ବର୍ଷକର ଶିଶୁକନ୍ୟାକୁ ନେଇ ଟଣାଓଟରା:ସମାଧାନର ବାଟ ବତାଇଲେ ହାଇକୋର୍ଟ

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ଶିଶୁର ପ୍ରକୃତ ଅଭିଭାବକ କିଏ? ତା’ର ଜନ୍ମଦାତା ପିତାମାତା ନା’ ତାକୁ ବଢାଇଥିବା ପାଳିତ ପିତାମାତା? ଯଦି ଜନ୍ମଦାତା ପିତାମାତାଙ୍କ ନିକଟରେ ପିଲାକୁ ପାଳିବା ପାଇଁ ଆବଶ୍ୟକ ଅର୍ଥ ନଥାଏ, ସମ୍ବଳ ନଥାଏ ଓ ପାଳିତ ପିତାମାତା ଆର୍ଥିକ ଦୃଷ୍ଟିରୁ ବେଶ୍ ସକ୍ଷମ ହୋଇଥାନ୍ତି, ତାହେଲେ ସେହି ପିଲାଟି ଉପରେ କାହାର ଅଧିକାର ରହିବ? ସେହି ପିଲାଟିର ମାର୍ଫତଦାର୍ କିଏ ହେବେ ବା ଅଭିଭାବକତ୍ୱ କିଏ ପାଇବେ? – ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସମାଧାନର ବାଟ ଦେଖାଇଛନ୍ତି ଓଡ଼ିଶା ହାଇକୋର୍ଟ । ସମ୍ବଳ ଥାଉ କି ନଥାଉ, ଇଚ୍ଛା ବ୍ୟକ୍ତ କରିପାରୁନଥିବା ଏକ ଶିଶୁ ପାଇଁ ତା ଜନ୍ମଦାତା ପିତାମାତା ହିଁ ସବୁକିଛି । ସେମାନଙ୍କ ନିକଟରେ ଶିଶୁ ସବୁଠୁ ଅଧିକ ସୁରକ୍ଷିତ । ଏଭଳି ମତ ରଖି ଶିଶୁକୁ ଜନ୍ମଦାତ୍ରୀଙ୍କ କୋଳକୁ ଫେରାଇ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । \n କଟକ ଆଠଗଡ଼ ଅଞ୍ଚଳର ଏକ ବର୍ଷକର ଶିଶୁ କନ୍ୟା ଉପରେ ଅଧିକାର ସାବ୍ୟସ୍ତକୁ ନେଇ ହାଇକୋର୍ଟକୁ ଆସିଥିଲା ଏହି ମାମଲା । ଆଠଗଡ଼ ଅଞ୍ଚଳର ସ୍ୱର୍ଣ୍ଣଲତା ମିଶ୍ର ହାଇକୋର୍ଟରେ ଏକ ହେବିଅସ୍ କର୍ପସ ମାମଲା ରୁଜୁ କରିଥିଲେ । ତାଙ୍କର ବର୍ଷକର ଝିଅକୁ ଉଦ୍ଧାର କରାଯିବା ପାଇଁ ସେ ଏହି ମାମଲା ଦାଏର୍ କରିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ, ୨୦୧୬ ଜୁଲାଇ ୧୯ରେ ସେ କଟକ ସହରର ଏକ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ୨୦୧୭ ମାର୍ଚ୍ଚ ୩୧ ରେ ଝିଅଟି ଘର ବାରଣ୍ଡାରେ ଶୋଇଥିଲା ବେଳେ ଗଣେଶ୍ୱର ନାୟକ ନାମକ ଜଣେ ବ୍ୟକ୍ତି ତାକୁ ନେଇଯାଇଥିଲା । \nପରେ ଆବେଦନକାରିଣୀ ଜାଣିବାକୁ ପାଇଥିଲେ, ଗଣେଶ୍ୱର ନାୟକ ତାଙ୍କ ଝିଅକୁ ଅନ୍ୟ ଜଣେ ବ୍ୟକ୍ତି ବିଶ୍ୱଜିତ୍ ନାୟକଙ୍କୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି । ଏହାପରେ ଆବେଦନକାରିଣୀ ନିଜ ଝିଅକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଶ୍ୱଜିତ୍ ନାୟକ ତାଙ୍କୁ ଝିଅ ଫେରାଇନଥିଲେ । ଏ ସଂକ୍ରାନ୍ତରେ ଆବେଦନକାରିଣୀ ଆଠଗଡ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଏତଲାକୁ ଗ୍ରହଣ କରାନଯିବାରୁ ସେ କଟକ ଏସ୍ପିଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ସେଠାରୁ ମଧ୍ୟ କୌଣସି ସୁଫଳ ନମିଳିବାରୁ ହାଇକୋର୍ଟରେ ୨୦୧୭ ଜୁଲାଇ ୧୨ରେ ସେ ମାମଲା ରୁଜୁ କରିଥିଲେ । ଗଣେଶ୍ୱର ନାୟକ ଏବଂ ବିଶ୍ୱଜିତ୍ ନାୟକ ଏହି ମାମଲାରେ ପକ୍ଷ ହୋଇଥିଲା ବେଳେ ସେମାନଙ୍କ ପକ୍ଷରୁ ଆଠଗଡ଼ ପୁଲିସ୍ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା । \nଏହି ସତ୍ୟପାଠରେ ଦର୍ଶାଯାଇଥିଲା, ଆବେଦନକାରିଣୀ ଯେଉଁ ଅପହରଣ ଅଭିଯୋଗ ଆଣିଛନ୍ତ ତାହା ମିଛ । ପୂର୍ବରୁ ଆବେଦନକାରିଣୀଙ୍କର ୩ଟି ଝିଅ ଥିଲାବେଳେ ଏହା ତାଙ୍କର ଚତୁର୍ଥ କନ୍ୟା । ପଞ୍ଚାୟତନାମା ଅନୁସାରେ, ଆବେଦନକାରିଣୀ ପ୍ରସବ ପରେ ଆମ୍ବୁଲାନ୍ସରେ ଘରକୁ ଫେରୁଥିଲା ବେଳେ ବାଟରେ ଆମ୍ବୁଲାନ୍ସ ଡ୍ରାଇଭର ଗଣେଶ୍ୱର ନାୟକଙ୍କୁ ଏହି ପିଲାଟିକୁ କାହାରିକୁ ଦେଇଦେବାକୁ ଅବା କୌଣସି ଅନାଥାଶ୍ରମକୁ ଦେଇଦେବାକୁ ଅନୁରୋଧ କରିଥିଲେ । ଗଣେଶ୍ୱର ନାୟକ ଏହି ନବଜାତ ଶିଶୁଟିକୁ ବିଶ୍ୱଜିତ୍ ନାୟକଙ୍କ ପତ୍ନୀଙ୍କୁ ଦେଇ ଦେଇଥିଲେ । ମାମଲାର ଶୁଣାଣି ଅବସରରେ ଉଭୟ ଗଣେଶ୍ୱର ଏବଂ ବିଶ୍ୱଜିତ୍ ମଧ୍ୟ ହାଇକୋର୍ଟରେ ଦୁଇଟି ସତ୍ୟପାଠ ଦାଖଲ କରିଥିଲେ । ସେମାନେ ମଧ୍ୟ ପୁଲିସ୍ ସତ୍ୟପାଠରେ ଉଲ୍ଲେଖ କରିଥିବା କଥାକୁ ଦୋହରାଇବା ସହ ଆବେଦନକାରିଣୀଙ୍କ ସ୍ୱାମୀ ଜଣେ ନିଶାଡି ଓ ନବଜାତ ଶିଶୁ କନ୍ୟା ବଦଳରେ ସେ ଅର୍ଥ ଦାବି କରୁଥିବା କଥା ଉଲ୍ଲେଖ କରିଥିଲେ । ଗ୍ରାମବାସୀଙ୍କ ନିଷ୍ପତ୍ତିକ୍ରମେ ଶିଶୁଟି ବିଶ୍ୱଜିତ୍ଙ୍କ ନିକଟରେ ରହିଥିବା କଥା ଉଭୟ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ । \n ଉଭୟପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ମିଶ୍ର ଏବଂ ବିଚାରପତି ଜଷ୍ଟିସ୍ ଏ.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶିଶୁ କନ୍ୟା ଉପରେ ଜନ୍ମଦାତ୍ରୀର ସବୁଠୁ ଅଧିକ ଅଧିକାର ଅଛି ବୋଲି କହିଛନ୍ତି । ଯଦି ଜଣେ ଶିଶୁର ଜନ୍ମଦାତା ପିତାମାତାଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ନଥାଏ କିମ୍ବା ଶିଶୁଟିକୁ ଲାଳନପାଳନ କରିବାର କ୍ଷମତା ମଧ୍ୟ ନଥାଏ ତଥାପି ମଧ୍ୟ ଶିଶୁଟିର ଅଭିଭାବକତ୍ୱ ଅନ୍ୟଜଣଙ୍କ ନିକଟକୁ ଆପଣାଛାଏଁ ଚାଲି ଯାଇପାରିବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଜଣେ ୫ ବର୍ଷରୁ କମ୍ ବୟସର ଶିଶୁ ଉପରେ ତାର ପିତାମାତାଙ୍କର ସ୍ୱତନ୍ତ୍ର ଅଧିକାର ରହିଛି । ଏକଥା କୁହାଯାଏ ଯେ, ଜଣେ ଶିଶୁର ପ୍ରକୃତ ବିକାଶ ତା’ର ପିତାମାତାଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଗୋଟିଏ ଶିଶୁ ତା’ର ଜନ୍ମିତ ପିତାମାତାଙ୍କ ନିକଟରେ ସବୁଠାରୁ ଅଧିକ ସୁରକ୍ଷିତ ରହିପାରିବ ବୋଲି ହାଇକୋର୍ଟ ମତ ଦେବା ସହ ଏହି ଶିଶୁ କନ୍ୟାକୁ ୭ ଦିନ ମଧ୍ୟରେ ତା’ର ଜନ୍ମଦାତା ମାତାପିତାଙ୍କୁ ଫେରାଇ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons