ବନ୍ଧୁପତ୍ନୀକୁ ପ୍ରେମ କରି ବିଫଳ ପ୍ରେମିକ ହତ୍ୟାକଲା ବନ୍ଧୁଙ୍କୁ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନ୍ୟୁଜ୍ ): ବନ୍ଧୁ ହେଲା ବଇରି । ବନ୍ଧୁପତ୍ନୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାପରେ ସବୁ କିଛି ଭୁଲି ଗଲା । ନିରାଶ ପ୍ରେମିକ ନିିଜ ବନ୍ଧୁଙ୍କୁ ହତ୍ୟା କଲା । ପ୍ରଥମେ ନିଜ ସାଙ୍ଗକୁ ସୀମାନ୍ତ ଛତିଶଗଡରୁ ମାଲକାନଗିରି ଆଣି ସୁପାରି କିଲର ଦ୍ୱାରା ହତ୍ୟା କଲା । ପରେ ମୃତ ଶରୀରକୁ ପୁଣି ଛତିଶଗଡ଼ ନେଇ ଜଙ୍ଗଲରେ ଫିଙ୍ଗିଦେଲା । ମାଓବାଦୀମାନେ ସାଙ୍ଗକୁ ହତ୍ୟା କରିଛନ୍ତି ବୋଲି ରୂପଦେବା ଚେଷ୍ଟା କରିଥିଲା । ହେଲେ ସୁକମା ପୁଲିସ ଏହି ବନ୍ଧୁହନ୍ତାର ଅସଲ ଚେହେରା ପଦାକୁ ଆଣିଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ମାଲକାନଗିରି ଜିଲ୍ଲାରୁ ଗିରଫ କରିଛି । ଗିରଫ ପରେ ହତ୍ୟାକାଣ୍ଡ ସମ୍ପର୍କରେ ସୁକୁମା ଏସ୍ପି ସୁଚନା ଦେଇ କହିଛନ୍ତି, ମାଲକାନଗିରି ଥାନା ଏମ୍ଭି୧୧ ଗାଁର ସୁରେଶ ସରକାର ଛତିଶଗଡ ପୁଲିସ ବିଭାଗରେ ଡିଆର୍ଡି ଯବାନ ଭାବେ କାମ କରନ୍ତି । ସେ ଦରନାପାଲ ଠାରେ ରହୁଥିଲେ । ତାଙ୍କ ସହ ଛତିଶଗଡର ଡିଆରଡି ଯବାନ ରାମନିବାସଙ୍କ ଦେଖା ହୁଏ । ପରେ ଉଭୟ ଘନିଷ୍ଠ ବନ୍ଧୁ ପାଲଟି ଯାଆନ୍ତି । ଦିନେ ରାମନିବାସଙ୍କ ଘରକୁ ସୁରେଶ ବୁଲିବାକୁ ଯାଇଥିଲେ । ସେଠାରେ ତାଙ୍କ ସୁନ୍ଦରୀ ପତ୍ନୀଙ୍କୁ ଦେଖିଥିଲେ । ପରେ ରାମନିବାସଙ୍କ ଘରକୁ ନାନା ଆଳରେ ଯିବାକୁ ଲାଗିଲେ । ଏପରିକି ବନ୍ଧୁ ପତ୍ନୀଙ୍କ ସୁରେଶ ପ୍ରେମ ନିବେଦନ କଲେ । ଏ କଥା ରାମନିବାସଙ୍କ କାନରେ ପଡ଼ିଲା । ଏଥିରୁ ନିବୃତ ରହିବାପାଇଁ ସେ ସୁରେଶକୁ କହିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ପରେ ଆପୋଷ ମିଳାମିଶା ହୋଇଥିଲା । ହେଲେ ପ୍ରେମରେ ଅନ୍ଧ ସୁରେଶ ପ୍ରତିଶୋଧ ନେବାପାଇଁ ଯୋଜନା କରିଥିଲେ । କଣ୍ଟା ହଟିଲେ ରାସ୍ତା ସଫା ହେବ ବୋଲି ଭାବି ଗତ ୧୧ତାରିଖରେ ରାମନିବାସଙ୍କୁ ମାଲକାନଗିରି ବୁଲି ଯିବାକୁ ଡାକିଥିଲେ । ଏକ ବୋଲେରୋ ସୁରେଶ ତାଙ୍କୁ ଧରି ମାଲକାନଗିରି ଆସିଥିଲେ । ପୁର୍ବ ପ୍ରସ୍ତୁତି ଅନୁସାରେ ମାଲକାନଗିରି ଥାନା ଏମ୍ଭି୧୧ଗ୍ରାମର ଚଞ୍ଚଳ ମଣ୍ଡଳ ଓ ତାଙ୍କର ଅନ୍ୟ ଜଣେ ବନ୍ଧୁ ସୁରଜ ଖାନଙ୍କ ସହ ମିଶି ସମସ୍ତେ ମଦ ପିଇଥିଲେ । ନିଶାସକ୍ତ ରାମନିବାସଙ୍କୁ ୧୨ତାରିଖ ଦିନ ମାଲକାନଗିରି ଛତିଶଗଡ଼ ସୀମାନ୍ତ କୌଣସି ଏକ ସ୍ଥାନରେ ଅତି ନିର୍ମମଭାବେ ହତ୍ୟା କଲେ । ସେହି ବୋଲେରୋରେ ପୁଣି ଛତିଶଗଡ଼କୁ ନେଇ ମୃତ ଦେହ ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଚଞ୍ଚଳ ମଣ୍ଡଳ ଓ ସୁରଜ ଖାନ ମାଲକାନଗିରିକୁ ଫେରି ଆସିଥିବାବେଳେ ସୁରେଶ ଦରନାପାଲ ପଳାଇଥିଲେ ।
ସେହି ଦିନ ଯବାନଙ୍କ ମୃତ ଶରୀର ସୀମାନ୍ତ ସୁକମା ଜଙ୍ଗଲରୁ ମିଳିଥିଲା । ଜଣେ ଯବାନଙ୍କ ମୃତ ଶରୀର ଜଙ୍ଗଲରେ ପଡ଼ିଥିବା ଦେଖି ଏହା ମାଓବାଦୀଙ୍କ କାଣ୍ଡ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହକରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଏହା ମାଓବାଦୀଙ୍କ କାଣ୍ଡ ନୁହେଁ ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଲା । ପରେ ସୁକୁମା ପୁଲିସ ରାମନିବାସଙ୍କ ମୋବାଇଲ ଫୋନକୁ ଟ୍ରାକ କରି ଘଟଣାର ପର୍ଦ୍ଦାଫାସ କରିଥିଲା । ଦରନାପାଲରୁ ସୁରେଶକୁ ପୁଲିସ ଗିରଫ କରି ପଚରାଉଚରା କରିଥିଲା । ପରେ ମାଲକାନଗିରି ଏସ୍ପି ଜଗମୋହନ ମୀନାଙ୍କ ସହିତ ସୁକୁମା ଏସ୍ପି ଯୋଗାଯୋଗକରି ମାଲକାନଗିରି ପୁଲିସ ସହାୟତାରେ ଏମ୍ଭି୧୧ରୁ ଅନ୍ୟ ଅଭିଯୁକ୍ତ ଚଞ୍ଚଳ ମଣ୍ଡଳଙ୍କୁ ଗିରଫ କରିଥିଲା । ଅନ୍ୟଜଣେ ସହଯୋଗୀ ସୁରଜ ଖାନ ଫେରାର ହୋଇଯାଇଥିଲା । ସୁକୁମା ଓ ମାଲକାନଗିରି ଜିଲ୍ଲା ପୁଲିସ ତାଙ୍କୁ ଖୋଜାଖୋଜି କରୁଛି । ଗିରଫ ସୁରେଶ ଓ ଚଞ୍ଚଳ ସୁକୁମା ପୁଲିସ ନିକଟରେ ରାମନିବାସଙ୍କୁ ହତ୍ୟାକରିଥିବା ମାନିଛନ୍ତି । ରାମନିବାସଙ୍କୁ ହତ୍ୟାକରିବା ପାଇଁ ସୁରେଶ ଚଞ୍ଚଳ ମଣ୍ଡଳ ଓ ସୁରଜ ଖାନଙ୍କୁ ଏକ ଲକ୍ଷଟଙ୍କା ଦେଇଥିବା ପୁଲିସ କହିଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସୁପାରି କିଲରଙ୍କ ଦ୍ୱାରା ଛତିଶଗଡ଼ ରାଜ୍ୟର ଜଣେ ଯବାନଙ୍କୁ ନିର୍ମମ ହତ୍ୟା କରିବା ଘଟଣା ସମଗ୍ର ଜିଲ୍ଲାରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟିକରିଛି । ଏପରି ସ୍ପର୍ଶକାତର ଘଟଣାପରେ ମାଲକାନଗିରି ଜିଲ୍ଲା ପୁଲିସ ତତ୍ପର ହୋଇଉଠିଛି । ଅଭିଯୁକ୍ତର ଗାଁ ଏମଭି୧୧ ଉପରେ ତୀକ୍ଷ୍ଣ ନଜର ରଖିଛି । ଫେରାର ଥିବା ଅନ୍ୟ ଅଭିଯୁକ୍ତ ସରୋଜ ଖାନ୍କୁ ଧରିବା ଲାଗି ମାଲକାନଗିରି ପୁଲିସ ଓ ସୁକାମ ପୁଲିସ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons