଳର ଚୈତନ୍ୟ ଏବଂ ତାଙ୍କ ସ୍ତ୍ରୀ ମୀନା କମଳାଙ୍ଗିରେ ଥିବା ତାଙ୍କ ଧାନ ଜମିରେ କାମ କରୁଥିଲେ । ଅପରାହ୍ନ ପାଖାପାଖି ୨ ଟା ୩୦ ମିନିଟ୍ରେ ଅଚାନକ ବଜ୍ରପାତ ହେବରୁ ଘଟଣା ସ୍ଥଳରେ ସ୍ୱାମୀ, ସ୍ତ୍ରୀ ଟଳି ପଡ଼ିଥିଲେ । ସେଠାରୁ ପାଖାପାଖି ୧୦୦ ମିଟର ଦୂରରେ ଧାନ ଜମିରେ କାମ କରୁଥିବା ଲାବଣ୍ୟବତୀ ମହାନ୍ତ ବଜ୍ରପାତର ପ୍ରଭାବରେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ତେବେ ଘଟଣା ସ୍ଥଳରେ ଲାବଣ୍ୟବତୀ ଚିକ୍ରାର କରିବାରୁ ଆଖପାଖ ଜମିରେ କାମ କରୁଥିବା ଲୋକମାନେ ଘଟଣା ସ୍ଥଳରେ ପହଞ୍ôଚଥିଲେ । ଖବର ପାଇ ଅଞ୍ଚଳର ସମାଜସେବୀ ଡମ୍ବରୁଧର ମହାନ୍ତ ସେଠାରେ ପହଞ୍ôଚ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଗୁରୁତର ଆହତ ହୋଇଥିବା ଲାବଣ୍ୟବତୀକୁ ସ୍ଥାନୀୟ ଲୋକେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅନ୍ୟ ପକ୍ଷରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପଡ଼ିଥିବା ଦମ୍ପତିଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି ଠାକୁରପଡ଼ା ଗ୍ରାମର ଜୟନ୍ତୀ ମହାନ୍ତ ନିଜ ଧାନ ବିଲରେ କାମ କରୁଥିବା ବେଳେ ସେହି ସମାନ ସମୟରେ ବଜ୍ରପାତର ଶିକାର ହୋଇ ବିଲରେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ଜୟନ୍ତୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ଏଠାରେ ତାକୁ ମୃତ ଘୋଷଣା କରିଥିଲେ । ତେବେ ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ୩ ଜଣଙ୍କ ଜୀବନ ଚାଲିଯାଇଥିବା ଖବର ପାଇ ସ୍ଥାନୀୟ ତହସିଲଦାର ଶୁବାଶିଷ ପାଲଟା, ଅତିରିକ୍ତ ତହସିଲଦାର ଗୋକୁଳ ଚନ୍ଦ୍ର ପଲେଇ, ରେବଣାପଳାଶପାଳ ରାଜସ୍ୱ ନିରୀକ୍ଷକ ଶିବଶଙ୍କର ସିଂହ, ହରିଚନ୍ଦନପୁର ଥାନାଧିକାରୀ ସୂର୍ଯ୍ୟନାରାୟଣ ଦାଶ ପ୍ରମୁଖ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ହରିଚନ୍ଦନପୁର ପୁଲିସ ଶବଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ପଠାଇବାକୁ ପ୍ରସ୍ତୁତି ଚଳାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ଖବର ପାଇ ୩୨ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଅମର କୁଅଁର, ବ୍ଲକ ଅଧ୍ୟକ୍ଷ ତଥା ସୁନାପେଣ୍ଠ ପଂଚାୟତର ସମିତିସଭ୍ୟ ସୁରେଶ ଦେହୁରୀ, ସମାଜସେବୀ କହ୍ନେଇ ମହାନ୍ତ, ଦ୍ୱିତୀକୃଷ୍ଣ ସାହୁ ପ୍ରମୁଖ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି ।
Comments are closed, but trackbacks and pingbacks are open.